ଗଞ୍ଜାମରେ ଦୁର୍ବଳ ହେଉଛି କୋରୋନା: ୩୧ ପ୍ରତିଶତ ଲୋକଙ୍କଠାରେ ବିକଶିତ ହୋଇଛି ଆଣ୍ଟିବଡ଼ି


ଭୁବନେଶ୍ୱର: ଓଡ଼ିଶାରେ କୋରୋନାର ହଟ୍‌ସ୍ପଟ୍‌ କୁହାଯାଉଥିବା ଗଞ୍ଜାମ ଜିଲ୍ଲାରେ ଏବେ କୋରୋନା ଦୁର୍ବଳ ହେବାରେ ଲାଗିଛି। ୩ ସପ୍ତାହ ତଳେ ଯାହା ସ୍ଥିତି ଥିଲା, ତାହା ଏବେ ଆଉ ନାହିଁ। ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ସେହିପରି ଜିଲ୍ଲାରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ଅନୁଯାୟୀ ୩୧ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ବିକାଶିତ ହୋଇଛି ବୋଲି କହିଛନ୍ତି ଆରଏମ୍‌ଆର୍‌ସି ନିର୍ଦେଶିକା ଡାକ୍ତର ସଂଘମିତ୍ରା ପତି।

ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା. ପତି କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଏକ ତୃତୀୟାଂଶ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ନିକଟରେ ବ୍ରହ୍ମପୁରରେ ଶେଷ ହୋଇଥିବା ସିରୋ ସର୍ଭେରୁ ଏହା ଜଣାପଡ଼ିଛି। ବ୍ରହ୍ମପୁରରେ ଗତ ୩ରୁ ୭ ତାରିଖ ମଧ୍ୟରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବାବେଳେ ସେଥିରୁ ଏହା ସ୍ପଷ୍ଟ ହୋଇଥିବା ସେ କହିଛନ୍ତି। ବ୍ରହ୍ମପୁରରେ ୫ଟି ଟିମ୍‌ ଦ୍ୱାରା ସେରୋ ସର୍ଭେ କରାଯାଉଥିଲା। ବିଭିନ୍ନ ଶ୍ରେଣୀର ଲୋକଙ୍କଠାରୁ ଏହି ଟିମ୍‌ ନମୁନା ସଂଗ୍ରହ କରିଥିଲେ। ୫ ବସ୍ତି ଓ ବହୁ ସମ୍ବେଦନଶୀଳ ଅଞ୍ଚଳରୁ ଏହି ନମୁନା ସଂଗୃହୀତ କରାଯାଇଥିବାବେଳେ ମୋଟ୍‌ ୨୮୩୦ ଲୋକଙ୍କ ଆଣ୍ଟିବଡି ଟେଷ୍ଟ କରାଯାଇଥିଲା। ଏଥିମଧ୍ୟରୁ ୩୧ ପ୍ରତିଶତ ଲୋକଙ୍କର ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଓ୍ବାର୍ଡସ୍ତରରେ ସଂଗୃହୀତ ହୋଇଥିବା ନମୁନା ମଧ୍ୟରୁ କିଛି ୱାର୍ଡରେ ୭୦ ଓ କିଛି ୱାର୍ଡରେ ୬୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ସେ କହିଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଆର୍‌ଏମ୍‌ଆରସି ଦ୍ୱାରା ବିଭିନ୍ନ ଜିଲ୍ଲାରେ ସେରୋ ସର୍ଭିଲାନ୍ସ ହୋଇଛି। ପ୍ରଥମେ ପୁରୀ, ପରେ ଭୁବନେଶ୍ୱର ଓ ବର୍ତ୍ତମାନ ଗ୍ରାମରେ ପ୍ରଥମ ପର୍ଯ୍ୟାୟ ସର୍ଭେ ସରିଛି। ବର୍ତ୍ତମାନ କଟକ ବଡ଼ମ୍ବା ଓ ନରସିଂହପୁରରେ ସର୍ଭେ ଜାରି ରହିଛି। ଆଗକୁ କଟକ ସହର, ଗଜପତି ଓ ରାଉରକେଲାରେ ସର୍ଭେ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗରେ କୋଭିଡ୍‌ର ନିୟମିତ ପରୀକ୍ଷଣ ସହ ସେରୋଲୋଜିକାଲ ଟେଷ୍ଟ ମାଧ୍ୟମରେ ମଧ୍ୟ ପରୀକ୍ଷା କରାଯାଉଛି। ଅଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ସ୍ଥିତି ସୁଧୁରୁଛି। ପରୀକ୍ଷଣ ବୃଦ୍ଧି ପାଇଥିବା ସତ୍ତ୍ବେ କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ହ୍ରାସ ପାଉଛି ଓ ଆରୋଗ୍ୟ ହାର ବୃଦ୍ଧି ପାଉଛି। କୋରୋନା ପାଇଁ ଆଦୌ ଡରିବା ନାହିଁ। ରାଜ୍ୟ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପୂର୍ବ ଅପେକ୍ଷା କୋରୋନା ସଂକ୍ରମଣ ଏବେ ସ୍ଥିର ରହିଛି। ଆଗକୁ ଏହା କମିବ ବୋଲି ଆଶା କରାଯାଉଛି। କୋରୋନାରୁ ରକ୍ଷା ପାଇବାକୁ ହେଲେ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ ବୋଲି ପତି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ