ଭାରତର ଏସବୁ ଲୋକପ୍ରିୟ ଦରଘାରେ ହୋଇଥାଏ ସମସ୍ତଙ୍କ ଦୁଆ କବୁଲ


ଭାରତରେ ଅଲଗା ଅଲଗା ଧର୍ମର ଲୋକ ରହିଥାନ୍ତି। ଏପରିସ୍ଥଳେ ନିଜ ମନ୍ନତ, ଦୁଆ, ଭଗବାନଙ୍କ କୃପା ପାଇବା ଲାଗି ଲୋକେ ମନ୍ଦିର, ଗୁରୁଦ୍ବାର, ମସଜିଦ, ଦରଘା, ଚର୍ଚ୍ଚ ଯାଇଥାନ୍ତି। ଏପରି ଅନେକ ସ୍ଥାନ ରହିଛି ଯେଉଁଠିକି ଯାଇ ସେମାନଙ୍କ ମନୋସ୍କାମନା ଶୀଘ୍ର ପୂରା ହୋଇଗଲା ବୋଲି ଶ୍ରଦ୍ଧାଳୁମାନେ କହିଥାନ୍ତି। ଚାଲନ୍ତୁ ଜାଣିବା ଭାରତର କେତେକ ଲୋକପ୍ରିୟ ଦରଘା ସମ୍ପର୍କରେ। କୁହାଯାଏ ଏଠାରୁ କେହି କେବେ ଖାଲି ହାତରେ ଫେରି ନାହାନ୍ତି। ଅର୍ଥାତ ଏଠାରେ ସମସ୍ତଙ୍କ ଦୁଆ କବୁଲ ହୋଇଯାଏ। ଏଥିସହିତ ଏସବୁ ଦରଘାର ବାସ୍ତୁକଳା ମଧ୍ୟ ପୂରା ଦୁନିଆରେ ଲୋକପ୍ରିୟ। ପ୍ରତ୍ୟେକ ଧର୍ମର ଲୋକଙ୍କ ପାଇଁ ଏସବୁ ଦରଘାର ଦ୍ବାର ଖୋଲା ରହିଛି।

ପିରାନ କଲିୟର ଶରିଫ
ହରିଦ୍ବାର ନିକଟସ୍ଥ କଲିୟାରୀ ଗାଁରେ ଏହି ଦରଘା ଅବସ୍ଥିତ। ଏହି ଦରଘା ଅଲ୍ଲାଉଦ୍ଦିନ ଅଲୀ ଅହମଦ ସାବିର ନାମକ ଜଣେ ସୁଫି ସନ୍ଥଙ୍କୁ ସମର୍ପିତ। ଆଫଗାନ ଶାସକ ଇବ୍ରାହିମ ଲୋଧୀ ଏହି ଦରଘା ୧୩ଶ ଶତାବ୍ଦୀରେ ନିର୍ମାଣ କରିଥିଲେ ବୋଲି କୁହାଯାଏ। ଦରଘାର କାନ୍ଥକୁ ଜାଲି ଭଳି ତିଆରି କରାଯାଇଛି। ଏହା ଦେଖିବାକୁ ଖୁବ୍ ସୁନ୍ଦର ଓ ଅଲୌକିକ। ନିଜ ମନୋସ୍କାମନା ପୂରଣ କରିବା ଲାଗି ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ଏଠାକୁ ଆସନ୍ତି ଓ ଖୁସିରେ ଘରକୁ ଫେରନ୍ତି।

ହାଜି ଅଲୀ ଦରଘା
ମୁମ୍ବାଇର ଲିର୍ ବେଳାଭୂମିର ଏକ ଛୋଟ ଦ୍ବୀପରେ ହାଜି ଅଲୀ ଦରଘା ନିର୍ମାଣ କରାଯାଇଛି। ଏଠାରେ ପହଞ୍ଚିବା ଲାଗି ସମୁଦ୍ର ମଝିରେ ଯାଇଥିବା ଏକ ଲମ୍ବା ସଡ଼କ ପାର କରିବାକୁ ପଡ଼ିଥାଏ। ହାଜି ଅଲୀ ଶାହ ବୁଖାରୀ ଦରଘା ଭାବେ ଏହା ପୂରା ବିଶ୍ବରେ ପରିଚିତ। କୁହାଯାଉଛି ୧୪୩୧ରେ ଏହି ପବିତ୍ର ଦରଘା ନିର୍ମାଣ କରାଯାଇଥିଲା। ଧଳା ରଙ୍ଗର ଏହି ଦରଘାରେ ୮୫ ଫୁଟ ଉଚ୍ଚର ଏକ ମିନାର ମଧ୍ୟ ନିର୍ମାଣ କରାଯାଇଛି। ଏହା ଦରଘାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଉଛି।

ହଜରତ ନିଜାମୁଦ୍ଦିନ ଦରଘା
ହଜରତ ନିଜାମୁଦ୍ଦିନ ଔଲିଆଙ୍କ ଏହି ଦରଘା ଦକ୍ଷିଣ ଦିଲ୍ଲୀରେ ଅବସ୍ଥିତ। ଏହି ଦରଘା ମାର୍ବଲରେ ତିଆରି ହୋଇଛି। ଏଠାକୁ ମଧ୍ୟ ଲୋକେ ସେମାନଙ୍କ ମାନସିକ ପୂରଣ ପାଇଁ ଆସିଥାନ୍ତି।

ଖ୍ବାଜା ଗରିବ ନାଜ ଦରଘା
ଏହି ଦରଘା ଅଜମେର ଶରିଫରେ ନିର୍ମାଣ ହୋଇଛି। ଖ୍ବାଜା ଗରିବ ନାଜ ଦରଘା ପୂରା ବିଶ୍ବରେ ଲୋକପ୍ରିୟ। ଏହାକୁ ମୁସଲମାନ ଶାସକ ହୁମାୟୁନ ତିଆରି କରିଥିଲେ ବୋଲି କୁହାଯାଏ। ଏହି ଦରଘାର ବାସ୍ତୁକଳା ବହୁତ ସୁନ୍ଦର। ଏହା ଭିତରର ଗମ୍ବୁଜ ମାର୍ବଲ ଓ ସୁନାରେ ତିଆରି କରାଯାଇଛି। ବାହାରର ରେଲିଂକୁ ରୁପାରେ ନିର୍ମାଣ କରାଯାଇଛି। କୁହାଯାଏ ଏଠାକୁ ଆସୁଥିବା କୌଣସି ବ୍ୟକ୍ତି ଖାଲି ହାତରେ ଫେରି ନ ଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ