ପ୍ରେମର ପ୍ରତୀକ ହେଉଛି ଭାରତର ଏସବୁ ଐତିହାସିକ ସ୍ମାରକୀ


ସ୍ମାରକୀ ସବୁବେଳେ ଐତିହାସିକ ମହତ୍ତ୍ବକୁ ମନେପକାଇଥାଏ। ପ୍ରେମର ପ୍ରତୀକ ଭାବେ ନିର୍ମାଣ କରାଯାଇଥିବା ଏହି ସ୍ମାରକୀ ମଧ୍ୟରେ କେତେକ ମହଲ ମଧ୍ୟ ରହିଛି। ଏବେ ବି ଏହି ସ୍ମାରକୀଗୁଡ଼ିକୁ ପ୍ରେମର ପ୍ରତୀକ ଭାବେ ସଜାଇ ରଖାଯାଇଛି। ପ୍ରେମ, ବଳିଦାନ ଓ କର୍ତ୍ତବ୍ୟର କେତେକ ମହାକାବ୍ୟ ଓ କାହାଣୀର ସାକ୍ଷୀ ଏହି ଐତିହାସିକ ସ୍ମାରକୀ ପ୍ରତ୍ୟେକ ପିଢ଼ିକୁ ନିଜ ପ୍ରେମର ଗାଥା ଶୁଣାଉଛି। ଏହା କେତେକ ଦୁଃଖଦ ଓ ଶାଶ୍ବତ ପ୍ରେମର ମୁକସାକ୍ଷୀ। ପ୍ରାଚୀନ ସମୟରେ ବାସ୍ତୁକଳା ଓ ଶିଳ୍ପଶୈଳୀରେ ନିର୍ମିତ ଏହି ଐତିହାସିକ ସ୍ମାରକୀର ସୌନ୍ଦର୍ଯ୍ୟ ମନକୁ ଖୁସି କରି ଦେଇଥାଏ।

ତାଜମହଲ, ଆଗ୍ରା
ପୂରା ବିଶ୍ବରେ ତାଜମହଲ ଠାରୁ ଅଧିକ ଭବ୍ୟ ପ୍ରେମର ପ୍ରତୀକ ଆଉ କିଛି ନାହିଁ ବୋଲି କୁହାଯାଏ। ଧଳା ମାର୍ବଲରେ ନିର୍ମିତ ତାଜମହଲକୁ ମୋଗଲ ସମ୍ରାଟ ଶାହଜହାନ ୧୬୩୧ ଓ ୧୬୪୮ ମଧ୍ୟରେ ନିଜ ପତ୍ନୀ ମୁମତାଜଙ୍କ ପ୍ରେମରେ ଏକ ସମାଧି ଭାବେ ନିର୍ମାଣ କରିଥିଲେ। ପ୍ରସବ ସମୟରେ ମୁମତାଜଙ୍କ ମୃତ୍ୟୁ ହୋଇଥିଲା। ମୁମତାଜଙ୍କ ସମାଧି ନିକଟରେ ଶାହଜହାନଙ୍କୁ ମଧ୍ୟ କବର ଦିଆଯାଇଥିଲା। ପ୍ରେମର ପ୍ରତୀକ ଏହି ତାଜମହଲ ବିଶ୍ବର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସାମିଲ ରହିଛି।

ଚିତ୍ତୋରଗଡ଼ ଦୁର୍ଗ, ଉଦୟପୁର

୭ମ ଶତାବ୍ଦୀରେ ନିର୍ମିତ ଚିତ୍ତୋରଗଡ଼ ଦୁର୍ଗ କେବଳ ଭାରତର ସବୁଠାରୁ ବଡ଼ ଦୁର୍ଗ ନୁହେଁ, ବରଂ ୟୁନେସ୍କୋର ହେରିଟଜ୍ ସାଇଟରେ ସାମିଲ୍ ହୋଇଛି। ଏହି ସ୍ମାରକୀର ମୁଖ୍ୟ ଆକର୍ଷଣ ହେଉଛି ତିନି ମହଲା ବିଶିଷ୍ଟ ରାଣୀ ପଦ୍ମାବତୀଙ୍କ ମହଲ, ଯାହା କମଲ କୁଣ୍ଡ ନିକଟରେ ନିର୍ମିତ ହୋଇଛି। ଏହି ଦୁର୍ଗର ବାସ୍ତୁକଳା ଓ ଶିଳ୍ପକଳା ପର୍ଯ୍ୟଟକଙ୍କୁ ଆଚମ୍ବିତ କରିଥାଏ। ଏହି ଦୁର୍ଗରେ ଥିବା ଜୈନ ମନ୍ଦିର, ସୁସଜ୍ଜିତ ସ୍ତମ୍ଭ, ଜଳାଶୟ, ବାସ୍ତୁଶିଳ୍ପ ଆଦି ପର୍ଯ୍ୟଟକଙ୍କ ମନକୁ ଛୁଇଁ ଯାଇଥାଏ। ଚିତ୍ତୋରଗଡ଼ ଦୁର୍ଗ ରାଣୀ ପଦ୍ମିନୀ ଓ ରାଜା ରତନ ରାଲ ସିଂଙ୍କ ପ୍ରେମର ପ୍ରତୀକ। ଏଠାକୁ ଯାଇ ଆପଣ ଦୁର୍ଗର ଭବ୍ୟତା ଓ ଇତିହାସକୁ ଦେଖିପାରିବେ।

ଋୂପମତି ମଣ୍ଡପ, ମଧ୍ୟ ପ୍ରଦେଶ

ଏକ ସୁରମ୍ୟ ମାଳଭୂମିରେ ଅବସ୍ଥିତ ରୂପମତୀ ମଣ୍ଡପ ଐତିହାସିକ ବାସ୍ତୁକଳା ପାଇଁ ଲୋକପ୍ରିୟ। ୩୬୬ ମିଟର ଉଚ୍ଚରେ ନିର୍ମିତ ଏହି ମଣ୍ଡପର ଆକର୍ଷଣୀୟ ବାସ୍ତୁଶିଳ୍ପ ପର୍ଯ୍ୟଟକଙ୍କ ମନ ମୋହିଥାଏ। ରାଜକୁମାର ବାଜ ବହାଦୂର ଓ ରାଣୀ ରୂପମତିଙ୍କ ପ୍ରେମ କାହାଣୀ ପାଇଁ ମଧ୍ୟ ପ୍ରଦେଶର ମାଣ୍ଡୁ ବେଶ୍ ଲୋକପ୍ରିୟ। ମାଣ୍ଡୁର ଅନ୍ତିମ ସ୍ବତନ୍ତ୍ର ଶାସକ ସୁଲତାନ ବାଜ ବହାଦୂରଙ୍କୁ ମାଲାର ରାଣୀ ରୂପମତୀଙ୍କ ମଧୁର ସ୍ବର ଶୁଣି ପ୍ରେମ ହୋଇଯାଇଥିଲା। ସେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରୂପମତୀ ସର୍ତ୍ତ ରଖିଥିଲେ ଯଦି ରାଜା ଏପରି ଏକ ମହଲ ତିଆରି କରିପାରିବେ, ଯେଉଁଠୁ ସେ ନର୍ମଦା ନଦୀକୁ ଦେଖିପାରିବେ, ତେବେ ସେ ଏହି ବିବାହ ପ୍ରସ୍ତାବରେ ରାଜି ହେବେ। ଏହାପରେ ରାଜା ଏହି ରୂପମତୀ ମଣ୍ଡପ ନିର୍ମାଣ କରାଇଥିଲେ।

ମସ୍ତାନୀ ମହଲ, ଶନିୱାରୱାଡ଼ା ଦୁର୍ଗ, ମହାରାଷ୍ଟ୍ର
ବର୍ଷ ୧୭୩୦ରେ ପେଶୱା ବାଜିରାଓଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଶନିୱାରୱାଡ଼ା ଦୁର୍ଗ ଅନେକ ଐତିହାସିକ ଘଟଣାର ମୁକସାକ୍ଷୀ। ପୁଣେର ଗୌରବ ଓ ସମ୍ମାନ ଶନିୱାରୱାଡ଼ା ଦୁର୍ଗ ପ୍ରଥମ ବାଜିରାଓ ଓ ତାଙ୍କ ସୁନ୍ଦର ଦ୍ବିତୀୟ ପତ୍ନୀ ମସ୍ତାନୀଙ୍କ ମହଲ ଥିଲା। ପେଶୱା ବାଜିରାଓଙ୍କ ପରିବାର ସେମାନଙ୍କ ଧାର୍ମିକ ନିଷ୍ଠାରେ ଅନ୍ତର କାରଣରୁ ମସ୍ତାନୀଙ୍କୁ ଆଇନଗତ ଭାବେ ସ୍ବୀକାର କରିବାକୁ ମନା କରି ଦେଇଥିଲେ। ଏଥିପାଇଁ ବାଜିରାଓ ଶନିୱାରୱାଡ଼ାରେ ମସ୍ତାନୀ ମହଲ ନିର୍ମାଣ କରିଥିଲେ, ଯେଉଁଠି ସେମାନେ ଏକାଠି ରହୁଥିଲେ। ଯଦିଓ ମସ୍ତାନୀ ମହଲକୁ ନଷ୍ଟ କରି ଦିଆଯାଇଛି ଓ ଏହାର ଅସ୍ତିତ୍ବ ଏବେ ନାହିଁ। କିନ୍ତୁ ଏବେ ବି ଏହାର ଅବଶେଷ ଏଠାରେ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ