ଗଞ୍ଜାମରେ ଅପରାହ୍ନ ୪ଟାରୁ ସକାଳ ୫ଟା କର୍ଫ୍ୟୁ


ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଉପର ମୁହାଁ ହୋଇ ରହିଛି କୋରୋନା ଗ୍ରାଫ୍‌। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଡେଇଁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧୦୦ ଛୁଇଁବାକୁ ଯାଉଛି। ଜିଲ୍ଲାରେ ପ୍ରତିଦିନ ୨୫୦ରୁ ୩୫୦ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତର ବିଷୟ ପାଲଟିଛି। ଏକ ସପ୍ତାହ ଧରି ଗଞ୍ଜାମରେ ଆକ୍ରାନ୍ତଙ୍କ ହାର ହ୍ରାସ ପାଇଛି। ଆକ୍ରାନ୍ତଙ୍କ ହାର ହ୍ରାସ ପାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତିଦିନ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ରହୁଛନ୍ତି। ଏହାରି ମଧ୍ୟରେ କୋରୋନା ସ୍ଥିତିକୁ ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ସମ୍ବାଦିକ ସମ୍ମିଳନୀ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି, ଗତ କିଛିଦିନ ଧରି ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି, ଘରକୁ ଘର ସର୍ଭେ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା କମିଛି ମାତ୍ର ଏବେ ବି ଅନ୍ୟ ଜିଲ୍ଲା ଅପେକ୍ଷା ଗଞ୍ଜାମରେ ଅଧିକ ସଂଖ୍ୟା ରହୁଛି। ଏଣୁ ଗଞ୍ଜାମ ଜିଲ୍ଲାରେ ୩୧ ଅଗଷ୍ଟ ଯାଏଁ ଲକ୍‌ଡାଉନ୍‌ ସହ ସାପ୍ତାହିକ ଦୁଇ ଦିନିଆ ଶଟ୍‌ଡାଉନ୍‌ ଜାରି ରହିବ।

ଏଥି ସହିତ ଗଞ୍ଜାମର ସବୁ ପ୍ରବେଶ ପଥ ସିଲ୍‌ ବଳବତ୍ତର ରହିବ। ଗଞ୍ଜାମକୁ ଅନ୍ୟ ଜିଲ୍ଲା ଲୋକଙ୍କ ଯାତାୟାତ ଉପରେ କଟକଣା ରହିବ। ବ୍ରହ୍ମପୁରକୁ ମଧ୍ୟ ଅନ୍ୟ ଅଞ୍ଚଳ ଲୋକଙ୍କ ଯାତାୟାତ ଉପରେ କଟକଣା। ଜିଲ୍ଲାରେ ସକାଳ ୫ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ଅପରାହ୍ଣ ୪ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ। ତେବେ ଦୋକାନୀମାନେ ପାଇଁ ପୂର୍ବରୁ ଜାରି ହୋଇଥିବା ୫ ସୂତ୍ରୀ ଫର୍ମୂଲା ପାଳନ କରିବା ବାଧ୍ୟତାମୁଳକ। ଦୋକାନୀମାନେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବେ। ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ୍‌ ଦୋକାନୀ ରଖିବେ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ଦୋକାନୀମାନେ ନିଜ ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ୍‌ କରିବେ। ମୁହଁରେ ମାସ୍କ ଠିକ୍‌ରେ ନ ପିନ୍ଧିଲେ ଜୋରିମାନା ଆଦାୟ ହେବ। ଯଦି କେହି ଏହାର ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ପ୍ରତି ଶନିବାର ଓ ରବିବାର ଜିଲ୍ଲାରେ ଶ୍‌ଟ୍‌ଡାଉନ୍‌ ରହିବ। ଅତି ଜରୁରୀ ନ ଥିଲେ କାହାକୁ ଛଡ଼ାଯିବ ନାହିଁ। ସେହିପରି ଘରକୁ ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ସ୍କ୍ରିନିଂ କରୁଥିବାରୁ ଗଞ୍ଜାମରେ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ପାରୁଥିବାରୁ ସଂକ୍ରମଣକୁ ରୋକାଯାଇପାରୁଛି। ରାଜ୍ୟ ସରକାରଙ୍କ ନିୟମାବଳୀକୁ ଗଞ୍ଜାମ ଜିଲ୍ଲାରେ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଥିପାଇଁ ସହଯୋଗ କରିବାକୁ  ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ