ଅମୃତ ଯୋଜନାର କାର୍ଯ୍ୟକାରିତାରେ ଦେଶରେ ଓଡ଼ିଶା ପୁଣି ଏକ ନମ୍ବର


ଅମୃତ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଓଡ଼ିଶା ପୁର୍ନବାର ଦେଶରେ ପ୍ରଥମ ସ୍ଥାନ ବଜାୟ ରଖିଛି । ପୂର୍ବରୁ ୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ରେ ଓଡ଼ିଶା ଜାତୀୟ ସ୍ତରରେ କ୍ରମାଗତ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାବେଳେ ଲଗାତାର ଦୁଇବର୍ଷ ଧରି ପ୍ରଥମ ସ୍ଥାନ ହାସଲ କରିଛି। ରାଜ୍ୟର ଏଭଳି ସଫଳତା ସଂକ୍ରାନ୍ତରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେବା ସହିତ ସଫଳତା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ ଗୁଡିକର କାର୍ଯ୍ୟ ଅଗ୍ରଗତିକୁ ନେଇ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ରାଙ୍କିଂରେ ଓଡ଼ିଶା ୮୫.୬୭ ପ୍ରତିଶତ ମାର୍କ ପାଇ ପ୍ରଥମ ସ୍ଥାନରେ ରହିଛି। ୨୦୧୫ ମସିହାରେ ଅମୃତ ଯୋଜନା ଆରମ୍ଭ ହୋଇଥିବାବେଳେ ଏହା ମାଧ୍ୟମରେ ୯ଟି ଅମୃତ ସହରରେ ଜଳ ଯୋଗାଣ, ବର୍ଜ୍ୟଜଳ ବିଶୋଧନ ପ୍ଲାଣ୍ଟ୍‌ ନିର୍ମାଣ ସହିତ ସବୁଜ ବଳୟ ସୃଷ୍ଟି କରାଯାଉଛି। ରାଜ୍ୟର କାର୍ଯ୍ୟକାରୀ ହେଉଥିବା ୧୯୧ ଟି ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୪୮ଟିର କାମ ସରିଥିବାବେଳେ ଅବଶିଷ୍ଟ ଗୁଡ଼ିକ ମାର୍ଚ୍ଚ ୨୦୨୧ ସୁଦ୍ଧା ସାରିବାର ଲକ୍ଷ୍ୟ ରହିଛି।

ସହରାଞ୍ଚଳରେ ଲୋକଙ୍କୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ କାର୍ଯ୍ୟ କରିଛି। ଓଡ଼ିଶାର ୯ଟି ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏଠାରେ ପାଇପ୍ ଯୋଗେ ଜଳଯୋଗାଣ ବ୍ୟବସ୍ଥା ନିଶ୍ଚିତ କରାଯାଇଛି। ଏହିସବୁ ସହରଗୁଡ଼ିକ ହେଉଛି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ୱର, ଭଦକ୍ର, ବ୍ରହ୍ମପୁର ଓ ପୁରୀ। ଏହିସବୁ ସହରଗୁନିକରେ ୨୪୦୦ କିଲୋମିଟରର ପାଇପ୍ ବିଛା ଓ ବଦଳ କାମ ସରିଥିବାବେଳେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଶତ ପ୍ରତିଶତ କାର୍ଯ୍ୟ ସମାପ୍ତ ହେବ। ୬ଟି ଜଳ ବିଶୋଧନ ପ୍ଲାଣ୍ଟ୍‌ ମଧ୍ୟରୁ ରାଉରକେଲା ଓ ଭୁବନେଶ୍ୱର ଠାରେ ଦୁଇଟି କାର୍ଯ୍ୟକାରୀ ହୋଇଛି। ୮୯ଟି ନୂତନ ସ୍ୱୟଂକ୍ରିୟ ଇଏସ୍‌ଆର୍‌ ଓ ଜିଏସ୍‌ଆର୍‌ ବ୍ୟବସ୍ଥାରେ ଜଳ ଗଚ୍ଛିତ ଓ ପରିାଚଳନା କାର୍ଯ୍ୟକୁ ଅଧିକ ତ୍ୱରନ୍ୱିତ କରାଯାଇ ପାରିଛି।

ବର୍ତ୍ତମାନ ସୁଦ୍ଧା ୯ଟି ଅମୃତ ସହର ବାହାରେ ଥିବା ସହରାଞ୍ଚଳର ଏକ ଲକ୍ଷ ୨୩ ହଜାର ପରିବାରକୁ ଜଳ ସଂଯୋଗ ଦିଆଯାଇପାରିଛି। ମୁଣ୍ଡୁଳି, ଭୁବନେଶ୍ୱର ଏବଂ ପୁରୀ ଠାରେ ସ୍ମାର୍ଟ ଜଳ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାବେଳେ ବ୍ରହ୍ମପୁର ଓ ବାରିପଦା ଠାରେ ପମ୍ପହାଉସ୍‌ରେ ସୌରଶକ୍ତି ଚାଳିତ ପମ୍ପ୍‌ ସ୍ଥାପନ ହୋଇଛି। ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ୱର, ବ୍ରହ୍ମପୁର ଏବଂ ପୁରୀ ଠାରେ ୮ଟି ସେପ୍ଟିକ ଟ୍ୟାଙ୍କ୍ କାର୍ଯ୍ୟକାରୀ ହୋଇଛି। ଭୁବନେଶ୍ୱରରେ ଗୋଟିଏ ବର୍ଜ୍ୟଜଳ ବିଶୋଧନ ପ୍ଲାଣ୍ଟ୍‌ କାର୍ଯ୍ୟକାରୀ ହୋଇଥିବାବେଳେ ସମ୍ବଲପୁର ଓ ରାଉରକେଲା ପ୍ରକଳ୍ପ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଜିମ୍‌, ଜଗିଙ୍ଗ ଟ୍ରେଲ୍‌ ଓ ପିଲାଙ୍କ ଖେଳଣା ସାମଗ୍ରୀ ଥାଇ ନିର୍ମାଣ ହେବାକୁ ଥିବା ୧୧୦ଟି ପାର୍କ ମଧ୍ୟରୁ ୮୫ଟି ସମ୍ପୂର୍ଣ୍ଣ ହୋଇଛି। ଅମୃତ ଯୋଜନାରେ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଯାଉଛି। ଥଇଥାନ କଲୋନୀଗୁଡ଼ିକରେ ଲୋକେ ବିଷାକ୍ତ ପାନୀୟଜଳ ସେବନରୁ ରକ୍ଷା ପାଇବା ସହିତ ସହରାଞ୍ଚଳରେ ଏକାଧିକ ଶିଶୁ ଅନୁକୂଳ ପାର୍କ ପ୍ରତିଷ୍ଠା ହୋଇପାରିଛି। ଅମୃତ ଯେଜାନା ଜରିଆରେ ରାଜ୍ୟ ସରକାର ସହରାଞ୍ଚଳରେ ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ସ୍ଥାୟୀ ଭିତ୍ତିଭୂମି ଯୋଗାଣ ଉପରେ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଜେନା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ