ପ୍ରତି ଶନିବାର ସମସ୍ତ ସରକାରୀ ଅଫିସ୍‌ ବନ୍ଦ


ଭୁବନେଶ୍ୱର: ଅନ୍‌ଲକ୍ ୩ ସମୟରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ପ୍ରତି ସପ୍ତାହର ଶନିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏଥିସହ ସବୁ ସରକାରୀ ଅଫିସ୍‌ ସେମାନଙ୍କର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ। ଗ୍ରୁପ୍‌-ଏ ସହ ସମସ୍ତ କାର୍ମଚାରୀଙ୍କୁ ମିଶାଇ ୫୦ ପ୍ରତିଶତରେ ଅଫିସ୍‌ କାର୍ଯ୍ୟ କରାଯିବ। ତେବେ ଏହି ସମୟରେ କାର୍ଯ୍ୟ ଯେଭଳି ଭାବେ ପ୍ରଭାବିତ ନ ହୁଏ ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯିବ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶ ଅନୁସାରେ, କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ ମାସରେ ସମସ୍ତ ବିଭାଗ ଓ ଅଧସ୍ତନ ଦପ୍ତରରେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ମିଶାଇ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ କରିବାକୁ କୁହାଯାଇଛି। ସରକାରୀ କାର୍ଯ୍ୟ ଯେଭଳି ପ୍ରଭାବିତ ନ ହେବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରର କେଉଁ କର୍ମଚାରୀ ଅଫିସ୍‌ରେ ରୋଷ୍ଟର୍‌ ଡ୍ୟୁଟି କରିବେ ତାହା ସମ୍ପୃକ୍ତ ଦପ୍ତରର ମୁଖ୍ୟ ନିର୍ଦ୍ଧାରଣ କରିବେ। ତେବେ ଜରୁରୀ ସେବା ପ୍ରଦାନ କରୁଥିବା କାର୍ଯ୍ୟାଳୟ ଯଥା ଏସ୍‌ଆର୍‌ସି ଓ ଓସଡ଼ମା ଦପ୍ତର, ପୋଲିସ୍‌, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସପାଲ୍‌ ସେବା ଆଦି ଯୋଗାଉଥିବା ଅଫିସଗୁଡ଼ିକ ପୂର୍ଣ୍ଣ କର୍ମଚାରୀ ସହ କାର୍ଯ୍ୟ କରିବ।

ଯେଉଁ ଅଫିସର ଓ କର୍ମଚାରୀଙ୍କୁ ଭିପିଏନ୍ ସୁବିଧା ଦିଆଯାଇଛି ସେମାନେ ରୋଷ୍ଟର୍‌ ଡ୍ୟୁଟି ନ ଥିବାବେଳେ ଘରେ ରହି କାମ କରିପାରିବେ। ଅଫିସ୍‌ରେ କୌଣସି ଜରୁରୀ କାର୍ଯ୍ୟ ପଡ଼ିଲେ ସ୍ୱଳ୍ପ ଅବଧିର ସୂଚନାରେ ସେମାନଙ୍କୁ ଅଫିସ୍‌ ଆସିବାକୁ ପଡ଼ିବ। ସମସ୍ତ ସରକାରୀ କର୍ମଚାରୀ କୋଭିଡ୍ ନିମନ୍ତେ ରାଜ୍ୟ ସରକାର ଜାରି କରୁଥିବା ନିୟମ ଓ ଗାଇଡଲାଇନ୍‌କୁ ନିଶ୍ଚିତ ଭାବେ ପାଳନ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। କାର୍ଯ୍ୟାଳୟରେ ମାସ୍କ୍‌ ପିନ୍ଧି ଓ ସାମାଜିକ ଦୂରତା ପାଳନ କରି କାମ କରିବାକୁ ହେବ। ନିୟମ ବିରୋଧରେ ଗଲେ ଅଫିସର୍‌ ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ