ବିବାହ ବନ୍ଧନରେ ବାନ୍ଧିହେଲେ ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ


ଦୁନିଆର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଜଣାଶୁଣା ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ତଥା ଦୁନିଆର ସବୁଠୁ କମ୍ ବୟସ୍କ ପ୍ରଧାନମନ୍ତ୍ରୀ ୩୪ ବର୍ଷୀୟା ସନା ମାରିନ ତାଙ୍କ ଦୀର୍ଘ ଦିନର ପାର୍ଟନର ଥିବା ମାର୍କସ ରାଇକୋନେନଙ୍କୁ ବିବାହ କରିଛନ୍ତି। ରାଇକୋନେନ ପୂର୍ବତନ ଫୁଟବଲ ଖେଳାଳି। ଉଭୟଙ୍କୁ ୧୮ ବର୍ଷ ହୋଇଥିବାବେଳେ ସେମାନେ ପରସ୍ପରଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ସେମାନଙ୍କର ଏକ ଅଢ଼େଇ ବର୍ଷର ଝିଅ ମଧ୍ୟ ଅଛି। ମାରିନ ନିଜ ବାହାଘରର ଆୟୋଜନ ଦେଶର ରାଜଧାନୀ ହେଲସିଙ୍କି ସ୍ଥିତ ନିଜ ସରକାରୀ ବାସଭବନରେ କରିଥିଲେ। ରିପୋର୍ଟ ମୁତାବକ କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଏହି ବିବାହ ସମାରୋହରେ କେବଳ ୪୦ ଜଣ ଅତିଥି ସାମିଲ୍ ହୋଇଥିଲେ। ଏମାନେ ସମସ୍ତେ ତାଙ୍କ ନିକଟତର ବନ୍ଧୁ ଓ ପରିବାରର ସଦସ୍ୟ ଥିଲେ।

ସନା ମାରିନ ଇନଷ୍ଟାଗ୍ରାମରେ ନିଜ ପତି ମାର୍କସଙ୍କ ସହିତ ଫଟୋ ମଧ୍ୟ ଶେୟାର କରିଛନ୍ତି। ଏକ ଫଟୋରେ ସେ କ୍ୟାପସନ୍ ଦେଇଛନ୍ତି ଯେ ଗତକାଲି ଆମେ ପରସ୍ପରଙ୍କୁ ହଁ କରିଲୁ। ମୁଁ ବହୁତ ଖୁସି ଓ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ ମୁ ଯାହାକୁ ପ୍ରେମ କରୁଛି, ସେହି ବ୍ୟକ୍ତି ସହିତ ଜୀବନ ବିତାଇବାର ସୁଯୋଗ ମିଳିଛି। ଆମେ ଦୁହେଁ ପରସ୍ପରଙ୍କ ସହିତ ବହୁତ କିଛି ଦେଖିଛୁ ଓ ଅନୁଭବ କରିଛୁ। ଖୁସି ଓ ଦୁଃଖ ସବୁକିଛି ବାଣ୍ଟିଛୁ। ଅସୁବିଧା ସମୟରେ ପରସ୍ପର ସାଥ୍ ଦେଇଛୁ ବୋଲି ମାରିନ ଲେଖିଛନ୍ତି। ମାରିନ ଆହୁରି ଲେଖିଛନ୍ତି ଯେ ଆମେ ସବୁବେଳେ ଏକାଠି ରହିଛୁ ଓ ଆମ ପ୍ରିୟ ଝିଅ ଆମ ସହିତ ବଡ଼ ହେଉଛି। ଦୁନିଆରେ ଯେତେ ସବୁ ଲୋକ ଅଛନ୍ତି ମାର୍କସ ତୁମେ ହିଁ ମୋ ପାଇଁ ଉପଯୁକ୍ତ ଓ ମୋର ହୋଇଯାଇଥିବାରୁ ଧନ୍ୟବାଦ ବୋଲି ସେ ଲେଖିଛନ୍ତି। ମାତ୍ର ଦୁଇ ଘଣ୍ଟା ଭିତରେ ମାରିନଙ୍କ ଏହି ଇନଷ୍ଟାଗ୍ରାମ୍ ପୋଷ୍ଟକୁ ପାଖପାଖି ୮୫,୦୦୦ ଲାଇକ୍ ମିଳିସାରିଥିବା ବେଳେ ଲକ୍ଷାଧିକ ଲୋକେ ତାଙ୍କୁ ଶୁଭକାମନା ଜଣାଇ ସାରିଛନ୍ତି।

ସାମାଜିକ କର୍ମୀରୁ ପ୍ରଧାନମନ୍ତ୍ରୀ
ପିଏମ୍ ମାରିନଙ୍କ ସ୍ଥାୟୀଘର ଟାମ୍ପରେରେ ରହିଛି। କିନ୍ତୁ କୋରୋନା ଭାଇରସ କାରଣରୁ ଏବେ ସେ ପ୍ରଧାନମନ୍ତ୍ରୀ ଆବାସରେ ରହୁଛନ୍ତି। ସନା ମାରିନ ପୂର୍ବରେ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଥିଲେ। ସେ ଜଣେ ସୋସାଲ ମିଡିଆ ୟୁଜର ଥିବା ସହିତ ପରିବେଶ ପ୍ରସଙ୍ଗକୁ ନେଇ ଜୋରଦାର ଓକିଲାତି କରନ୍ତି। ଗତ ବର୍ଷ ଡିସେମ୍ବର ମାସରେ ସେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ। ଦେଶର ଶାସନରେ ଥିବା ସୋସାଲ ଡେମୋକ୍ରାଟିକ ପାର୍ଟି କାଉନସିଲ ପ୍ରଧାନମନ୍ତ୍ରୀ ଏଣ୍ଟି ରିନିଙ୍କ ଇସ୍ତଫା ପରେ ତାଙ୍କୁ ଚୟନ କରିଥିଲେ। ସୋସଲ ଡେମୋକ୍ରାଟିକ ପାର୍ଟିର ସନା ମାରିନ ଡିସେମ୍ବର ୨୦୧୯ରେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିଲେ। ଫିନଲାଣ୍ଡ ସରକାରଙ୍କ ମୁଖ୍ୟ ହୋଇଥିବା କାରଣରୁ ସନା ୫ ଦଳିଆ ମେଣ୍ଟର ନେତୃତ୍ବ ନେଉଛନ୍ତି।

ପ୍ରଧାନମନ୍ତ୍ରୀ ଭାବେ ବିବାହ କରିଥିବା ପ୍ରଥମ ମହିଳା
ସନା ପ୍ରଧାନମନ୍ତ୍ରୀ ହେବା ପରେ ବିବାହ କରିଛନ୍ତି। ଏମିତି କରିବାରେ ହୁଏତ ସେ ବିଶ୍ବର ପ୍ରଥମ ମହିଳା, ଯିଏ ପ୍ରଧାନମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ରହିଥିବାବେଳେ ବିବାହ କରିଛନ୍ତି। ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ପ୍ରଧାନମନ୍ତ୍ରୀ ପଦରେ ଥିବାବେଳେ ପିଲା ଜନ୍ମ କରିଥିଲେ ଓ ନିଜ ବୟଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କରି ବିବାହ କରିବାକୁ ଘୋଷଣା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ