ଜମ୍ମୁ-କଶ୍ମୀରରେ ପଦ୍ମ ରକ୍ତିମ: ମାସେ ଭିତରେ ମଲେଣି ୫ ନେତା, ସୁରକ୍ଷା ଉପରେ ଜୋର୍


ଆତତାୟୀ ଗୁଳିରେ ନିହତ ଜମ୍ମୁ-କଶ୍ମୀରର ବିଜେପି ନେତା ସଜାଦ ଅହମ୍ମଦ ଖାଣ୍ଡେ, ୱାସିମ୍ ବାରି ଓ ଅବଦୁଲ୍ ହମିଦ୍ ନଜର
ନୂଆଦିଲ୍ଲୀ: ନିକଟରେ ଜମ୍ମୁ-କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେବା ନିଷ୍ପତ୍ତିକୁ ବର୍ଷେ ପୂରିଛି। ଗତ ବର୍ଷ ଅଗଷ୍ଟ ୫ ତାରିଖରେ ସମ୍ବିଧାନରୁ ଧାରା ୩୭୦କୁ ଉଚ୍ଛେଦ କରିଦେବା ପରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ଶାନ୍ତି ଓ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ କାଏମ ରଖିବା ସକାଶେ ଭରପୂର ଉଦ୍ୟମ କରିଆସିଛନ୍ତି। କିନ୍ତୁ ଏବେ ଜମ୍ମୁ-କଶ୍ମୀରରେ ନିଜେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ନେତାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଗତ ମାସକ ଭିତରେ ଏଠାରେ ୬ ଜଣ ନେତାଙ୍କୁ ଆକ୍ରମଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଜୀବନ ଯାଇସାରିଛି। ଉପତ୍ୟକାରେ ବିଜେପି ନେତାମାନେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ହୋଇପଡ଼ିଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଉପରେ ଗୁରୁତ୍ବାରୋପ କରାଯାଇଛି। ବିଶେଷକରି ବଡଗାମଠାରେ ଅବଦୁଲ୍ ହମିଦ୍ ନଜରଙ୍କୁ ଆତତାୟୀମାନେ ଗୁଳି କରି ମାରିଦେବା ପରେ ସ୍ଥାନୀୟ ବିଜେପି ଶାଖା ପକ୍ଷରୁ ପୋଲିସ୍ ନିକଟରେ ନେତା ଓ କର୍ମୀମାନଙ୍କୁ ସୁରକ୍ଷା ଯୋଗାଇଦେବା ଉପରେ ଜୋର୍ ଦିଆଯାଇଥିଲା।

ଏ ସଂକ୍ରାନ୍ତରେ ବିଜେପି ମୁଖପାତ୍ର ଅଲତାଫ୍ ଠାକୁର କହିଛନ୍ତି ଯେ ବର୍ତ୍ତମାନ ସମୟରେ ଜମ୍ମୁ-କଶ୍ମୀରରେ ଯେପରି ଭାବେ ବିଜେପି ନେତାମାନଙ୍କୁ ଟାର୍ଗେଟ୍ କରାଯାଉଛି, ସେପରି ସ୍ଥିତିରେ ଆମ ଦଳର ନେତା ଓ କର୍ମୀମାନଙ୍କୁ ପୋଲିସ୍ ସୁରକ୍ଷା ଯୋଗାଇଦେବା ନିହାତି ଜରୁରୀ ହୋଇପଡ଼ିଛି। ବିଶେଷକରି ବର୍ତ୍ତମାନ ସମୟରେ ସ୍ଥାନୀୟ ପୋଲିସ୍ ଜିଲ୍ଲା ମୁଖ୍ୟାଳୟରେ ୫୦ରୁ ୬୦ ବିଜେପି କର୍ମୀଙ୍କୁ ସୁରକ୍ଷିତ ଭାବେ ରଖିବାର ଆବଶ୍ୟକତା ରହିଛି। ସେମାନଙ୍କୁ ସେଠାରେ ସମସ୍ତ ପ୍ରକାର ସୁବିଧା ସହ ଖାଦ୍ୟ ପଦାର୍ଥ ଯୋଗାଇ ଦେବାକୁ ଠାକୁର କହିଛନ୍ତି। ସେହିପରି ସ୍ଥାନୀୟ ବିଜେପି ନେତା ସୋଫି ୟୁସୁଫ୍ କହିଛନ୍ତି ଯେ ବିଜେପି ନେତା ଓ କର୍ମୀମାନଙ୍କୁ ସୁରକ୍ଷା ଦେବାରେ ଜମ୍ମୁ-କଶ୍ମୀର ପୋଲିସ୍ ବ୍ୟାପକ ଅବହେଳା କରୁଛି। ତେଣୁ ବର୍ତ୍ତମାନ ସମୟରେ ଯେଉଁ ନେତାମାନଙ୍କ ଜୀବନ ପ୍ରତି ବିପଦ ରହିଛି, ସେମାନଙ୍କୁ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବାକୁ ୟୁସୁଫ୍ ଦାବି କରିଛନ୍ତି। ଗତ ମାସକ ମଧ୍ୟରେ ଏଠାରେ ଯେଉଁସବୁ ନେତାମାନଙ୍କୁ ଆକ୍ରମଣ କରାଯାଇଛି, ସେମାନେ ପଞ୍ଚାୟତ ସ୍ତରର ରାଜନୀତି ସହ ଜଡ଼ିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚାୟତକୁ ସଶକ୍ତ କରିବା ଉପରେ ଗୁରୁତ୍ବାରୋପ କରିଆସିଥିବା ବେଳେ ଏହି ସ୍ତରର ନେତାମାନଙ୍କୁ ହତ୍ୟା କରାଯାଉଥିବାରୁ ବିଜେପି ବିରୋଧରେ ଷଡ଼ଯନ୍ତ୍ର ହେଉଥିବା ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ନେତା ଅନୀଲ ଗୁପ୍ତା କହିଛନ୍ତି। ସେ କହିବାନୁସାରେ, କେନ୍ଦ୍ର ସରକାର ପଞ୍ଚାୟତ ରାଜନୀତି ଉପରେ ଗୁରୁତ୍ବ ଦେଉଥିଲେ ହେଁ ତୃଣମୂଳ ସ୍ତରରେ ବିକାଶକୁ ବିରୋଧ କରୁଥିବା ବ୍ୟକ୍ତିବିଶେଷ ବିଜେପି ନେତାମାନଙ୍କୁ ଟାର୍ଗେଟ୍ କରୁଛନ୍ତି।

ସେହିପରି ମାଜିଦ୍ ହାଇଦରୀ ନାମକ ଜଣେ ରାଜନୈତିକ ସମୀକ୍ଷକ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ସରକାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇବାରେ ବିଫଳ ହୋଇଛି। ତା’ଛଡ଼ା ଧାରା ୩୭୦ ହଟାଯିବା ପରେ ଜମ୍ମୁ-କଶ୍ମୀରରେ ହିନ୍ଦୁତ୍ବ ଏଜେଣ୍ଡାକୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଗୁରୁତ୍ବ ଦେଉଛି ବୋଲି ଏକ ଧାରଣା ମଧ୍ୟ ସୃଷ୍ଟି ହୋଇଛି। ତେଣୁ ଏହି ଧାରଣା ବହନ କରୁଥିବା ବ୍ୟକ୍ତିବିଶେଷମାନେ ସ୍ଥାନୀୟ ଅଞ୍ଚଳର ବିଜେପି ନେତା ଓ କର୍ମୀଙ୍କୁ ଟାର୍ଗେଟ୍ କରୁଥାଇପାରନ୍ତି ବୋଲି ହାଇଦରୀ କହିଛନ୍ତି। ଜମ୍ମୁ-କଶ୍ମୀର ଅପନୀ ପାର୍ଟିର ନେତା ଗୁଲାମ ହସନ୍ ମୀର୍ ନେତା ବା କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ହିଂସାକାଣ୍ଡ କୌଣସି ସମସ୍ୟାର ସ୍ଥାୟୀ ସମାଧାନ ଆଦୌ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆପୋଷ ଆଲୋଚନା ମଧ୍ୟରେ ନିଜର ଦାବି ହାସଲ କରିବା ଯଥାର୍ଥ। ହିଂସାକାଣ୍ଡ ଆଦୌ ଗ୍ରହଣୀୟ ନୁହେଁ। ଏପରି ନେତା ଓ କର୍ମୀମାନଙ୍କୁ ହତ୍ୟା କରିବା ନିହାତି ପରିତାପର ବିଷୟ ବୋଲି ମୀର୍ କହିଛନ୍ତି।

ଲଗାତର ଆକ୍ରମଣ ଘଟଣା ଘଟିଚାଲିଥିବାରୁ ଜମ୍ମୁ-କଶ୍ମୀରରେ ବିଜେପିର ବିଭିନ୍ନ ଦାୟିତ୍ବରେ ଥିବା ନେତାମାନେ କ୍ରମଶଃ ଇସ୍ତଫା ଦେବା ଆରମ୍ଭ କରିଦେଇଛନ୍ତି। ଅନେକ ନେତା ନିଜର ଇସ୍ତଫାପତ୍ରକୁ ସୋସାଲ୍ ମିଡିଆରେ ମଧ୍ୟ ଭାଇରାଲ୍ କରିଛନ୍ତି। ଜଣକ ପରେ ଜଣେ ନେତାଙ୍କ ଉପରେ ଆକ୍ରମଣ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ବିଜେପି ନେତା ଓ କର୍ମୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗତ କିଛି ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ୧୭ରୁ ଅଧିକ ନେତା ଇସ୍ତଫାପତ୍ର ଦେଇସାରିଛନ୍ତି। ସୂଚନାଯୋଗ୍ୟ ଯେ ଜମ୍ମୁ-କଶ୍ମୀରରେ ଗତ ମାସକ ମଧ୍ୟରେ ହୋଇଥିବା ଆକ୍ରମଣ ଘଟଣା ମଧ୍ୟରୁ ସଦ୍ୟତମ ଘଟଣାରେ ନଜର୍ ନିହତ ହୋଇଛନ୍ତି। ଏହି ଘଟଣାର ମାସେ ପୂର୍ବରୁ ବିଜେପି ନେତା ୱାସିମ୍ ବାରି, ତାଙ୍କ ପିତା ଓ ଭାଇଙ୍କୁ ବାନ୍ଦିପୋରାଠାରେ ମଧ୍ୟ ଆତତାୟୀମାନେ ହତ୍ୟା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ