ଆଜି ୪ ଜିଲ୍ଲାରେ ୩ ଅଙ୍କ ଡେଇଁଲା କୋରୋନା: ରେକର୍ଡ ୧୬୦୨ ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ମାର୍ଚ୍ଚ ୧୬ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ସାଢେ ୪ ମାସ ହେଲା ଅତିଷ୍ଠ କରି ସାରିଲାଣି କୋରୋନା ମହାମାରୀ। ଜୁଲାଇରେ କୋରୋନା ସଂକ୍ରମଣ ସୀମା ଟପିଥିବା ବେଳେ ଅଗଷ୍ଟ ଆରମ୍ଭରୁ ସବୁ ରେକର୍ଡ ଭାଙ୍ଗିଛି କୋରୋନା। ଆରମ୍ଭରୁ ୩ ମାସ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ ରହିଥିବା ବେଳେ ମାସେ ହେଲେ ବିଗିଡ଼ିବାରେ ଲାଗିଛି ସ୍ଥିତି। ଜୁଲାଇ ମାସରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ସାଢେ ୪ ଗୁଣ ବୃଦ୍ଧି ପାଇଛି। ଯଦି ଓଡ଼ିଶାରେ ସଂକ୍ରମଣ ପରିସଂଖ୍ୟାନରୁ ଦେଖାଯାଏ ତେବେ ପ୍ରଥମ ୧୦ ହଜାର ହେବା ପାଇଁ ୧୩୩ ଦିନ ସମୟ ଲାଗିଥିବା ବେଳେ ପରବର୍ତ୍ତୀ ୧୦ ହଜାରରୁ ୨୦ ହଜାର ହେବାପାଇଁ ୧୬ ଦିନ ସମୟ ଲାଗିଥିଲା। ତେବେ ଶେଷ  ୮ ଦିନରେ ଆଉ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ମୋଟ ସଂଖ୍ୟା ମଧ୍ୟ ୩୩ ହଜାର ପାର୍‌ କରିଛି।

ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ପୁଣି ରେକର୍ଡ ସଂଖ୍ୟକ ୧୬୦୨ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୯୯୩ ଜଣ କ୍ୱାରେଣ୍ଟାଇ୍‌ନ ସେଣ୍ଟର୍‌ରୁ ଚିହ୍ନଟ ହୋଇଥିଲା ବେଳେ ୬୦୯ ଲୋକାଲ କେସ୍‌ ରହିଛି। ସେହିପରି ପ୍ରତିଦିନ ପରି ଆଜି ମଧ୍ୟ ଉଭୟ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ତାଳ ଦେଇ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୪ଟି ଜିଲ୍ଲାରେ ୩ ଅଙ୍କ ଛୁଇଁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଗଞ୍ଜାମ, ଖୋର୍ଦ୍ଧା ଭଳି ରାୟଗଡ଼ା ଓ ଗଜପତିରେ ମଧ୍ୟ କୋରୋନା ୩ ଅଙ୍କ ଛୁଇଁଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୩୦୮ ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୨୮୫ଟି ମାମଲା ସାମ୍ନାକୁ ଆସିଛି। ସେହିପରି ରାୟଗଡ଼ା ଓ ଗଜପତିରେ ଆଜି ତିନି ଅଙ୍କ ଛୁଇଁଛି କୋରୋନା। ରାୟଗଡ଼ାରେ ୧୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ଗଜପତିରେ ୧୦୮ ଜଣ ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୫ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୯ ଜଣ, ବରଗଡ଼ ଜିଲ୍ଲାରୁ ୧୩ ଜଣ, ଭଦ୍ରକ ଜିଲ୍ଲାରୁ ୨୦ ଜଣ, ବଲାଙ୍ଗିର ଜିଲ୍ଲାରୁ ୩୮ ଜଣ, ବୌଦ୍ଧ ଜିଲ୍ଲାରୁ ୯ ଜଣ, କଟକ ଜିଲ୍ଲାରୁ ୫୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୯ ଜଣ, ଗଜପତି ଜିଲ୍ଲାରୁ ୧୦୮ ଜଣ, ଗଞ୍ଜାମ ଜିଲ୍ଲାରୁ ୩୦୮ ଜଣ, ଜଗତ୍‌ସିଂହପୁର ଜିଲ୍ଲାରୁ ୧୯ ଜଣ, ଯାଜପୁର ଜିଲ୍ଲାରୁ ୪୪ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୦ ଜଣ, କନ୍ଧମାଳ ଜିଲ୍ଲାରୁ ୪୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫ ଜଣ, କେନ୍ଦୁଝର ଜିଲ୍ଲାରୁ ୩୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୮୫ ଜଣ, କୋରାପୁଟ ଜିଲ୍ଲାରୁ ୪୬ ଜଣ, ମାଲକାନଗିରି ଜିଲ୍ଲାରୁ ୩୦ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୯ ଜଣ, ନୟାଗଡ଼ ଜିଲ୍ଲାରୁ ୩୩ ଜଣ, ନୂଆପଡ଼ା ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୫୦ ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୪ ଜଣ, ସମ୍ବଲପୁର ଜିଲ୍ଲାରୁ ୩୯ ଜଣ, ସୋନପୁର ଜିଲ୍ଲାରୁ ୬ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୬୨ଜଣ ରହିଛନ୍ତି।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟ‌ରେ ୫ ଲକ୍ଷ ୨୮ ହଜାର ୭୦୮ ଟି ନମୁନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୩୩ ହଜାର ୪୭୯ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ହଜାର ୫୧୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୨ ହଜାର ୭୩୭ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୧୦ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କୋରୋନା ମୃତକଙ୍କ ସଂଖ୍ୟା ୧୮୭ ରେ ପହଞ୍ଚିଯାଇଛି। ସେହିପରି ଆଉ ୩୮ କୋରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ସେମାନଙ୍କର ମୃତ୍ୟୁ କୋରୋନା ଯୋଗୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ