ଭାରତୀୟ ଯୁବ ବିଲିଅନେୟରଙ୍କ ଘର ପାଲଟିଛି ଦେଶର ଷ୍ଟାର୍ଟଅପ ରାଜଧାନୀ


ଭାରତର ଷ୍ଟାର୍ଟଅପ ରାଜଧାନୀ ଭାବେ ଜଣାଶୁଣା ବେଙ୍ଗାଳୁରୁ ଅଧିକାଂଶ ୪୦ ବର୍ଷରୁ କମ୍ ଯୁବ ବିଲିନେୟରଙ୍କର ଘର ହେବାର ସୌଭାଗ୍ୟ ଅର୍ଜନ କରିଛି। ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୧୯ ନିଜକୁ ନିଜେ ପ୍ରତିଷ୍ଠା କରିଥିବା ୧୭ଜଣ ଶ୍ରେଷ୍ଠ ଉଦ୍ୟୋଗୀ ତାଲିକା ଜାରି କରିଛି, ଯେଉଁମାନଙ୍କ ମଧ୍ୟରୁ କେବଳ ବେଙ୍ଗାଳୁରୁର ୧୦ ଜଣ ଅଛନ୍ତି।

ନୀତିନ କାମଥ
ବେଙ୍ଗାଳୁରୁର ୟଙ୍ଗ ବିଲିଅନେୟର ତାଲିକାରେ ଡିସକାଉଣ୍ଟ ବ୍ରୋକରେଜ ଷ୍ଟାର୍ଟଅପ ଜେରୋଧାର ପ୍ରତିଷ୍ଠାତା ତଥା ସିଇଓ ନୀତିନ କାମତଙ୍କ ନାମ ରହିଛି। ମାତ୍ର ୩୯ ବର୍ଷ ବୟସରେ ନୀତିନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଆନୁମାନିକ ୬,୬୦୦ କୋଟି। ୨୦୧୦ରେ ଆରମ୍ଭ ହୋଇଥିବା ଜେରୋଧା ଏବେ ଭାରତୀୟ ରିଟେଲ ଟ୍ରେଡିଙ୍ଗକୁ ପାଖାପାଖି ୧୫ ପ୍ରତିଶତ ଯୋଗଦାନ ଦେଉଛି। ଏଥିସହିତ ୧.୫ ମିଲିଅନ ଗ୍ରାହକ ଆଧାରରେ ଏହା ଭାରତର ସବୁଠାରୁ ବଡ଼ ରିଟେଲ ଷ୍ଟକବ୍ରୋକର। ନୀତିନ କଲେଜରେ ପାଠ ପଢ଼ିବା ସମୟରୁ ଟ୍ରେଡିଂ ଆରମ୍ଭ କରିଥିଲେ ଓ ତିନି ବର୍ଷ ଯାଏ ଜଣେ ଟେଲିମାର୍କେଟିଂ ଏକଜିକୁଟିଭ ଭାବେ ଏକ କଲ ସେଣ୍ଟରରେ କାମ କରିଥିଲେ।

ସଚିନ ବଂସଲ ଓ ବିନୟ ବଂସଲ

ଫ୍ଲିପକାର୍ଟର ସହପ୍ରତିଷ୍ଠାତା ସଚିନ ବଂଶଲ ଓ ବିନୟ ବଂଶଲ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି। ସଚିନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୬,୧୦୦ କୋଟି ଓ ବିନୟଙ୍କ ସମ୍ପତ୍ତିର ମୂଲ୍ୟ ୫,୫୦୦ କୋଟି। ଉଭୟ ଆମାଜନରୁ ଚାକିରି ଛାଡ଼ି ଭାରତର ସର୍ବବୃହତ୍ତ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟ ଆରମ୍ଭ କରିଥିଲେ। ୨୦୧୮ରେ ୱାଲମାର୍ଟ ୧୬ ବିଲିଅନ ଡଲାରରେ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନ କିଣିଥିଲା।

ନିଖିଲ କାମଥ

୪,୪୦୦ କୋଟି ନେଟ୍ ଅର୍ଥ ସହିତ ନୀତିନ କାମଥଙ୍କ ଭାଇ ନିଖିଲ କାମଥ ଏହି ତାଲିକାରେ ବେଙ୍ଗାଳୁରର ୟଙ୍ଗ ବିଲିଅନେୟର ଭାବେ ଚତୁର୍ଥ ସ୍ଥାନରେ ଅଛନ୍ତି। ନିଖିଲ ଟ୍ରୁ ବିକନ ଓ ଜେରୋଧାର ସହପ୍ରତିଷ୍ଠାତା ଓ ସିଇଓ ଅଟନ୍ତି।

ରିଜୁ ରବିନ୍ଦ୍ରନ
ଅନଲାଇନ ଟ୍ୟୁଟୋରିଙ୍ଗ ଏପ ବାଇଜୁର ସହପ୍ରତିଷ୍ଠାତା ରିଜୁ ରବିନ୍ଦ୍ରନଙ୍କ ମୋଟ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୩,୬୦୦ କୋଟି। ବେଙ୍ଗାଳୁରୁଭିତ୍ତିକ ଷ୍ଟାର୍ଟଅପ ୟୁନିଟ ଅଫ ଥିଙ୍କ ଏଣ୍ଡ ଲର୍ଣ୍ଣ ପ୍ରାଇଭେଟ ଲିମଟେଡର ମୋଟ ଭାଲ୍ୟୁ ଜୁଲାଇରେ ୫.୫ ବିଲିଅନ ଥିଲା। ବାଇଜୁର ଅନ୍ୟତମ ସହପ୍ରତିଷ୍ଠାତା ତଥା ରିଜୁଙ୍କ ପତ୍ନୀ ଦିବ୍ୟା କୋକୁଲନାଥ ମଧ୍ୟ ୟଙ୍ଗ ରିଚ ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୮୦୦ କୋଟି ଟଙ୍କା।

ଆମୋଦ ମାଲବ୍ୟ, ସୁଜିତ କୁମାର, ବୈଭବ୍ୟ ଗୁପ୍ତା
ଫ୍ଲିପକାର୍ଟର ପୂର୍ବତନ ଏକଜିକ୍ୟୁଟିଭ ଆମୋଦ ମାଲବ୍ୟ, ସୁଜିତ କୁମାର ଏବଂ ବୈଭବ୍ୟ ଗୁପ୍ତାଙ୍କର ଅନଲାଇନ ବି୨ବି ମାର୍କେଟପ୍ଲେସ ସବୁଠାରୁ ଦ୍ରୁତ ଭାରତୀୟ ଷ୍ଟାର୍ଟଅପ ଭାବେ ସ୍ଥାନ ପାଇଛି। ଏଥିସହିତ ୪୦ ବର୍ଷରୁ କମ୍ ବୟସର ବେଙ୍ଗାଳୁରର ଧନୀ ବ୍ୟକ୍ତି ତାଲିକାରେ ସେମାନେ ସ୍ଥାନ ପାଇଛନ୍ତି। ଆମୋଦ, ସୁଜିତ ଓ ବୈଭବ୍ୟ ପ୍ରତ୍ୟେକଙ୍କ ମୋଟ ସମ୍ପତ୍ତି ୩,୫୦୦ କୋଟି ବୋଲି ଜଣାପଡ଼ିଛି। ସେମାନଙ୍କ ଷ୍ଟାର୍ଟଅପର ମୂଲ୍ୟ ବର୍ତ୍ତମାନ ୨.୫-୩ ବିଲିଅନ ଆମେରିକୀୟ ଡଲାର।

ଭାବିଶ ଅଗ୍ରୱାଲ
ଯାତ୍ରା ସେବା ଯୋଗାଉଥିବା ଲୋକପ୍ରିୟ ସର୍ଭିସ ‘ଓଲା’ ସଂଚାଳନ କରୁଥିବା ୩୪ ବର୍ଷୀୟ ଭାବିଶ ଅଗ୍ରୱାଲଙ୍କ ଆନୁମାନିକ ମୋଟ ସମ୍ପତ୍ତିର ମୂଲ୍ୟ ୩୧୦୦ କୋଟି ଟଙ୍କା। ଆଇଆଇଟି ବମ୍ବେର ବିଟେକ୍ ଇଞ୍ଜିନିୟର ଛାତ୍ର ଭାବିଶ ମାଇକ୍ରୋସଫ୍ଟର ଆକର୍ଷକ ଚାକିରି ଛାଡ଼ି ୨୦୧୦ରେ ନିଜର ଏଏନ୍ଆଇ ଟେକ୍ନୋଲୋଜି କମ୍ପାନୀ ଆରମ୍ଭ କରିଥିଲେ। ଏହା ବହୁତ କମ ଦିନରେ ଭାରତର ମୋଷ୍ଟ ଭ୍ୟାଲ୍ୟୁଡ ଷ୍ଟାର୍ଟଅପରେ ପରିଣତ ହୋଇଥିଲା। ‘ଓଲା’ର ଅନ୍ୟ ଜଣେ ସହସଂସ୍ଥାପକ ତଥା ସିଟିଓ ଅଙ୍କିତ ଭାଟିଙ୍କ ନାମ ମଧ୍ୟ ଏହି ତାଲିକାରେ ଆସୁଛି। ଅଙ୍କିତଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧,୪୦୦ କୋଟି ଟଙ୍କା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ