୪ ଜିଲ୍ଲା ସମେତ ରାଉରକେଲା ସହର ସପ୍ତାହାନ୍ତ ଶଟ୍‌ଡାଉନ୍‌


ଭୁବନେଶ୍ବର: ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ନିର୍ଦେଶନାମା ଜାରି କରିଛନ୍ତି। ଏଥିରେ କେତେକ ନିୟମ କୋହଳ ହୋଇଥିବା ବେଳେ କେତେକ କଟକଣା ମଧ୍ୟ ଲାଗୁ କରାଯାଇଛି। ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ୪ଟି ହଟ୍‌ସ୍ପଟ୍‌ ଜିଲ୍ଲା ଓ ସହରରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଲାଗୁ କରିଛନ୍ତି। ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଟକ ଓ ରାଉରକେଲା ମ୍ୟୁନିସପାଲଟିରେ ମାସର ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ୍‌ ରହିବ। ଏ ନେଇ ଶୁକ୍ରବାର ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ତେବେ ଆସନ୍ତା  ୧ ଓ ୨ ତାରିଖରେ ଶଟ୍‌ଡାଉନ୍‌ କୋହଳ କରାଯିବ। ସକାଳ ୫ଟରୁ ଦିନ ୧ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ କୋହଳ ରହିବ। ଏହାପରେ ଦିନ ୧ଟାରୁ ରାତି ୯ଟା ଯାଏ ଶଟ୍‌ଡାଉନ୍‌ ଜାରି ରହିବ। ହେଲେ ପରବର୍ତ୍ତୀ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଲାଗୁ ହେବ ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ଓ ଅନ୍ୟ ଜରୁରୀକାଳୀନ ସେବାଗୁଡିକ ପାଇଁ କଟକଣା ରହିବ ନାହିଁ। ଶିଳ୍ପ ଓ କାରଖାନା ଓ ନିର୍ମାଣ କାମ ପୂର୍ବଭଳି ଚାଲୁ ରହିବ। ଜାତୀୟ ରାଜପଥ କଡ଼ ଢାବାରୁ ଖାଦ୍ୟ ପୁଡ଼ିଆ ନେଇହେବ। ଶଟ୍‌ଡାଉନ୍‌ରେ ପୂର୍ବର କଟକଣା ଜାରି ରହିବ।

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି, ଲୋକଙ୍କ ଜୀବନର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସକ୍ରିୟ ହାର କମ୍ ଅଛି। ସୁସ୍ଥ ହାର ଅଧିକ ରହିଛି। ପ୍ରାୟ ସାଢେ ୪ ମାସ ହେଲା କୋରୋନା ମୁକାବିଲାରେ ଭଲ ଫଳ ମିଳିଛି। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ହଟସ୍ପଟ୍ ଅଞ୍ଚଳରେ ପଜିଟିଭ୍ ହାର କମିଛି। ଧିରେଧିରେ କିଛି ଜିଲ୍ଲା ଗ୍ରୀନ୍ ଜୋନ୍ ହେଉଛି। ଏବେବି ଅନେକ ଚ୍ୟାଲେଞ୍ଚ ରହିଛି। ଏହାର ଚିକିତ୍ସା ପ୍ରଣାଳିକୁ ନେଇ ଦ୍ୱନ୍ଦ୍ୱ ରହିଛି। ତେବେ, କୋଭିଡ୍ ମୁକାବିଲା ସହ ରାଜ୍ୟରେ ଜୀବନ ଓ ଜୀବିକାକୁ ମଧ୍ୟ ସ୍ୱାଭାବିକ କରିବାର ଆବଶ୍ୟକତା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନର ଅନେକ ନିୟମକୁ କୋହଳ କରିଛନ୍ତି। ଏଥିସହ କୋଭିଡ୍ ସଂକ୍ରମଣକୁ ରୋକିବା ସହ ଜନଜୀବନକୁ ରକ୍ଷା କରିବା ପାଇଁ କିଛି ନିୟମକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ଆଜି ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟକୁ ଟ୍ରେନ୍ ଓ ବିମାନ ଆସୁଛି। ଦୈନିକ ପ୍ରାୟ ୬ ହଜାର ଯାତ୍ରୀ ଓଡ଼ିଶାକୁ ଆସୁଛନ୍ତି। ଆଗକୁ ଆହୁରି କଟକଣା ମୁକ୍ତ କରିବାକୁ ହେବ। ଅର୍ଥନୀତିର ଗତି ବଢାଇବାକୁ ପଡ଼ିବ। ଜୀବନ ଜୀବିକା ସାଧାରଣ କରିବାକୁ ପଡ଼ିବ। ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ। ରାଜ୍ୟରେ ଜାରି ହୋଇଥିବା କଟକଣାକୁ ୯୦ ପ୍ରତିଶତ ଲୋକ ମାନୁଛନ୍ତି। ବାକି ୧୦ ପ୍ରତିଶତ ଲୋକ ଏହାକୁ ମାନୁ ନାହାନ୍ତି। ସେମାନେ ନିଜ ଜୀବନ ସହ ଅନ୍ୟର ଜୀବନକୁ ମଧ୍ୟ ବିପଦ ମଧ୍ୟକୁ ଠେଲି ଦେଉଛନ୍ତି। କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଆଇନ୍ ବଳରେ ଆଇନ୍‌କୁ ସଂଶୋଧନ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ