କୋରୋନାର କୌଣସି ରାମବାଣ ବାହାରି ନ ପାରେ: ହୁ


ସାରା ବିଶ୍ବରେ କୋରୋନା ଭାଇରସ ପାଇଁ ଅନେକ ଗୁଡ଼ିଏ ଟିକାର ଦ୍ବିତୀୟ ଓ ତୃତୀୟ ଚରଣ ଟ୍ରାଏଲ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏଥି ପାଇଁ କୌଣସି ଚିକିତ୍ସା ପଦ୍ଧତି ବାହାରି ପାରି ନାହିଁ। ଏସବୁ ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ଚେତାବନୀ ଜାରି କରି କହିଛି ଯେ କୋରୋନା ଭାଇରସ ସହିତ ଲଢ଼ିବା ପାଇଁ ରାମବାଣ ଔଷଧ ହୁଏତ କେବେ ବି ବାହାରି ନ ପାରେ। ‘ହୁ’ ର ନିର୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ସେ କହିଛନ୍ତି ଯେ ଅନେକଗୁଡ଼ିଏ ଟିକା ଏବେ ତୃତୀୟ ଚରଣ ଟ୍ରାଏଲରେ ପହଞ୍ଚିଛନ୍ତି। ଶୀଘ୍ର ଏହାର କୌଣସି ପ୍ରଭାବୀ ଟିକା ମିଳିଯିବ ବୋଲି ଆଶା କରାଯାଉଛି। ଯାହାଫଳରେ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରାଯାଇପାରିବ। ତେବେ ଏହାର ଏବେ କୌଣସି ରାମବାଣ ଚିକିତ୍ସା ମିଳିପାରି ନାହିଁ, ହୁଏତ କେବେ ବି ମିଳି ନ ପାରେ। କୋରୋନା ଭାଇରସ ପାଇଁ ହୁଏତ କୌଣସି ଟିକା ବାହାରି ନ ପାରେ କିମ୍ବା କିଛି ମାସ ପାଇଁ ଏହା କାମ କରିପାରେ ବୋଲି ଘେବ୍ରେୟେସସ ଆଶଙ୍କା ପ୍ରକାଶ କରିଛନ୍ତି। ଯେ ପର୍ଯ୍ୟନ୍ତ ଏହାର କ୍ଲିନିକାଲ ଟ୍ରାଏଲ ପୂରା ନ ହୋଇଛି ସେ ପର୍ଯ୍ୟନ୍ତ କିଛି କହିହେବ ନାହିଁ। ତେଣୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ହାତ ଧୋଇବା ଓ ଟେଷ୍ଟ କରିବା ଭଳି ଉପାୟ ଜାରି ରଖିବାକୁ ‘ହୁ’ର ପ୍ରମୁଖ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ମାସ୍କକୁ ସାରା ବିଶ୍ବରେ ଏକଜୁଟତାର ପ୍ରତୀକ କରିଦେବା ଉଚିତ ବୋଲି ସେ କହିଛନ୍ତି।

‘ହୁ’ର ଏମର୍ଜେନ୍ସି ପ୍ରମୁଖ ମାଇକ ରେୟାନ କହିଛନ୍ତି ଯେ ବ୍ରାଜିଲ ଓ ଭାରତ ଭଳି ଅଧିକ ସଂକ୍ରମଣ ମାମଲା ଥିବା ଦେଶକୁ କୋରୋନା ଭାଇରସ ବିରୋଧରେ ଏକ ଲମ୍ବା ଲଢ଼େଇ ଜାରି ରଖିବା ଦରକାର। ରାସ୍ତା ବହୁତ ଲମ୍ବା ଓ ଚେଷ୍ଟା ଜାରି ରଖିବା ଉଚିତ ବୋଲି ସେ କହିଛନ୍ତି। କେତେକ ଦେଶକୁ ଗୋଟିଏ ପାଦ ଆଗକୁ ବଢ଼ାଇବା ସହିତ ନିଜ ଦେଶ ଭିତରେ ଏହି ମହାମାରୀକୁ କିଭଳି ରୋକାଯାଇପାରିବ, ତାହା ଉପରେ ଧ୍ୟାନ ଦେବା ଉଚିତ ବୋଲି ରେୟାନ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ