୧୧ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ୧୮୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା


ଭୁବନେଶ୍ବର: ରାଜ୍ୟରେ କୋରୋନା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେଲା ରାଜ୍ୟରେ କୋରୋନା ମୃତ୍ୟୁ ଏକ ପ୍ରକାର ସ୍ଥିତାବସ୍ଥାକୁ ଆସିଯାଇଛି। ନିୟମିତ ଭାବେ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ରହିଛି। ଗତ କିଛିଦିନ ଧରି ରାଜ୍ୟରେ ଦୁଇ ଅଙ୍କ ଛୁଇଁଛି କୋରୋନା ମୃତ୍ୟୁ। ରାଜ୍ୟରେ ଶନିବାର ୧୧ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣକ ମୃତ୍ୟୁ କୋରୋନା କାରଣରୁ ହୋଇଥିବା ବେଳେ ଅନ୍ୟ ଜଣକ ମୃତ୍ୟୁ ଅନ୍ୟ ଜଟିଳା ରୋଗ କାରଣରୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଏବଂ ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ଆଜିର ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୯ ଜଣ ପୁରୁଷ ଥିବା ଜଣାପଡ଼ିଛି।

ରାଜ୍ୟରେ ଏପ୍ରିଲ୍‌ ୬ରେ ପ୍ରଥମ କୋରୋନା ମୃତ୍ୟୁ ହୋଇଥିଲା। ତା’ପରେ ୮୬ ଦିନ ଭିତରେ ୨୫ ଜଣଙ୍କ ଜୀବନ ଯାଇଥିଲା। କିନ୍ତୁ ପରବର୍ତ୍ତୀ ୩୨ ଦିନ ଅର୍ଥାତ ଜୁଲାଇ ୧ରୁ ଆଜି ଭିତରେ ୧୬୨ ଜଣ କୋରୋନାରେ ଆକ୍ରାନ୍ତ ହୋଇ ଟଳିପଡ଼ିଲେଣି। କୋରୋନା କେବଳ ଯେ ବୟସ୍କ ଲୋକଙ୍କ ଜୀବନ ନେଉଛି ତାହା ନୁହେଁ, ଯୁବପିଢ଼ି ଏବଂ ଶିଶୁ ମଧ୍ୟ କୋରୋନା ମୁହଁରୁ ବାଦ୍ ପଡ଼ୁ ନାହାନ୍ତି। ୧୮୭ ଜଣଙ୍କ ବାଦ୍‌ କୋରୋନାରେ ପୀଡ଼ିତ ହୋଇ ଆଉ ୩୮ ଜଣ ମୃତ୍ୟୁବରଣ କରିଥିଲେ ବି ସରକାରୀ ଭାବେ ତାହାକୁ କରୋନା ଜନିତ ମୃତ୍ୟୁ ବୋଲି କୁହାଯାଇ ନାହିଁ। ସେମାନଙ୍କ ମୃତ୍ୟୁକୁ ଅଣ କୋଭିଡ୍ ବା ଅନ୍ୟ ରୋଗ ପାଇଁ ବୋଲି କୁହାଯାଇଛି।

ଗଞ୍ଜାମ ଜିଲ୍ଲାରୁ କୋରୋନାରେ ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରୁ ଜଣେ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି। ମହିଳାଙ୍କ ବୟସ ୫୬ ହୋଇଥିବା ବେଳେ ୪ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୪୪, ୫୪, ୬୩ ଓ ୭୦। ସେମାନଙ୍କ ମଧ୍ୟରୁ ୭୦ ଓ ୬୩ ବର୍ଷୀୟ ବୃଦ୍ଧ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ ଅନ୍ୟମାନେ ଡାଇବେଟିସିରେ ପୀଡ଼ିତ ଥିବା ଜଣାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁବରଣ କରିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ବରର। ସମସ୍ତ ମୃତକ ପୁରୁଷ ହୋଇଥିବା ବେଳେ ମୃତକ ୩ ଜଣଙ୍କ ବୟସ ୭୦, ୬୨ ଓ ୪୦। ସେମାନଙ୍କ ମଧ୍ୟରୁ ୭୦ ବର୍ଷୀୟ ବୃଦ୍ଧ ଓ ୪୦ ବର୍ଷୀୟ ବ୍ୟକ୍ତି ମଧୁମେହରେ ପୀଡ଼ିତ ଥିଲେ। ଗଜପତି ଜିଲ୍ଲାରେ ଜଣେ ୪୯ ବର୍ଷୀୟ ବ୍ୟକ୍ତି କୋରୋନାରେ ପ୍ରାଣ ହରାଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ୫୬ ବର୍ଷୀୟ ବ୍ୟକ୍ତି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ କୋରୋନା ଯୋଗୁ ତାଙ୍କ ମୃତ୍ୟୁ  ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ନୟାଗଡ଼ ଜିଲ୍ଲାରେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ୩୦ ବର୍ଷୀୟ ଯୁବକ ମୃତ୍ୟୁବରଣ କରିଛନ୍ତି। ମାତ୍ର ତାଙ୍କର ମୃତ୍ୟୁ କୋରୋନା ପାଇଁ ହୋଇ ନାହିଁ। ଆକ୍ୟୁଟ୍ କ୍ରୋନିକ୍ କିଡ୍‌ନୀ ରୋଗ ଏବଂ ସେପ୍ଟିକ୍ ଶକ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮୭ ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ୯୯ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ୨୫ ହୋଇଛି। ସେହପରି କଟକ ଜିଲ୍ଲାରେ ୧୧ ଜଣ, ଗଜପତି ଜିଲ୍ଲାରେ ୧୧ ଜଣ, ରାୟଗଡ଼ା ଜିଲ୍ଲାରେ ୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପୁରୀ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରେ ୩ ଜଣ, ଅନୁଗୁଳ ଜିଲ୍ଲାରେ ୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୨ ଜଣ, ଜଗତ୍‌ସିଂହପୁର ଜିଲ୍ଲାରେ ୨ ଜଣ, ଭଦ୍ରକ ଜିଲ୍ଲାରେ ୨ ଜଣ, ନୟାଗଡ଼ ଜିଲ୍ଲାରେ ୩ ଜଣ ଓ ମାଲକାନଗିରି ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବରଗଡ଼, ଯାଜପୁର,  କନ୍ଧମାଳ, ଝାରସୁଗୁଡ଼ା, ଫୁଲବାଣୀ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜ୍ୟରେ ମଧ୍ୟ ଅନ୍ୟ ୩୮ ଜଣ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମାତ୍ର ସେମାନଙ୍କ ମୃତ୍ୟୁ କୋରୋନା ଯୋଗୁ ନୁହେଁ ବରଂ ଅନ୍ୟ ରୋଗ କାରଣରୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ