ବିଶାଖାପାଟଣା ବନ୍ଦରରେ ଅଘଟଣ: କ୍ରେନ୍ ତଳେ ଚାଲିଗଲା ୧୧ ଜୀବନ


ବିଶାଖାପାଟଣା: ଶନିବାର ବିଶାଖାପାଟଣା ବନ୍ଦରରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଏଠାକାର ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ୍ (ଏସ୍ଏସ୍ଏଲ୍)ରେ କାର୍ଯ୍ୟ କରୁଥିବା ବେଳେ ଏକ ବିଶାଳକାୟ କ୍ରେନ୍ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ୧୧ ଜଣ କର୍ମଚାରୀଙ୍କ ଜୀବନ ଯାଇଛି। ଏହି ଘଟଣାରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଡିସିପି ସୁରେଶ ବାବୁ ଏନେଇ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣ ଏଚ୍ଏସ୍ଏଲର କର୍ମଚାରୀ ହୋଇଥିବା ବେଳେ ଅନ୍ୟମାନେ ଏକ ଠିକା ସଂସ୍ଥାର କର୍ମଚାରୀ ଥିଲେ ବୋଲି ଜିଲ୍ଲାପାଳ ବିନୟ ଚାନ୍ଦ କହିଛନ୍ତି। କ୍ରେନ୍ ତଳେ ଆହୁରି ଅଧିକ ଲୋକ ଚାପି ହୋଇ ରହିଥିବା ସନ୍ଦେହ ହେବାରୁ ତୁରନ୍ତ ଉଦ୍ଧାରକାରୀ ଦଳ ଅପରେସନ୍ ଆରମ୍ଭ କରିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୩ ଜଣ ଜଣ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇପାରିଛି।

ଏହା ଏକ ନୂଆ କ୍ରେନ୍ ଥିଲା ଓ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ ହେଉଥିବା ବେଳେ ଅଚାନକ ଏହା ତଳେ ଖସିପଡ଼ିଥିଲା ଓ ତଳେ ଥିବା କର୍ମଚାରୀମାନେ ଚାପି ହୋଇଯାଇଥିଲେ ବୋଲି ସ୍ଥାନୀୟ ପୋଲିସ୍ କମିଶନର୍ ଆରକେ ମୀନା କହିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଏଚ୍ଏସ୍ଏଲକୁ ନିର୍ଦେଶ ଦିଆଯିବା ସହ ସ୍ଥାନୀୟ ପ୍ରଶାସନର ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ତଦନ୍ତ କରିବ ବୋଲି ଜିଲ୍ଲାପାଳ ଚାନ୍ଦ କହିଛନ୍ତି। ସେହିପରି ଏହି ଅଘଟଣରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଶୋକ ପ୍ରକଟ କରିବା ସହ ବିଶାଖାପାଟଣା ଜିଲ୍ଲାପାଳ ତଥା ପୋଲିସ୍ କମିଶନରଙ୍କୁ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ଏହି ମାମଲାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ଆହତ ଜଣକର ଆଶୁ ଆରୋଗ୍ୟ ମଧ୍ୟ ଚୌହାନ୍ କାମନା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ