ଜାଣନ୍ତୁ ବକରୀଦର ମହତ୍ତ୍ବ


ବକରୀଦ ମୁସଲମାନଙ୍କ ଏକ ପ୍ରମୁଖ ଓ ପବିତ୍ର ପର୍ବ ଭାବେ ଜଣାଶୁଣା। ଏହା ଇଦ୍‌ର ପାଖାପାଖି ୨ ମାସ ପରେ ପାଳନ କରାଯାଏ। ଏହାକୁ ଇଦ-ଉଲ୍-ଅଜହା ମଧ୍ୟ କୁହାଯାଏ। ଏହି ପର୍ବ ଅନ୍ୟ ସମସ୍ତ ସ୍ଥାନରେ ଚଳିତ ବର୍ଷ ୩୧ ଜୁଲାଇରେ ପାଳନ ହୋଇଥିବାବେଳେ ଭାରତରେ ୧ ଅଗଷ୍ଟରେ ପାଳନ କରାଯାଇପାରେ। ଚନ୍ଦ୍ର ଦେଖାଯିବା ନେଇ ଇଦ୍‌ର ତାରିଖ ସ୍ଥିର କରାଯାଏ।

ବକରୀଦର ମହତ୍ତ୍ବ
ମୁସଲମାନଙ୍କ ଦ୍ବାରା ପାଳନ କରାଯାଉଥିବ ବକରୀଦ ପର୍ବ କୁର୍ବାନୀ ଭାବେ ପାଳନ କରାଯାଏ। ଏହି ପବିତ୍ର ଦିନରେ ଲୋକେ ନମାଜ ପଢ଼ିବା ପରେ ପଶୁବଳି ଦେଇଥାନ୍ତି। ଇସଲାମିକ ଧାର୍ମିକ ମାନ୍ୟତା ମୁତାବକ ପ୍ରଫେଟ ହଜରତ ଇବ୍ରାହିମ୍ ପଶୁକୁ ବଳି ଦେବାର ଏହି ପରମ୍ପରା ଆରମ୍ଭ କରିଥିଲେ। କୁହାଯାଏ ଇବ୍ରାହିମ ନିଃସନ୍ତାନ ଥିଲେ। ଆଲ୍ଲାଙ୍କୁ ବହୁତ ପ୍ରାର୍ଥନା କରିବା ପରେ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା। ତାଙ୍କର ନାମ ଇସମାଇଲ୍ ଥିଲା। ସେ ତାଙ୍କ ପୁଅକୁ ଜୀବନ ଠାରୁ ଅଧିକ ଭଲ ପାଉଥିଲେ। କିନ୍ତୁ ଗୋଟିଏ ଦିନ ରାତିରେ ଆଲ୍ଲା ଇବ୍ରାହିମଙ୍କ ସ୍ବପ୍ନରେ ଆସିଥିଲେ ଓ ତାଙ୍କର ସବୁଠାରୁ ପ୍ରିୟ ଜିନିଷକୁ ବଳି ଦେବା ଲାଗି କହିଥିଲେ। ଆଲ୍ଲାଙ୍କ ଆଦେଶ ପାଳନ କରି ଇବ୍ରାହିମ ଗୋଟି ଗୋଟି କରି ନିଜର ସମସ୍ତ ପ୍ରିୟ ପଶୁକୁ ବଳି ଦେଇ ଦେଇଥିଲେ। କିନ୍ତୁ ଆଲ୍ଲା ପୁଣିଥରେ ତାଙ୍କ ସ୍ବପ୍ନରେ ଆସି ତାଙ୍କର ସବୁଠାରୁ ପ୍ରିୟ ଓ ମୂଲ୍ୟବାନ ଜିନିଷ ବଳି ଦେବା ବିଷୟରେ କହିଥିଲେ।

ଇବ୍ରାହିମଙ୍କର ସବୁଠୁ ପ୍ରିୟ ଥିଲେ ତାଙ୍କ ପୁଅ ଇସମାଇଲ। ତଥାପି ଆଲ୍ଲାଙ୍କ ଆଦେଶକୁ ସବୁଠାରୁ ଉର୍ଦ୍ଧ୍ବରେ ରଖି ସେ ତାଙ୍କ ପୁଅକୁ ବଳି ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ନିଜ ସାମ୍ନାରେ ନିଜ ପୁଅକୁ ମରିବା ଦେଖିବା ତାଙ୍କ ପାଇଁ ସମ୍ଭବ ନ ଥିଲା। ତେଣୁ କୁର୍ବାନୀ ଦେବା ସମୟରେ ସେ ନିଜ ଆଖିରେ ପଟି ବାନ୍ଧି ଦେଇଥିଲେ। ବଳି ଦେବା ପରେ ସେ ଯେତେବେଳେ ଆଖିରୁ ପଟି ଖୋଲିଲେ, ସେତେବେଳେ ନିଜ ପୁଅକୁ ଜୀବନ୍ତ ଆଖି ସାମ୍ନାରେ ଦେଖିବାକୁ ପାଇଥିଲେ। ନିଜ ପିଲାକୁ ସୁସ୍ଥ ଓ ଜୀବନ୍ତ ଦେଖି ଇବ୍ରାହିମ ବହୁତ ଖୁସି ହୋଇଯାଇଥିଲେ। କୁହାଯାଉଛି ସେହି ସମୟରେ ଇବ୍ରାହିମଙ୍କର ଆସ୍ଥା ଓ ନିଷ୍ଠା ଦେଖି ବଳି ଦେବା ସମୟରେ ଆଲ୍ଲା ତାଙ୍କ ପୁଅ ସ୍ଥାନରେ ଏକ ଛେଳି ରଖି ଦେଇଥିଲେ। ସେହିଦିନଠାରୁ ବକରୀଦରେ ଛେଳି କିମ୍ବା ଅନ୍ୟ ପଶୁଙ୍କୁ ବଳି ଦେବା ପରମ୍ପରା ଆରମ୍ଭ ହୋଇଯାଇଛି। ଏହି ଦିନ ଲୋକେ ଇବ୍ରାହିମ ଅଲେୟ ସଲାମଙ୍କ ଦ୍ବାରା ଦିଆଯାଇଥିବା କୁର୍ବାନୀକୁ ମନେପକାଇ ଛେଳି ବଳି ଦେଇ ଇଦ୍ ମନାଇଥାନ୍ତି। ଏଥିସହିତ ପରସ୍ପରଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ