ଘୋଷଣା ପରେ ଘୋଷଣା, ରୂପାୟନ ଶୂନ

ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଆଉ ବିଳମ୍ବିତ ହେବନି ତ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏଥି ମଧ୍ୟରେ ସ୍ଥାନ ପାଇଛି ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀର ବହୁପ୍ରତୀକ୍ଷିତ ଗଙ୍ଗାଧର ମେହେର ମେଗା ଉଠାଜଳସେଚନ ପ୍ରକଳ୍ପ। ଏଥିପାଇଁ ୧୧୩୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ନେଇ ମୁଖ୍ୟ ଶାସନସଚିବ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ ପରେ ପରେ ବରଗଡ଼ରେ ଅନୁରୂପ ସାମ୍ବାଦିକ ସମ୍ମିଳନୀ ଜରିଆରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରକଳ୍ପ ହେଲେ ଚିର ମରୁଡ଼ି ପ୍ରପୀଡ଼ିତ ବିଜେପୁର, ସୋହେଲା, ବରଗଡ଼ ସମେତ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି ବ୍ଳକର ୨୫ ହଜାର ୬୦୦ ହେକ୍ଟର ଜମି ଜଳସେଚିତ ହୋଇପାରିବ ବୋଲି ସୂଚନା ଦେଇଥିଲେ। ସାଂସଦ ଓ ମନ୍ତ୍ରୀଙ୍କ ସୂଚନାରୁ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ଏହି ପ୍ରକଳ୍ପ ପାଇଁ ଦୁଇ ଦୁଇଥର କ୍ୟାବିନେଟ ନିଷ୍ପତ୍ତି କାର୍ଯ୍ୟରେ ରୂପାୟନ ହୋଇ ନ ଥିବା ବେଳେ ପ୍ରକଳ୍ପ ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

କ’ଣ ଥିଲା ୨୦୧୭ କ୍ୟାବିନେଟ ନିଷ୍ପତ୍ତି
ବିଜେପୁର ବିଧାନସଭା ଉପନିର୍ବାଚନକୁ ଆଖି ଆଗରେ ରଖି ୨୩ ଅକ୍ଟୋବର ୨୦୧୭ରେ ରାଜ୍ୟ କ୍ୟାବିନେଟ ବହୁ ଆକାଂକ୍ଷିତ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପକୁ ମଞ୍ଜୁର କରିଥିଲେ। ବିଜେପୁର, ସୋହେଲା ଓ ବରପାଲି ବ୍ଲକର ମରୁଡ଼ିପ୍ରବଣ ଅଞ୍ଚଳ ଏହାଦ୍ବାରା ଶସ୍ୟଶାମଳା ହୋଇପାରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ କ୍‌ଷିମନ୍ତ୍ରୀ ଦାମୋଦର ରାଉତ ଉପସ୍ଥିତ ରହି ସୂଚନା ଦେଇଥିଲେ। ଏ ଖବର ସମସ୍ତ ଗଣମାଧ୍ୟମର ପ୍ରମୁଖ ଖବର ଭାବେ ସ୍ଥାନିତ କରାଇ ପ୍ରଚାର ପ୍ରସାର କରିଥିଲେ। ଅନେକ ଖବରକାଗଜରେ ଏ ଖବର ପ୍ରଥମ ପ୍‌ଷ୍ଠାରେ ଟପ ନ୍ୟୁଜ ହୋଇ ପ୍ରକାଶ ପାଇଥିଲା। ବରଗଡ଼ ଜିଲାର ୩ଟି ବ୍ଲକରେ ଜନଗଣଙ୍କ ଜୀବନ ଓ ଜୀବିକାରେ ଏହି ପ୍ରକଳ୍ପ କିଭଳି ବଡ଼ ପରିବର୍ତ୍ତନ ଆଣିବ ତାହା ଦର୍ଶାଇ ଦିଆଯାଇଥିଲା। ସେଥିରେ କୁହାଯାଇଥିଲା ଯେ ଏହି ମେଗା ପ୍ରକଳ୍ପ ହେବା ଫଳରେ ୨୫,୬୦୦ ହେକ୍ଟର ଖରିଫ ଏବଂ ୭ ହଜାର ହେକ୍ଟର ରବି ଫସଲ ମୋଟ ୩୨ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏଥିରେ ମୋଟ ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୧୮ କିମି ଲମ୍ବର ଭୂତଳ ପାଇପ ଲାଇନ ବିଛାଯାଇ ବରଗଡ଼ ମେନ କେନାଲରୁ ପାଣି ଅଣାଯିବ ବୋଲି ସୂଚନା ଦିଆଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ପ୍ରକଳ୍ପ ସାରା ଦେଶର ନମୁନା ପ୍ରକଳ୍ପ ଭାବେ ବିକଶିତ ହେବ ଏବଂ ଏଥିରେ ସବିଶେଷ ପ୍ରଯୁକ୍ତିର ବ୍ୟବହାର କରାଯିବ।

ସୂଚନା ଅଧିକାର ଆଇନରେ ମିଳିଥିଲା ଏମିତି ତଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜଳସମ୍ବଳ ବିଭାଗ ୨ ନଭେମ୍ବର ୨୦୧୭ରେ ଏହି ପ୍ରକଳ୍ପର ନାମ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରମାଣୀ (ବିଜେପୁର ଉଠାଜଳସେଚନ ପ୍ରକଳ୍ପ) ନାମ ଦେଇଥିଲେ। ବରଗଡ଼ ମୁଖ୍ୟ କେନାଲ ଜରିଆରେ ହୀରାକୁଦ ଡ୍ୟାମରୁ ପାଣି ଟେଙ୍ଗ୍ରା ଠାରୁ ଉଠାଯିବା ସ୍ଥିର ହୋଇଥିଲା। ବିଜେପୁର ବ୍ଲକର ୭୪, ସୋହେଲା ବ୍ଲକର ୨୫ ଓ ବରପାଲିର ୧୪ଟି ଗାଁର ଚାଷୀମାନେ ଜଳସେଚନର ସୁବିଧା ପାଇପାରିବେ। ଏଭଳି ସୂଚନା ୧୭ ନଭେମ୍ବର ୨୦୧୯ରେ ଗଙ୍ଗାଧର ମେହେର ଲିଫ୍ଟ ଇରିଗେସନ କେନାଲ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ପ୍ରଦାନ କରିଥିଲେ। ଏଥିରେ ୨୫,୬୦୦ ହେକ୍ଟର ଚାଷଜମିକୁ ଜଳ ମାଡ଼ିବ ବୋଲି ସେ ସୂଚନା ଦେଇଥିଲେ। ତିନୋଟ ବ୍ଲକର ଚାଷୀ ଉପକ୍‌ତ ହେବେ ଏବଂ କାର୍ଯ୍ୟାରମ୍ଭ ଦିନ ଠାରୁ ଏହାର କାମ ୫ ବର୍ଷ ଭିତରେ ସରିବ ବୋଲି ସେ କହିଥିଲେ। ୨୦୧୭ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କ୍ୟାବିନେଟର ଅନୁମୋଦନ ପରେ ଜଳସମ୍ପଦ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ଖୋଲାଗଲା। କିନ୍ତୁ ୨୦୨୦ ଅଗଷ୍ଟ ମାସ ସୁଦ୍ଧା ଏହି ପ୍ରକଳ୍ପର କାମ ସାମାନ୍ୟ ଅଗ୍ରଗତି କରି ନ ଥିଲା। ପ୍ରକଳ୍ପକୁ ନେଇ ଲୋକଙ୍କ ଆଶା ଭରସା ଶୁଖି ଶୁଖି ଯାଉଥିବା ବେଳେ ପୁଣିଥରେ ଅଗଷ୍ଟ ୧୨ରେ ପୁନଃ ଏହି ପ୍ରକଳ୍ପର କ୍ୟାବିନେଟ ନିଷ୍ପତ୍ତି ନିଆଯିବା ଓ ଅଗଷ୍ଟ ୧୩ ତାରିଖରେ ଗଣମାଧ୍ୟମରେ ବିସ୍ତ୍‌ତ ରିପୋର୍ଟ ପ୍ରକାଶ ପାଇବାକୁ ନେଇ ସର୍ବସାଧାରଣରେ କୌତୁହଳ ସ୍‌ଷ୍ଟି ହୋଇଛି।

ପ୍ରକଳ୍ପର ବିଳମ୍ବ ନେଇ ବିଜେପି ବିଧାୟକଙ୍କ ପ୍ରଶ୍ନ

୨୦୧୭ରେ ଏହି ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ମିଳିଥିଲା। ରାଜ୍ୟ ସରକାର ୨୦୧୮-୧୯ ବର୍ଷରେ ଏହି ପ୍ରକଳ୍ପ ପାଇଁ ୨୦୦ କୋଟି, ୨୦୧୯-୨୦ ବର୍ଷରେ ୧୦୦ କୋଟି ଏଭଳି ୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ଏହି କାମକୁ ତ୍ବରାନ୍ବିତ ପାଇଁ ଅଫିସ ଖୋଲାଯାଇଥିଲା। କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ ମଧ୍ୟ କରାଯାଇଥିଲା। କିନ୍ତୁ ୨୦୧୭ରୁ ୨୦୨୦ ଅଗଷ୍ଟ ଯାଏ ବରାଦ ହୋଇଥିବା ୩୦୦ କୋଟି ଟଙ୍କାରୁ ଟଙ୍କାଟିଏ କାହିଁକି ଖର୍ଚ୍ଚ ହୋଇ ନ ଥିଲା, ତାହା ଭଗବାନ ହିଁ ଜାଣନ୍ତି ବୋଲି କହିଛନ୍ତି ବିରୋଧୀଦଳ ବିଜେପିର ଅନ୍ୟତମ ଟାଣୁଆ ନେତା ତଥା ପ୍ରାକ୍ତନ ବିଧାୟକ ପ୍ରଦୀପ ପୁରୋହିତ।

ଏବେ ଦ୍ବିତୀୟ ଥର ପାଇଁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିବା ପରେ ଏହି ମେଗା ପ୍ରକଳ୍ପ ପାଇଁ ଆଶା ବଢ଼ିଛି। କିନ୍ତୁ ପୂର୍ବ ଘୋଷଣା ଠାରୁ ବଜେଟ ହ୍ରାସ ପାଇଥିବାକୁ ନେଇ ଓ ଡିଜାଇନରେ ପରିବର୍ତ୍ତନକୁ ନେଇ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଏହା ଘୋଷଣାରେ ସୀମିତ ନ ରହି ରୂପାୟନ ହେଉ। ଚାଷୀଙ୍କ ଜମିକୁ ଜଳ ପହଞ୍ଚୁ ଏହା ବରଗଡ଼ବାସୀ ଚାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ