ଜାଣନ୍ତୁ ବାଇପୋଲାର ଡିଜଅର୍ଡରର କାରଣ, ଲକ୍ଷଣ ଓ ଉପଚାର


ବାରମ୍ବାର ଖବରରେ ଶୁଣିବାକୁ ମିଳୁଛି ଯେ ସୁଶାନ୍ତ ସିଂ ରାଜପୁତ ବାଇପୋଲାର ଡିଜଅର୍ଡରର ଶିକାର ଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହିତ ଜଡ଼ିତ ଯେତେ ସବୁ ସୂଚନା ସାମ୍ନାକୁ ଆସିଛି, ତାହା ଆଧାରରେ କହିବା ମୁସ୍କିଲ ଯେ ସୁଶାନ୍ତ ଏହି ବାଇପୋଲାର ଡିଜଅର୍ଡରର ଶିକାର ଥିଲେ ବୋଲି। ତେବେ ଚାଲନ୍ତୁ ଜାଣିବା ଏହି ବାଇପୋଲାର ଡିଜଅର୍ଡରର ଲକ୍ଷଣ ସମ୍ପର୍କରେ।

ବାଇପୋଲାର ଡିଜଅର୍ଡର କ’ଣ

ବାଇପୋଲାର ଡିଜଅର୍ଡର କ’ଣ ଓ ଏଥିରେ ପୀଡ଼ିତ ଲୋକଙ୍କଠାରେ କିଭଳି ଲକ୍ଷଣ ଦେଖିବାକୁ ମିଳିଥାଏ ଏ ସମ୍ପର୍କରେ ବିସ୍ତାରରେ କହିଛନ୍ତି କ୍ଲିନିକାଲ ସାଇକୋଲୋଜିଷ୍ଟ ଡୋନା ସିଂ। ସେ କହିଛନ୍ତି ଯେ ବାଇପୋଲାର ଡିଜଅର୍ଡର ଗୋଟିଏ ରୋଗ ନୁହେଁ, ବରଂ ଦୁଇଟି ଅଲଗା ଅଲଗା ରୋଗର ମିଳିତ ରୂପ। ଏହି ଡିଜଅର୍ଡରରେ ରୋଗୀଙ୍କ ଡିପ୍ରେସନ ଓ ମୋନିଆ ଦୁଇଟିଯାକ ରୂପ ଦେଖାଯାଇଥାଏ। ଯେଉଁ ବ୍ୟକ୍ତିଙ୍କଠାରେ ଏହି ଦୁଇଟି ମାନସିକ ରୋଗର ଲକ୍ଷଣ ଦେଖାଯାଇଥାଏ, ତାଙ୍କୁ ବାଇପୋଲାର ଡିଜଅର୍ଡର ରୋଗୀ ବୋଲି କୁହାଯାଇଥାଏ।

ମୋନିଆ ଓ ଡିପ୍ରେସନ ମଧ୍ୟରେ ପ୍ରଭେଦ
ଡା. ସିଂ କହିଛନ୍ତି ଯେ ଏହି ରୋଗର ବିଶେଷତ୍ବ ହେଉଛି ଦୁଇଟିଯାକ ରୋଗ ପରସ୍ପରର ପୂରା ବିପରୀତ। ମୋନିଆ ଏଭଳି ଏକ ମାନସିକ ସମସ୍ୟା ଯେଉଁଥିରେ ବ୍ୟକ୍ତି ବଡ଼ ବଡ଼ କଥା କହିଥାନ୍ତି। ନିଜକୁ କୌଣସି ରାଜା ଠାରୁ କମ୍ ଭାବନ୍ତି ନାହିଁ। ସାରା ଦୁନିଆ ଯେମିତି ତାଙ୍କ ହାତମୁଠାରେ ରହିଛି, ଏଭଳି ଭାବନା ସବୁବେଳେ ତାଙ୍କ ମନରେ ଆସିଥାଏ। ଏହାର ଠିକ ବିପରୀତ ହେଉଛି ଡିପ୍ରେସନ। ଏଥିରେ ପୀଡ଼ିତ ରୋଗୀଙ୍କ ଠାରେ ସବୁବେଳେ ନିରାଶା ଭାବ ଦେଖାଯାଇଥାଏ। ସେ ସବୁବେଳେ ଭାବନ୍ତି ଏହି ଦୁନିଆରେ ତାଙ୍କ ପାଇଁ ଆଉ କିଛି ବଞ୍ଚିକି ନାହିଁ। ସେ ପୂରାପୂରି ଏକୁଟିଆ ଓ ଅସହାୟ ହୋଇଯାଇଛନ୍ତି। ବାଇପୋଲାର ଡିଜଅର୍ଡର ରୋଗୀଙ୍କଠାରେ ମୋନିଆ ଓ ଡିପ୍ରେସନ୍ ପର୍ଯ୍ୟାୟ ମଧ୍ୟରେ ଅତିକମରେ ଦୁଇ ମାସର ଅନ୍ତର ରହିଥାଏ। ଅର୍ଥାତ୍ ଏ ଦୁଇଟି ରୋଗର ଲକ୍ଷଣ କୌଣସି ବ୍ୟକ୍ତିଙ୍କଠାରେ ଏକସଙ୍ଗେ ଦେଖାଯାଇ ନ ଥାଏ। କେତେବେଳେ ମୋନିଆ ପର୍ଯ୍ୟାୟ ଚାଲିଥାଏ ତ ଆଉ କେତେବେଳେ ଡିପ୍ରେସନ ପର୍ଯ୍ୟାୟ ଚାଲିଥାଏ। କିନ୍ତୁ ଯେତେବେଳେ ଗୋଟିଏ ରୋଗ ଅଧିକ ପ୍ରାଧାନ୍ୟ ବିସ୍ତାର କରିଥାଏ, ସେତେବେଳେ ଅନ୍ୟ ରୋଗ ବିଲକୁଲ ନଜର ଆସି ନ ଥାଏ। ଦୁଇଟି ଏକଦମ ବିପରୀତ ଲକ୍ଷଣ ରୋଗ ଗୋଟିଏ ସମୟରେ ହେବା କାରଣରୁ ଏହି ରୋଗକୁ ବାଇପୋଲାର ଡିଜଅର୍ଡର କୁହାଯାଏ।

ମୋନିଆ ପୀଡ଼ିତ ହେଲେ କମ୍ ନିଦ ଆସିବା, ହାଇ ଏନର୍ଜି ଅନୁଭବ କରିବା, ରେଷ୍ଟଲେସ୍ ରହିବା, ମୁଡ୍ ହାଇ ରହିବା, ବଡ଼ ବଡ଼ କଥା କହିବା, ଅନ୍ୟ ଲୋକମାନଙ୍କ ତୁଳନାରେ ନିଜକୁ ସୁପରିଅର ଦେଖିବା ଆଦି ମୋନିଆର ଲକ୍ଷଣ। ଏହାବ୍ୟତୀତ ଅତିରିକ୍ତ ଖର୍ଚ୍ଚ କରିବା, ବହୁତ ଅଧିକ ବୁଲାବୁଲି କରିବା, ଯେଉଁ ଲୋକମାନଙ୍କ ସହିତ କେବେ ବି ସାକ୍ଷାତ କରି ନ ଥାନ୍ତି, ସେମାନଙ୍କୁ ସାକ୍ଷାତ କରିବା, ଯେଉଁମାନଙ୍କ ସହିତ କଥା ହେଉ ନ ଥିବେ, ତାଙ୍କ ସହ କଥା ହେବା, ବେକାର କଥା ହେବା ଏବଂ ଅତ୍ୟଧିକ ରାଗ ଆସିବା ମଧ୍ୟ ଦେଖିବାକୁ ମିଳିଥାଏ।

ଚିକିତ୍ସା ସମ୍ଭବ, ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ନୁହେଁ
ବାଇପୋଲାର ଡିଜଅର୍ଡର ସମୟରେ ହେଉଥିବା ଦୁଇଟିଯାକ ମାନସିକ ରୋଗର ଚିକିତ୍ସା ସମ୍ଭବ କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟସାଧ୍ୟ ନୁହେଁ। ଯେମିତି ମଧୁମେହ ଓ ରକ୍ତଚାପକୁ ଔଷଧ ଦ୍ବାରା ନିୟନ୍ତ୍ରଣରେ ରଖାଯାଇପାରେ କିନ୍ତୁ ଏହା ସମ୍ପୂର୍ଣ୍ଣ ଠିକ ହୋଇପାରି ନ ଥାଏ, ଠିକ ସେହିଭଳି ଔଷଧ ଦ୍ବାରା ବାଇପୋଲାର ଡିଜଅର୍ଡରକୁ ନିୟନ୍ତ୍ରଣରେ ରଖାଯାଇପାରେ। ଯାହାଫଳରେ ଏହାଦ୍ବାରା ହେଉଥିବା ଶାରୀରିକ ଓ ମାନସିକ କ୍ଷତିକୁ କମ୍ କରାଯାଇପାରିବ। ଏହି ରୋଗ ପାଇଁ ସାରା ଜୀବନ ମଧ୍ୟ ଔଷଧ ଖାଇବାକୁ ପଡ଼ିବ ନାହିଁ ଯଦି ସଠିକ ସମୟରେ ଡାକ୍ତରଙ୍କ ପରାମର୍ଶ ଲୋଡ଼ାଯାଏ। ଏପରିକି ସ୍ଥିତି ନିୟନ୍ତ୍ରଣ ହେବା ପରେ ଔଷଧ ବନ୍ଦ ମଧ୍ୟ କରିପାରିବେ।

ହୋଇପାରେ ଏହି ସମସ୍ୟା
ବାଇପୋଲାର ଡିଜଅର୍ଡରରେ ପୀଡ଼ିତ ବ୍ୟକ୍ତିଙ୍କ ଜୀବନରେ ପାରିବାରିକ, ବ୍ୟକ୍ତିଗତ, ସାମାଜିକ ଆଦି ସମସ୍ୟା ଆସିପାରେ। ଅନେକ ସମୟରେ ବ୍ୟକ୍ତି ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ୟ ନେଇପାରେ। ଏଥିସହିତ ଖରାପ ସଙ୍ଗତରେ ପଡ଼ିବା, ନିଶା କରିବା, ସେକ୍ସୁଆଲି ଅଧିକ ଆକ୍ଟିଭ୍ ହେବା, ନିଜ ସୁରକ୍ଷାର ଧ୍ୟାନ ନ ଦେବା, ସମସ୍ତ ସଞ୍ଚୟ ଅଚାନକ ଖର୍ଚ୍ଚ କରିବା ଭଳି କାମ କରିଥାନ୍ତି। କିନ୍ତୁ ଉପଯୁକ୍ତ ଚିକିତ୍ସା ଦ୍ବାରା ଏହି ସମସ୍ୟାରୁ ରକ୍ଷା ମିଳିପାରିବ। ବିଶେଷକରି ପରିବାର ଲୋକଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ