ଚିକିତ୍ସାଧୀନ ଅବସ୍ଥାରେ ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଦେହାନ୍ତ


ନୂଆଦିଲ୍ଲୀ: ଭାରତୀୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କର ଶନିବାର ଅପରାହ୍ନରେ ଦେହାନ୍ତ ହୋଇଯାଇଛି। ୬୪ ବର୍ଷୀୟ ଅମର ସିଂହ ପାଖାପାଖି ୧୦ ବର୍ଷ ହେଲା ଅସୁସ୍ଥ ରହିଆସିଥିବା ବେଳେ ଗତ ମାର୍ଚ୍ଚଠାରୁ ସିଙ୍ଗାପୁରସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କର ମୃତ୍ୟୁ ଖବର ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ତାଙ୍କର ପତ୍ନୀ ପଙ୍କଜା ଓ ଯାଁଳା ଝିଅ ଅଛନ୍ତି। ଗତ ୨୦୧୩ରେ ଦୁବାଇଠାରେ ଚିକିତ୍ସାଧୀନ ଥିବା ବେଳେ ଅମର ସିଂହଙ୍କ କିଡନୀ ଖରାପ ହୋଇଥିବା ଜଣାପଡ଼ିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଲଗାତର ଅସୁସ୍ଥତା ପରିପ୍ରେକ୍ଷୀରେ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହୋଇଯାଇଥିଲା। କିନ୍ତୁ ଏହାକୁ ଗୁଜବ ବୋଲି କହିବା ସହ ଅମର ସିଂହ ‘ଟାଇଗର୍ ଜିନ୍ଦା ହୈ’ ବୋଲି କହିଥିଲେ। ନିକଟରେ ଅମର ସିଂହ ଦ୍ବିତୀୟ ଥର ପାଇଁ କିଡନୀ ପ୍ରତିରୋପଣ ଉଦ୍ୟମ କରିଥିଲେ। ଅବଶ୍ୟ ଏହି ଅସ୍ତ୍ରୋପଚାର ସଫଳ ହୋଇଥିଲା ଓ ସେ କ୍ରମଶଃ ସୁସ୍ଥ ହୋଇଥିଲେ। କିନ୍ତୁ ତାଙ୍କ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗରେ ହୋଇଥିବା କଣା ଭରି ନ ଥିଲା ଓ ଶେଷରେ ସଂକ୍ରମଣ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ବେଳେ ତାଙ୍କୁ ଦିଲ୍ଲୀ ଅଣାଯିବାର ସମ୍ଭାବନା ରହିଛି।

ତାଙ୍କ ପରଲୋକ ଖବର ପାଇବା ପରେ ଭାରତୀୟ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କୈୟାନାଇଡୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ନେତା ଶାହନୱାଜ୍ ହୁସେନ୍, ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ରାଜନୈତିକ କ୍ଷେତ୍ରରେ ଅମର ସିଂହ ବେଶ୍ ଚର୍ଚ୍ଚିତ ନାମ ଥିଲେ। ୧୯୯୬ରେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୦୩ ଜୁନରେ ସେ ପୁଣିଥରେ ରାଜ୍ୟସଭାକୁ ଯାଇଥିଲେ। ସେ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ରହିବା ସହ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ଗତ ୨୦୧୦ ଜାନୁଆରୀରେ ସେ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୧୦ ଫେବ୍ରୁଆରୀ ୨ ତାରିଖରେ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବ ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରିଥିଲେ। ୨୦୧୧ରେ ଅମର ସିଂହ ଭୋଟ୍ ପାଇଁ ନୋଟ୍ ମାମଲାରେ କିଛି ଦିନ ପାଇଁ ଜେଲରେ ମଧ୍ୟ ରହିଥିଲେ। ଗତ ୨୦୧୬ରେ ସେ ସମାଜବାଦୀ ପାର୍ଟି ସମର୍ଥନରେ ସ୍ବାଧୀନ ଭାବେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତା’ଛଡ଼ା ଦଳର ଅନ୍ୟତମ ସାଧାରଣ ସମ୍ପାଦକ ଦାୟିତ୍ବ ମଧ୍ୟ ଅମରଙ୍କୁ ମିଳିଥିଲା। ତାଙ୍କ ରାଜନୈତିକ କ୍ୟାରିଅରରେ ଅମର ସିଂହ ଅନେକଗୁଡ଼ିଏ ସଂସଦୀୟ କମିଟିର ସଦସ୍ୟ ରହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ