ସ୍ୱେଚ୍ଛାକୃତ ଟେଷ୍ଟିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ


ଭୁବନେଶ୍ୱର: କୋରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ୱେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ବାନ ଜଣାଇଛନ୍ତି। ଏହାଦ୍ବାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହିତ ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ବୋଲି ସେ କହିଛନ୍ତି। ସେହିପରି ଅର୍ଥାଭାବରୁ କେହି ଜଣେ ବି କୋଭିଡ୍ ଆକ୍ରାନ୍ତ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ୍ ଚିକିତ୍ସା ପାଇଁ ରାଜ୍ୟ ସରକାର ରୋଗୀ ମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି। ଏ କ୍ଷେତ୍ରରେ ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି।

ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଓ ଯାଜପୁର ଆଦି ୪ ଜିଲ୍ଲାରେ କୋଭିଡ୍ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ଲୋକମାନେ ଯେପରି ସୁବିଧାରେ ଟେଷ୍ଟିଂ କରିପାରିବେ ସେଥିପାଇଁ ସବ୍-ଡିଭିଜନ ସ୍ତରରେ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ଟେଷ୍ଟିଂ ସୁବିଧା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗେଇ ଆସିବେ ସେଥିପାଇଁ ବିଡିଓ ଓ ପଞ୍ଚାୟତ ପ୍ରତିନିଧିମାନେ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସ୍ବଳ୍ପ ଓ ଲକ୍ଷଣ ବିହୀନ ରୋଗୀମାନଙ୍କୁ ଘରେ ଚିକିତ୍ସା ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି।  ଏଥିସହିତ ରୋଗୀମାନଙ୍କୁ ମେଡିସିନ୍ କିଟ୍ ଓ ଟେଲି ମେଡିସିନ ଯୋଗେ ଡାକ୍ତରୀ ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।

ରୋଗକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଖୋର୍ଦ୍ଧା, ସୁନ୍ଦରଗଡ, କଟକ ଓ ଯାଜପୁର ଜିଲ୍ଲାଗୁଡିକ ଉପରେ ଅଧିକ ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଗତ ପାଞ୍ଚ ମାସ ଧରି ରାଜ୍ୟବାସୀ ଯେଭଳି ସାହସର ସହ ଲଢେଇ ଜାରି ରଖିଛନ୍ତି ତାହା ଆମକୁ ଉତ୍ସାହଜନକ ସଫଳତା ଦେଇଛି । ଏଥିପାଇଁ ଆଗ ଧାଡିର କୋଭିଡ୍‌ ଯୋଦ୍ଧା ତଥା ଲୋକପ୍ରତିନିଧି ମାନଙ୍କର ନିରନ୍ତର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୯ ଜଣ ପ୍ଲାଜ୍‌ମା ଦାତା ପ୍ଲାଜ୍‌ମା ଦାନ କରିଥିବା ବେଳେ ୧୩୨ ଜଣ ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ ହେଉଛନ୍ତି। ୧୦ ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୯୮ ଜଣଙ୍କ ସ୍ବାସ୍ଥ୍ୟରେ ଆଖିଦୃଶିଆ ଉନ୍ନତି ଆସିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲା ସ୍ତରରେ ପ୍ଲାଜ୍‌ମା ଦାତାମାନଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା, ଯାଜପୁର, ଜଗତସିଂପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକମାନଙ୍କ ସହ ଜିଲ୍ଲାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ପୋଲିସ୍‌ ମହାନିର୍ଦେଶକ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି), ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ