ଭାରତୀୟ ଯୁବବର୍ଗ ଏସବୁ ସମସ୍ୟାରୁ କେବେ ମୁକୁଳିବେ


ସାରା ବିଶ୍ବର ଯୁବବର୍ଗଙ୍କ ସମସ୍ୟା ଗୁଡ଼ିକୁ ଧ୍ୟାନରେ ରଖି ଜାତିସଂଘ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ଯୁବଦିବସର ପରିଳକ୍ପନା କରାଯାଇଥିଲା ଏବଂ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୨ରେ ବିଶ୍ବବ୍ୟାପୀ ଏହି ଦିବସ ପାଳନ କରାଯାଏ। ଆଜି ବି ସାରା ବିଶ୍ବରେ ଲିଙ୍ଗଗତ ଅସମାନତାକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସମସ୍ୟା ରହିଛି। ଅନେକ ପରିବାରରେ ପୁଅମାନଙ୍କ ତୁଳନାରେ ଝିଅମାନଙ୍କୁ ସମାନ ସମ୍ମାନ ଓ ଅଧିକାର ମିଳେନି। ସମାନତା ଓ ସ୍ବାଧୀନତା ପାଇଁ ଆଜି ମଧ୍ୟ ଝିଅମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ପରିବାରର ନିଷ୍ପତ୍ତି ନିର୍ଣ୍ଣୟ ପ୍ରକ୍ରିୟାରେ ସାମିଲ ହେବା ତ ବଡ଼କଥା ମାତ୍ର ନିଜ ଇଚ୍ଛାନୁସାରେ ହସିବା, ବସିବା, କଥା କହିବା, ପୋଷାକ ପିନ୍ଧିବା ଓ ବାହାରକୁ ବାହାରିବା ଉପରେ କଟକଣା ମାନ ରହିଛି। ଏଭଳିକି ଜୀବନସାଥୀଟିଏ ବାଛି ବାହାହେବା କ୍ଷେତ୍ରରେ ମଧ୍ୟ ତାହାର ପସନ୍ଦକୁ ଧ୍ୟାନ ଦିଆଯାଇ ନ ଥାଏ।

କ୍ୟାରିଅର ବାଛିବାରେ ସ୍ବାଧୀନତା
ଦେଶର ଅଧିକାଂଶ ଯୁବବର୍ଗ ଏଭଳି ସମସ୍ୟା ସହିତ ଯୋଡ଼ିହୋଇ ଥିବା ଦେଖାଯାଏ। ୧୮ ବର୍ଷ ବୟସରେ ପହଞ୍ଚିବାକ୍ଷଣି ମୁଣ୍ଡ ଉପରେ ଲଦି ଦିଆଯାଏ କ୍ୟାରିଅରର ବୋଝ। କଳା ପଢ଼ିବ ନା ବିଜ୍ଞାନ ପଢ଼ିବ, ପାଖରେ ପଢ଼ିବା ଦୂର ହଷ୍ଟେଲରେ ରହି ପଢ଼ିବ ସେଥିରେ ପିତାମାତା ଓ ସମ୍ପର୍କୀୟମାନେ ନିଷ୍ପତ୍ତି କରନ୍ତି। ପିଲାମାନଙ୍କ ରୁଚି କ’ଣ ଅଧିକାଂଶ ଅଭିଭାବକ ପଚାରନ୍ତି ନାହିଁ। ଡାକ୍ତରୀ, ଇଞ୍ଜିନିୟରିଂ ପଢ଼ିବା ପାଇଁ ନିଜର ଇଚ୍ଛାକୁଲଦି ଦିଅନ୍ତି ପିଲାଟି ଉପରେ।

ସୋସାଲ ମିଡିଆରେ ସ୍ବାଧୀନତା
ସାମ୍ପ୍ରତିକ ସମୟରେ ମିଡିଆକୁ ବାକ ସ୍ବାଧୀନତାର ସବୁଠୁ ବଡ଼ ମଞ୍ଚ ଭାବେ ଗଣାଯାଏ। କିନ୍ତୁ ଏଠାରେ ମଧ୍ୟ ସମାଜର ଠିକାଦାରମାନେ ପହରା ଦେଉଥିବା ଦେଖିବାକୁ ମିଳେ। ଆପଣ ଏଥିରେ ନିଜର ମତ, ପ୍ରତିକ୍ରିୟା, ମନ୍ତବ୍ୟ ଆଦି ଉପସ୍ଥାପନା କରିବା ମାତ୍ରେ ଲୋକେ ଆପଣଙ୍କୁ ଘେରିଯାଆନ୍ତି। ନକାରାତ୍ମକ ପ୍ରତିକ୍ରିୟାମାନ ଆସେ। ଯଦ୍ଦ୍ବାରା ଆପର ଏସବୁ ପୋଷ୍ଟ ବିଲୋପ ବା ଡିଲିଟ କରିବା ପାଇଁ ବାଧ୍ୟ ହୋଇଥାନ୍ତି। ପହରାଦାର ସାଜିଥିବା ଏହି ବ୍ୟକ୍ତିମାନେ ଆପଣଙ୍କୁ ବନ୍ଧୁ, ସହକର୍ମୀ ଓ ଆତ୍ମୀୟସ୍ବଜନ ହୋଇଥାଇପାରନ୍ତି।

ଚାପରୁ ମୁକ୍ତି

ବର୍ତ୍ତମାନର ଯୁବପିଢ଼ିଙ୍କ ସାମ୍ନାରେ ସବୁଠୁ ବଡ଼ ଆହ୍ବାନ ହେଲା ଚାପରୁ ମୁକ୍ତି। ସ୍କୁଲ କଲେଜର ବିଦ୍ୟାର୍ଥୀମାନଙ୍କ ଠାରୁ ଆରମ୍ଭ କରି କର୍ମଜୀବୀଙ୍କ ଯାଏ ସମସ୍ତେ ଚାପ ସହିତ ଜଡ଼ିତ। କାହାକୁ କ୍ୟାରିଅର ଚିନ୍ତା ତ କାହାକୁ ପରୀକ୍ଷା ଫଳକୁ ନେଇ ଉଦବେଗ।
୧୯୯୦ ଠାରୁ ଜାତିସଂଘର ଆହ୍ବାନକ୍ରମେ ପାଳିତ ହୋଇ ଆସୁଥିବା ଅନ୍ତରାଷ୍ଟ୍ରୀୟ ଯୁବଦିବସ ଯୁବଶକ୍ତିର ବିକାଶ ସହିତ ଯୁବଶକ୍ତିକୁ ବିଶ୍ବ ସମସ୍ୟାର ସମାଧାନ ଦିଗରେ କିଭଳି ବିନିଯୋଗ କରିହେବ, ସେ ଥିମ ନେଇ ଚଳିତ ୨୦୨୦ ଯୁବଦିବସ ପାଳିତ ହେଉଛି। ୧୫ରୁ ୨୪ ବର୍ଷ ବୟସର ପ୍ରତିନିଧିତ୍ବ କରୁଥିବା ବର୍ଗଙ୍କୁ ଯୁବବର୍ଗ ଭାବେ ପରିଭାଷିତ କରାଯାଇଛି।

କିପରି ହେଲା ଏହି ଦିନର ସ୍‌ଷ୍ଟି
ଯୁବବର୍ଗଙ୍କ ଉପରେ ବିଶ୍ବର ଭବିଷ୍ୟତ ନିର୍ଭର କରିଥାଏ। ଯେଉଁମାନେ କି ବିକାଶକୁ ଆଗକୁ ନେଇଥାନ୍ତି। ଜାତିସଂଘ ୧୭ ଡିସେମ୍ବର ୧୯୯୯ରେ ଏଭଳି ଏକ ଦିବସ ପାଳନ ପାଇଁ ପ୍ରସ୍ତାବ ଆହ୍ବାନ କରିଥିଲା। ୫୪ ଦେଶରୁ ୧୨୦ ପ୍ରସ୍ତାବ ଆଗତ ହୋଇଥିଲା। ପ୍ରଥମ ଥର ପାଇଁ ୨୦୦୦ ମସିହାରେ ଏହି ଦିବସ ପାଳିତ ହେଲା।

ଯୁବବର୍ଗଙ୍କ ଦେଶ ଭାରତ
ସାରା ବିଶ୍ବରେ ଭାରତକୁ ଯୁବବର୍ଗଙ୍କ ଦେଶ କୁହାଯାଇଥାଏ। ଦେଶରେ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ୬୫ କୋଟି ରହିଛନ୍ତି। ମାନବସମ୍ବଳରେ ଅଗ୍ରଣୀ ଥିବା ଭାରତ ଯୁବ ସଂଖ୍ୟାରେ ବି ଅଧିକ। ଦେଶର ବିକାଶ ପାଇଁ ନିର୍ମାଣ ପାଇଁ ଏବଂ ବିକଶିତ ରାଷ୍ଟ୍ର ସହିତ ଠିଆହେବା ପାଇଁ ମେହନତି ଏବଂ ମେଧାବୀ ଯୁବବର୍ଗର ଆବଶ୍ୟକତା ରହିଛି।

୨୦୨୦ ଥିମ: ୱିଥ ଏନଗେଜମେଣ୍ଟ ଫର ଗ୍ଲୋବାଲ ଆକ୍ସନ
ଚଳିତ ବର୍ଷ ଏହି ଦିବସ ପାଳନର ଥିମ ରହିଛି ଗ୍ଲୋବାଲ ଆକ୍ସନ ପାଇଁ ଯୁବବର୍ଗର ଯୋଗଦାନ। ସ୍ଥାନୀୟ, ଜାତୀୟ ତଥା ବିଶ୍ବ ସ୍ତରରେ ଯୁବକମାନଙ୍କ ଯୋଗଦାନ ଜାତୀୟ ତଥା ବହୁ ପକ୍ଷୀୟ ଅନୁଷ୍ଠାନ ଏବଂ ପ୍ରକ୍ରିୟାକୁ ସମ୍‌ଦ୍ଧ କରିଥାଏ। ଆନୁଷ୍ଠାନିକ ରାଜନୀତିରେ ସେମାନଙ୍କ ପ୍ରତିନିଧିତ୍ବ ଏବଂ ଯୋଗଦାନ କିଭଳି ବ୍‌ଦ୍ଧି କରାଯାଇ ପାରିବ, ତାକୁ ଦ୍‌ଷ୍ଟିରେ ରଖି ଏଭଳି ଦିବସ ଆୟୋଜନ କରାଯାଉଛି।

ଯୁବବର୍ଗଙ୍କୁ ଲୋଡ଼ୁଛି ବିଶ୍ବ
ସାରା ବିଶ୍ବରେ ବିଭିନ୍ନ ଦେଶରେ ସରକାରୀ ଅନୁଷ୍ଠାନ ଗୁଡ଼ିକ ଉପରେ ବିଶ୍ବାସ ହ୍ରାସ ପାଉଛି। ଅନ୍ତର୍ଜାତୀୟ ସ୍ତରରେ ଧ୍ରୁବୀକରଣ ଆଡ଼କୁ ବିଶ୍ବ ମୁହାଁଉଛି। ଅନ୍ତର୍ଜାତୀୟ ଶାସନ ବ୍ୟବସ୍ଥା ପ୍ରାସଙ୍ଗିକତାର ସଙ୍କଟ ଦେଇ ଗତିକରୁଛି। ବିଶେଷ ଭାବରେ ଏହି ସଙ୍କଟର ମୂଳୋତ୍ପାଟନ ତଥା ବିପଦର ସମାଧାନ ପାଇଁ ଅନ୍ତର୍ଜାତୀୟ ବ୍ୟବସ୍ଥାର କ୍ଷମତାକୁ ସୁଦ୍‌ଢ଼ କରିବାର ଆବଶ୍ୟକତା ରହିଛି। ସିରିଆ ଏବଂ ମିଆଁମାର ଭଳି ସମସାମୟିକ ଦ୍ବନ୍ଦ୍ବ ସହିତ ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ବାନ ଓ କରୋନା ମହାମାରୀର ଆହ୍ବାନ ସାଙ୍ଗକୁ ୨୦୩୦ ଜାତିସଂଘର କାର୍ଯ୍ୟସୂଚୀକୁ ବାସ୍ତବ ରୂପ ଦେବା ପାଇଁ ଆମ ପାଖରେ ଆଉ ୨୦ ବର୍ଷ ରହିଛି। ସମ୍ପ୍ରତି ବିଶ୍ବରେ ୧୫ରୁ ୨୪ ବର୍ଷ ବୟସର ୧.୨ ବିଲିଅନ ଯୁବକ ଯାହା ମୋଟ ଜନସଂଖ୍ୟାର ୧୬ ପ୍ରତିଶତ ଅଛନ୍ତି। ୨୦୩୦ ସୁଦ୍ଧା ଚିରନ୍ତନ ବିକାଶ ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଯୁବବର୍ଗଙ୍କ ପାଇଁ ଗୁଣାତ୍ମକ ଶିକ୍ଷା, ପସନ୍ଦ ଯୋଗ୍ୟ କାମ ଏବଂ ଆର୍ଥିକ ଉନ୍ନତି ତଥା ଯୁବବର୍ଗ ସମ୍ମୁଖୀନ ହେଉଥିବା ସମସ୍ୟା ସମାଧାନ କରାଗଲେ ବିକାଶ ଯାତ୍ରାରେ ବିଶ୍ବ ଆଗେଇ ଚାଲିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ