ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟିରେ ସେହ୍ବାଗ୍ ଓ ସର୍ଦ୍ଦାର୍


ନୂଆଦିଲ୍ଲୀ: ଶୁକ୍ରବାର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟି ଘୋଷଣା କରାଯାଇଛି। ଏହି କମିଟିରେ ଭାରତୀୟ କ୍ରୀଡ଼ା ଜଗତର ଦୁଇ ଜଣ ସଫଳ ଖେଳାଳିଙ୍କୁ ସଦସ୍ୟ ଭାବେ ନିଆଯାଇଛି। ସେମାନେ ହେଲେ ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ୍ ଓ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ। ଏହି କମିଟିରେ ସର୍ବମୋଟ ୧୨ ଜଣ ସଦସ୍ୟ ରହିଛନ୍ତି। ଓ ଏହାର ନେତୃତ୍ୱ ଦାୟିତ୍ୱ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ମୁକୁନ୍ଦକମ୍ ଶର୍ମାଙ୍କୁ ଦିଆଯାଇଛି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଉଭୟ ଆଥଲେଟ୍ ଓ କୋଚ୍‌ଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର ସକାଶେ ଚୟନ କରିବା ପାଇଁ ଗୋଟିଏ କମିଟି ଗଠନ କରାଯାଇଛି।

ଏ ସଂକ୍ରାନ୍ତରେ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ମାତ୍ର କମିଟିକୁ ଦାୟିତ୍ୱ ଦିଆଯିବା ଉପରେ ଆମେ ଗୁରୁତ୍ୱ ଦେଇଛୁ। କୋଚ୍ ଓ ଆଥଲେଟ୍‌ଙ୍କୁ ଚୟନ କରିବା ସକାଶେ ଭିନ୍ନ ଭିନ୍ନ କମିଟି ଗଠନ ଚୟନ ପ୍ରକ୍ରିୟାକୁ ଜଟିଳ କରିବା ସହ ଅଯଥା ବିବାଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି କମିଟିରେ ପାରାଲିମ୍ପିକ୍ ରୌପ୍ୟ ପଦକ ବିଜେତା ଦୀପା ମଲିକ, ପୂର୍ବତନ ବ୍ୟାଡ୍‌ମିଣ୍ଟ୍‌ନ୍ ଖେଳାଳି ମୋନାଲିସା ବରୁଆ ମେହତା, ବକ୍ସର୍ ଭେଙ୍କଯେଶ ଦେବରାଜନ୍, କ୍ରୀଡ଼ା ଭାଷ୍ୟକାର ମନୀଷ ବଟାଭିଆ ଏବଂ ସାମ୍ବାଦିକ ଆଲୋକ ସିହ୍ନା ଓ ନୀରୁ ଭାଟିଆ ମଧ୍ୟ ରହିଛନ୍ତି। ଏହାଛଡ଼ା କମିଟିରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ, ଯୁଗ୍ମ ସଚିବ (କ୍ରୀଡ଼ା ଉନ୍ନୟନ) ଏଲ୍ଏସ୍ ସିଂହ ଓ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍ (ଟପ୍ସ) ସିଇଓ ରାଜେଶ ରାଜଗୋପାଲନ୍ ବି ସଦସ୍ୟ ଭାବେ ରହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ