ସାହସୀ ମାନସୀ: ୩୦ ଇଟାଭାଟିରୁ ୬ ହଜାର ପ୍ରବାସୀ ଶ୍ରମିକଙ୍କୁ ମୁକୁଳାଇଲେ


ତାଙ୍କ ସଂକଳ୍ପ ଦ୍‌ଢ଼, ସାହସ ଅସୀମ ଆଉ ମନୋଭାବ ପରୋପକାରୀ। ଏସବୁର ଅଧିକାରିଣୀ ଓଡ଼ିଶାର ଜଣେ ଦୟାଳୁ ଆଦିବାସୀ ଝିଅ କୋରୋନା କାଳରେ ତାମିଲନାଡ଼ୁର ୩୦ ଇଟାଭାଟିରେ ଫସିରହିଥିବା ୬ ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରି ଉଦାହରଣ ସ୍‌ଷ୍ଟି କରିଛନ୍ତି। ଜାତୀୟ ମହିଳା କମିଶନ ତାଙ୍କ ନିଷ୍ଠାପର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। ବଲାଙ୍ଗିର ଜିଲାର ୧୯ ବର୍ଷୀୟା ମାନସୀ ବରିହା ଏପରି ମହତ କାର୍ଯ୍ୟ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛନ୍ତି। ଗୁରୁବାର ବିଶ୍ବ ମାନବ ଚାଲାଣ ନିରୋଧୀ ଦିବସ ଅବସରରେ ମଣିଷ ସମାଜ ପ୍ରତି ତାଙ୍କ ଉଲ୍ଲେଖନୀୟ ଅବଦାନକୁ ବେଶ ପ୍ରେରଣାଦାୟୀ ବୋଲି କୁହାଯାଇଛି।

ମାନସୀଙ୍କ ସ୍ବର୍ଗୀୟ ମାଆଙ୍କ ଚିକିତ୍ସା ଲାଗି ତାଙ୍କ ପରିବାର ଧାର ଉଧାର କରିଥିଲେ। ଏହାକୁ ଶୁଝିବା ପାଇଁ ସେ ତାଙ୍କ ପିତା ଓ ସାନଭଉଣୀ ତାମିଲନାଡ଼ୁର ତିରୁଭାଲୁର ଜିଲାର ପୁଡ଼ୁକ୍କୁପମ ସ୍ଥିତ ଜିଡିଏମ ଇଟାଭାଟିରେ କାମ କରିବାର ପ୍ରତିଶ୍ରୁତି ଦେଇ ୨୮ ହଜାର ଟଙ୍କା ଅଗ୍ରୀମ ନେଇଥିଲେ। ଏଣୁ ଉଧାର ଶୁଝିବା ଲାଗି ଏ ତିନିହେଁ ବଲାଙ୍ଗିରରୁ ପୁଡୁକ୍କୁପମ ଯାଇଥିଲେ। ଏହି ଅବସରରେ କୋରୋନା ମହାମାରୀ ଲାଗି ଲକଡାଉନ ଘୋଷଣା ହେଲା। ସେତେବେଳକୁ ଏହି ତିନିଜଣଯାକ ଅନେକ ମାସ ଧରି ସେଠାରେ କାମ କରିସାରିଲେଣି। ସେମାନଙ୍କୁ କେବଳ ଖାଇବା ପାଇଁ ସପ୍ତାହକୁ ମାତ୍ର ୨୫୦ ଟଙ୍କା ମିଳୁଥିଲା। ବାକି ପାରିଶ୍ରମିକ ଉଧାର ବାବଦକୁ କଟୁଥିଲା। କୋରୋନା ସଂକ୍ରମଣ ଭୟରେ ବରିହା ପରିବାର ଓ ଅନ୍ୟ ଶ୍ରମିକମାନେ ଘରକୁ ଯିବା ପାଇଁ ଇଟାଭାଟି ମାଲିକଙ୍କୁ ଅନୁରୋଧ କରିବା ସତ୍ତ୍ବେ ସେମାନଙ୍କୁ ଅନୁମତି ମିଳି ନ ଥିଲା। ଏଣୁ ବଲାଙ୍ଗିର, ନୂଆପଡ଼ା ଓ କନ୍ଧମାଳ ଅଞ୍ଚଳର ଏହି ଶ୍ରମିକମାନେ ଇଟାଭାଟି ମାଲିକଙ୍କ ସହ ଏକ ଚୁକ୍ତି କଲେ। ନିଜ ନିଜ କାମ ସାରିବା ପରେ ସେମାନଙ୍କୁ ଘରକୁ ଯିବାକୁ ଦିଆଯିବ ବୋଲି ସ୍ଥିର ହେଲା। ସେମାନେ କ୍ଷୀପ୍ରଗତିରେ ନିଜ କାମ ସାରିବାକୁ ପ୍ରାଣପଣେ ଚେଷ୍ଟାକଲେ।

କିନ୍ତୁ ଚୁକ୍ତି ଅନୁଯାୟୀ ଶ୍ରମିକମାନେ ସଠିକ ସମୟରେ କାମ ସାରିବା ପରେ ମଧ୍ୟ ଇଟାଭାଟି ମାଲିକ ସେମାନଙ୍କୁ ଘରକୁ ଯିବାକୁ ଦେଇ ନ ଥିଲେ। ମେ ମାସ ଦ୍ବିତୀୟ ସପ୍ତାହରେ ସେମାନେ ଏହାର ପ୍ରତିବାଦ କରି ଇଟାଭାଟି ଛାଡ଼ି ଚାଲିଯିବାକୁ ଉଦ୍ୟତ ହେବାରୁ ଭଡ଼ାଟିଆ ଗୁଣ୍ଡା ଲଗାଇ ମାଲିକ ସେମାନଙ୍କୁ ବହେ ଛେଚିଥିଲେ। ଏପରିକି ମହିଳା ଓ ଶିଶୁ ଶ୍ରମିକ ମଧ୍ୟ ଏଥିରୁ ବାଦ ପଡ଼ି ନ ଥିଲେ। ଏହା ଏତେ ମାରାତ୍ମକ ଥିଲା ଯେ ଏହି ମାରପିଟରେ ଅନେକ ଶ୍ରମିକଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଯିବା ସହ କେତେକଙ୍କ ମସ୍ତିଷ୍କ ମଧ୍ୟ ଆଘାତପ୍ରାପ୍ତ ହୋଇଥିଲା।

ତେବେ ମାନସୀ ଚୁପ ନ ବସି ଏହି ଅମାନବୀୟ ଘଟଣାର ଫୁଟେଜ ସବୁ ରେକର୍ଡିଂ କରିଥିଲେ। ଏହାପରେ ସେ ସୋସାଲ ମିଡିଆରେ ଏହାର ଫଟୋ ସହ ଅଡିଓ ଓ ଭିଡିଓ କ୍ଲିପ ସବୁ ଏବଂ ଆହତ ଶ୍ରମିକଙ୍କ ବୟାନ ମଧ୍ୟ ଅପଲୋଡ କରିଥିଲେ। ହ୍ବାଟ୍ସଆପରେ ତାଙ୍କର ଏହି ପୋଷ୍ଟ ଜରିଆରେ ସେ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ। ଏହା ପ୍ରଘଟ ହେବା ପରେ ତାମିଲନାଡ଼ୁର ଏକ ସ୍ବେଚ୍ଛାସେବୀ ସଂଗଠନ ସେଠାରେ ପହଞ୍ଚି ଏନେଇ ତିରୁଭାଲୁ ଜିଲା ପ୍ରଶାସନର ଦ୍‌ଷ୍ଟି ଆକର୍ଷଣ କରିଥିଲେ। ଫଳରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ସହ ଇଟାଭାଟି ମାଲିକଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏଥିସହ ତାଙ୍କ ଭଡ଼ାଟିଆ ଗୁଣ୍ଡାମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ଇଟାଭାଟି ମାଲିକ କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏ ସମ୍ପର୍କରେ ‘ଓଡ଼ିଶା ପ୍ରୋଜେକ୍ଟସ’, ଇଣ୍ଟରନ୍ୟାସନାଲ ଜଷ୍ଟିସ ମିଶନ (ଆଇଜେଏମ୍‌)ର ନିର୍ଦେଶକ ନୀନୁ ଥୋମାସ କହନ୍ତି ଯେ ଅଭିଯୋଗ କରିବା ପରେ ତାମିଲନାଡ଼ୁ ସରକାର ସେଠାରେ ଦୁରବସ୍ଥାରେ କାଳାତିପାତ କରୁଥିବା ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶାର ଶ୍ରମିକ ମଧ୍ୟ ଥିଲେ। ଏଣୁ ସରକାର ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବକ ତିରୁଭାଲୁ ଅଞ୍ଚଳରେ ଥିବା ପ୍ରାୟ ୩୦ଟି ଇଟାଭାଟିର ୬,୭୫୦ ଶ୍ରମିକମାନଙ୍କୁ ଖାଇବା ପିଇବା ଯୋଗାଇବା ସହ ଉଦ୍ଧାର କରିଥିଲେ। ଏଥିରେ ବରିହା ପରିବାର ସମେତ ଓଡ଼ିଶାର ୩୫୫ ଶ୍ରମିକ ରହିଛନ୍ତି। ସେମାନଙ୍କୁ ସରକାର ୧୫୦ଟି ବସ ଓ ଟ୍ରେନ ଯୋଗେ ଘରକୁ ପଠାଇବାର ବନ୍ଦୋବସ୍ତ କରିଛନ୍ତି। ମେ ୧୯ ଓ ୨୦ରେ ଏହି ଶ୍ରମିକମାନେ ସେମାନଙ୍କ ରାଜ୍ୟ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏତେ କମ ବୟସରେ ମାନସୀ ବାହାର ରାଜ୍ୟରେ ନିର୍ଯାତିତ ଅବସ୍ଥାରେ ଥାଇ ବି ନିଜ ମାନସିକ ଭାରସାମ୍ୟ ହରାଇ ନ ଥିଲେ। ତାଙ୍କ ଦ୍‌ଢ଼ ମନୋବଳକୁ ପାଥେୟ କରି ସର୍ବସମକ୍ଷରେ ନିର୍ଯାତନାର ପର୍ଦ୍ଦାଫାସ କରିବା ସହ ସାଥୀ ଶ୍ରମିକମାନଙ୍କୁ ଉଦ୍ଧାର କରିବାର ବାଟ କଢ଼ାଇଥିଲେ। ଏଣୁ ତାଙ୍କର ଏପରି ଉଦ୍ୟମକୁ ସାରା ଦେଶରେ ଭୁରିଭୁରି ପ୍ରଶଂସା କରାଯାଉଛି। ସେ ଏବେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ