କ୍ରିକେଟ୍ ପରେ ରାଜନୀତିରେ ଇମ୍ରାନଙ୍କୁ ଟକ୍କର ଦେବାକୁ ମିଆଁଦାଦ୍ ପ୍ରସ୍ତୁତ


ପାଖାପାଖି ୨ ବର୍ଷ ହେଲା ପାକିସ୍ତାନ ରାଷ୍ଟ୍ରମୁଖ୍ୟ ଭାବେ କାର୍ଯ୍ୟ କରିଆସିଛନ୍ତି ପୂର୍ବତନ ଅଧିନାୟକ ତଥା ପାକିସ୍ତାନ ତେହରିକ୍-ଏ-ଇନସାଫ୍ ମୁଖ୍ୟ ଇମ୍ରାନ୍ ଖାନ୍। ଏହି ପୂର୍ବତନ କ୍ରିକେଟର୍ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବାରେ ଅଧିକାଂଶ ସମୟ ଚାପର ବଶବର୍ତ୍ତୀ ହୋଇଥିବା ଦେଖାଯାଇଆସିଛି। ଦେଶର ଅର୍ଥନୈତିକ ସ୍ଥିତି ହେଉ ଅବା ଭାରତ ସହ ଦ୍ବିପାକ୍ଷିକ ଶତ୍ରୁତା ହେଉ, ପ୍ରତିଟି କ୍ଷେତ୍ରରେ ଇମ୍ରାନଙ୍କୁ ଠୋକର୍ ଖାଇବାକୁ ପଡ଼ିଛି। ବର୍ତ୍ତମାନ ତାଙ୍କ ସମୟର ଜଣେ କ୍ରିକେଟର୍ ଇମ୍ରାନଙ୍କୁ ଚାଲେଞ୍ଜ୍ କରିଛନ୍ତି। ସେ ଆଉ କେହି ନୁହନ୍ତି, ବରଂ ପାକିସ୍ତାନ କ୍ରିକେଟ୍ ଟିମ୍ ତଥା ଇମ୍ରାନଙ୍କ ପୂର୍ବତନ ଅଧିନାୟକ ଜାଭେଦ୍ ମିଆଁଦାଦ୍। ନିଜର ବିବାଦୀୟ ଆଚରଣ ଓ ବୟାନ ପାଇଁ ଅଧିକାଂଶ ସମୟରେ ଖବରର ଶିରୋନାମା ରହିଆସିଥିବା ମିଆଁଦାଦ୍ ଏବେ ତାଙ୍କର ପୂର୍ବତନ ଦଳୀୟ ସାଥୀ ଇମ୍ରାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ବୋଲି କହିବା ସହ ତାଙ୍କୁ ବେଶ୍ ସହଜରେ ଚାଲେଞ୍ଜ୍ ଦେଇପାରିବେ ବୋଲି ମିଆଁଦାଦ୍ କହିଛନ୍ତି।

ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ମିଆଁଦାଦ୍ ଇମ୍ରାନଙ୍କ ପଥପ୍ରଦର୍ଶକ ବୋଲି ଦାବି କରିବା ସହ ଖୁବଶୀଘ୍ର ସେ ରାଜନୀତିରେ ପ୍ରବେଶ କରିବେ ବୋଲି କହିଛନ୍ତି। ରାଜନୀତିରେ ପ୍ରବେଶ କରିବା ପରେ ସେ ରାଜନୀତି କ’ଣ ଓ କେମିତି କରାଯାଏ, ତା’ ଇମ୍ରାନଙ୍କୁ ଶିଖାଇଦେବେ ବୋଲି ମିଆଁଦାଦ୍ କହିଛନ୍ତି। ସେ କହିଛନ୍ତି ଯେ ଏକଦା କ୍ରିକେଟ୍ ଜଗତରେ ମୁଁ ଇମ୍ରାନଙ୍କ ଅଧିନାୟକ ରହିଥିଲି। ଆଗାମୀ ଦିନରେ ରାଜନୀତିରେ ପ୍ରବେଶ କରିବି ଓ ସେ କ୍ଷେତ୍ରରେ ମଧ୍ୟ ନିଜକୁ ଇମ୍ରାନଙ୍କ ଗୁରୁ ବୋଲି ସାବ୍ୟସ୍ତ କରିବି ବୋଲି ମିଆଁଦାଦ୍ କହିଛନ୍ତି। ଏଥିସହ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ବନାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ମଧ୍ୟ ଏହି ପୂର୍ବତନ କ୍ରିକେଟର୍ ଦାବି କରନ୍ତି। ସେହିପରି ଇମ୍ରାନ୍ ପାକିସ୍ତାନକୁ ଉପଯୁକ୍ତ ଦିଗରେ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଥିସହ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ରେ ଇମ୍ରାନଙ୍କ ଭୂମିକା ଉପରେ ମଧ୍ୟ ମିଆଁଦାଦ୍ ପ୍ରଶ୍ନଚିହ୍ନ ଲଗାଇଛନ୍ତି। ସେହିପରି ପାକିସ୍ତାନ କ୍ରିକେଟ୍ ଟିମକୁ ପରିଚାଳନା କରିବାର କ୍ଷମତା ପାକିସ୍ତାନୀଙ୍କଠାରେ ରହିଛି। ତେଣୁ ପିସିବି କଦାପି ବିଦେଶୀ କୋଚ୍ କିମ୍ବା ଅନ୍ୟାନ୍ୟ ସପୋର୍ଟ ଷ୍ଟାଫଙ୍କୁ ନିଜ ଦେଶର କ୍ରିକେଟ୍ ଟିମ୍ ସହ ନ ଯୋଡ଼ିବାକୁ ମିଆଁଦାଦ୍ ପରାମର୍ଶ ଦେଇଛନ୍ତି। ସେହିପରି ୧୯୯୨ ବିଶ୍ବ ଚାମ୍ପିଅନ୍ ପାକିସ୍ତାନ ଟିମର ସଦସ୍ୟ ଥିବା ମିଆଁଦାଦ୍ ପୂର୍ବତନ ଅଧିନାୟକ ସର୍ଫରାଜ ଅହମଦଙ୍କ ଦକ୍ଷତାକୁ ସଠିକ୍ ଭାବେ ଉପଯୋଗ କରାଯାଇପାରି ନ ଥିବା ମିଆଁଦାଦ୍ ଅଭିଯୋଗ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ