ଓଟିଟି ପ୍ଲାଟଫର୍ମରେ ୩ ଫିଲ୍ମର ଜୋରଦାର ଟକ୍କର


କୋରୋନା କାଳରେ ସାରା ଦେଶରେ ସିନେମା ହଲଗୁଡ଼ିକ ବନ୍ଦ ପଡ଼ିଥିବା ବେଳେ ବହୁ ଦିନର ପ୍ରତୀକ୍ଷା ପରେ ଏବେ ବିକଳ୍ପ ଭାବେ ଇଟିଟି ପ୍ଲାଟଫର୍ମରେ ଫିଲ୍ମସବୁ ରିଲିଜ କରିବା ଆରମ୍ଭ କରିଛି। ଏହିକ୍ରମରେ ଚଳିତ ଶୁକ୍ରବାର ‘ଶକୁନ୍ତଳା ଦେବୀ’, ‘ୟାରା’ ଓ ‘ଲୁଟକେସ’ ରିଲିଜ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜୋରଦାର ଟକ୍କର ହେଉଛି।

ଶକୁନ୍ତଳା ଦେବୀ
ଜଣେ ମା’, ଜଣେ ଗଣିତଜ୍ଞ ଓ ଦୁନିଆକୁ ଚକିତ କରୁଥିବା ଜଣେ ମହିଳା, ଯାହାଙ୍କୁ ସମସ୍ତେ କହନ୍ତି ହ୍ୟୁମାନ କମ୍ପ୍ୟୁଟର। ଜଣେ ବିନ୍ଦାସ ମହିଳାଙ୍କ ସଫଳତା ଓ ଜୀବନର ଉତଥାନ ପତନର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ଶକୁନ୍ତଳା ଦେବୀ’ ଆମାଜନ ପ୍ରାଇମ୍ ଭିଡ଼ିଓରେ ଶୁକ୍ରବାର ରିଲିଜ୍ ହୋଇଛି। ଏହି ସିନେମା ବହୁତ ମଜାଦାର ହୋଇଛି। ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବିଦ୍ୟା ବଲାନ ପୁଣିଥରେ ତାଙ୍କ ମସ୍ତାନୀ ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିଛନ୍ତି।

ଆର୍ଯ୍ୟଭଟ୍ଟ ଓ ରାମାନୁଜଙ୍କ ପରେ ଶକୁନ୍ତଳା ଦେବୀ ଗଣିତ କ୍ଷେତ୍ରରେ ଭାରତର ନାମ ସାରା ବିଶ୍ବରେ ଉଚ୍ଚା କରିଛନ୍ତି। ଏହି ‘ଶକୁନ୍ତଳା ଦେବୀ’ ସିନେମା ଏହି ଅଦ୍ଭୁତ ମହିଳାଙ୍କ ଜୀବନୀ କାହାଣୀ ଅଟେ। ୧୯୪୦ରୁ ୨୦୦୦ ମସିହା ମଧ୍ୟରେ ଜଣେ ଝିଅର ଅସାଧାରଣ ଜୀବନ କାହାଣୀ ଅଟେ, ଯାହାଙ୍କ ସମ୍ପର୍କରେ ହୁଏତ ବହୁତ କମ୍ ଲୋକ ଜାଣିଥିବେ। ଫିଲ୍ମର ମୁଖ୍ୟ ଆକର୍ଷଣ ବିଦ୍ୟା ବଲାନ ଶକୁନ୍ତଳାଙ୍କ ଅନ୍ଦାଜରେ ପୁଣି ଥରେ ତାଙ୍କୁ ଜୀବନ୍ତ କରି ଦେଇଛନ୍ତି। ଫିଲ୍ମର ଅନ୍ଦାଜ ବହୁତ ରୋଚକ ଅଟେ। ଫିଲ୍ମର ନିର୍ଦେଶକ ଅନୁ ମେନନ ଫିଲ୍ମକୁ ଏକ ଷ୍ଟୋରି ବୁକ୍ ଭଳି ଉପସ୍ଥାପିତ କରିଛନ୍ତି। ସବୁଠାରୁ ବଡ଼ କଥା ଫିଲ୍ମକୁ ଘଟଣାକ୍ରମ ଅନୁସାରେ ନ ଦେଖାଇ, ଆଗ ପଛ କରି ଦେଖାଇଛନ୍ତି। ଫଳରେ ରୋଚକତା ଶେଷ ପର୍ଯ୍ୟନ୍ତ ରହୁଛି। ଫିଲ୍ମରେ ବିଦ୍ୟାଙ୍କ ଝିଅ ଅନୁ ଭୂମିକାରେ ଅଭିନୟ କରିଥିବା ସାନ୍ୟା ମାଲହୋତ୍ରା ଓ ପତି ପରିତୋଷ ଭୂମିକାରେ ଅଭିନୟ କରିଥିବା ଯୀଶୁ ସେନଗୁପ୍ତାଙ୍କ ଅଭିନୟ ବି ବହୁତ ଭଲ ହୋଇଛି। ବିଦ୍ୟାଙ୍କ ଜ୍ବାଇଁ ଚରିତ୍ରରେ ଅଭିନୟ କରିଥିବା ଅମିତ ସାଧଙ୍କ ଚରିତ୍ର ଛୋଟ ଥିଲେ  ମଧ୍ୟ ସେ ଏକ ଛାପ ଛାଡ଼ିଛନ୍ତି। ମୋଟାମୋଟି ଦର୍ଶକଙ୍କ ମନୋରଞ୍ଜନ କରିବାରେ ଏହି  ସିନେମା ସଫଳ ହୋଇଛି।

ୟାରା
ବଲିଉଡରେ ବନ୍ଧୁତ୍ବର କାହାଣୀ ସବୁବେଳେ ସୁପରହିଟ୍ ରହିଛି। କଳାଧଳା ଯୁଗର ‘ଦୋସ୍ତି’ ସିନେମା ହେଉ ବା ୭୦ ଦଶକର ‘ଶୋଲେ’, ବିଂଶ ଶତାବ୍ଦୀର ‘ଦିଲ୍ ଚାହାତା ହୈ’ ହେଉ ବା ‘ଜିନ୍ଦଗୀ ନା ମିଲେଗୀ ଦୋବାରା’ ବନ୍ଧୁତ୍ବକୁ ନେଇ ତିଆରି ହୋଇଥିବା ଏଭଳି ସିନେମା ସିଧାସଳଖ ଦର୍ଶକଙ୍କ ହୃଦୟରେ ପହଞ୍ଚି ଥାଏ। ଏଭଳି ଏକ ବନ୍ଧୁତ୍ବର କାହାଣୀ ପରଦାରେ ଆଣିଛନ୍ତି ନିର୍ଦେଶକ ତିଗମାଂଶୁ ଧୁଲିଆ। ନିଜ ଫିଲ୍ମ ‘ୟାରା’ରେ ଯେଉଁଥିରେ ପିଲାଦିନ ସହିତ ବଡ଼ ହୋଇଥିବା ଚାରି ଜଣ ବନ୍ଧୁ ନିଜ ଗରିବୀ ଓ ଅସହାୟକୁ ହରାଇ ତିଆରି କରନ୍ତି ଚେକଡ଼ି ଗ୍ୟାଙ୍ଗ। ଏହି କାହାଣୀ ଆପଣଙ୍କୁ ପୁଣିଥରେ ଅମିତାଭ ବଚ୍ଚନଙ୍କ ଆଙ୍ଗ୍ରି ୟଙ୍ଗମ୍ୟାନ୍ ସମୟକୁ ଟାଣି ନେଇଯିବ।

ଏହି ସିନେମାରେ ମୁଖ୍ୟ ଭୂମିକାରେ ବିଦ୍ୟୁତ ଜମୱାଲ, ଶ୍ରୁତି ହାସନ, ଅମିତ ସାଧ, ବିଜୟ ବର୍ମା, ସଞ୍ଜୟ ମିଶ୍ର, କେନି ବସୁମତାରିଙ୍କ ଭଳି ଅଭିନେତା ନଜର ଆସୁଛନ୍ତି। ନିଜର ସବୁଠାରୁ ଭଲ ବନ୍ଧୁ ଇରଫାନ ଖାନଙ୍କୁ ମନେପକାଇ ତିଗମାଂଶୁ ଏହି ‘ୟାରା’ ସିନେମା ଆରମ୍ଭ କରିଛନ୍ତି। ୧୯୫୦ରୁ ଆରମ୍ଭ କରି ଏ ପର୍ଯ୍ୟନ୍ତର ଭାରତର ଛବି ଏହି ସିନେମାରେ ଦେଖିବାକୁ ମିଳିବ। କିନ୍ତୁ ଏଥିରେ ଆକ୍ସନ, ଇମୋସନ, ଡ୍ରାମା ସହିତ ସବୁଠାରୁ ଗାଢ଼ ରଙ୍ଗ ଯାହା ଦେଖାଇଛି, ତାହା ହେଉଛି ବନ୍ଧୁତାର ରଙ୍ଗ। ଏହି ଚାରି ସାଙ୍ଗଙ୍କ ପ୍ରଥମ ଦେଖାରୁ ଆରମ୍ଭ କରି ସେମାନେ ବୁଢ଼ା ହେବା ପର୍ଯ୍ୟନ୍ତ ଫ୍ଲାଶବ୍ୟାକ୍ ସହିତ ବେଶ୍ ରୋମାଞ୍ଚକ ଭାବେ ଦର୍ଶାଯାଇଛି। ବିଦ୍ୟୁତ ପୁଣିଥରେ ତାଙ୍କ ଆକ୍ସନର ଏକ ନୂଆ ଫ୍ଲେବର ଦର୍ଶକଙ୍କୁ ଦେଖାଇଛନ୍ତି। ‘ୟାରା’ ସିନେମାର ସଙ୍ଗୀତ ମଧ୍ୟ ଦର୍ଶକଙ୍କ ହୃଦୟ ଜିତି ପାରିଛି। ଫିଲ୍ମର ପରିସ୍ଥିତିକୁ ଭଲ ଭାବେ ବୁଝାଇବାରେ ଗୀତ ସାହାଯ୍ୟ କରୁଛି। ତେବେ ଫିଲ୍ମକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଥିବାବେଳେ ପୂରା କାହାଣୀ ଜାଣିବାକୁ ଆପଣଙ୍କୁ ସିନେମା ଦେଖିବାକୁ ପଡ଼ିବ।

ଲୁଟକେସ
କୋରୋନା ଭାଇରସ କାରଣରୁ ଲଗାତର ଫିଲ୍ମଗୁଡ଼ିକୁ ଓଟିଟି ଫିଲ୍ମରେ ରିଲିଜ୍ ହେଉଥିବାବେଳେ ଏଭଳି ଏକ କମେଡି ସିନେମା ‘ଲୁଟକେସ’ ଡିଜନୀ ହଟଷ୍ଟାରରେ ରିଲିଜ୍ ହୋଇଛି। ଏହା ଏକ କମେଡି ସିନେମା, ଯେଉଁଥିରେ ଜଣେ ସାଧାରଣ ବ୍ୟକ୍ତିଙ୍କ ଦୈନନ୍ଦିନ ସଂଘର୍ଷ ଓ ତାଙ୍କ ଧନୀ ହେବାର ସ୍ବପ୍ନକୁ କମେଡି ରୂପରେ ପରଷା ଯାଇଛି। ନନ୍ଦନ କୁମାର ଚରିତ୍ରରେ ଅଭିନୟ କରିଥିବା କୁଣାଳ ଖେମୁ ମଧ୍ୟବିତ୍ତ ପରିବାରର ଜଣେ ବ୍ୟକ୍ତି। ସେ ସବୁବେଳେ ଆର୍ଥିକ ଅଭାବ ସହିତ ସଂଘର୍ଷ କରୁଛନ୍ତି। ଏପରିସ୍ଥଳେ ଶୂନଶାନ ଗଳିରେ ତାଙ୍କୁ ଟଙ୍କା ଭର୍ତ୍ତି ଏକ ସୁଟକେଶ ମିଳୁଛି। ଏତେ ଟଙ୍କା ଲୁଚାଇବା ମଧ୍ୟ ତାଙ୍କ ପାଇଁ ସମ୍ଭବ ନୁହେଁ। ତେବେ ନନ୍ଦନଙ୍କ ପରିବାରକୁ ଏହି ଟଙ୍କା ଖୁସି ଦେଉଛି କି ସମସ୍ୟା ଆହୁରି ବଢ଼ାଉଛି, ଜାଣିବା ପାଇଁ ଆପଣଙ୍କୁ ପୂରା ସିନେମା ଦେଖିବାକୁ ପଡ଼ିବ।

ସିନେମାରେ ମଧ୍ୟବିତ୍ତ ଶ୍ରେଣୀ ପରିବାରର ଲୋକଙ୍କ ସମସ୍ୟାକୁ ବହୁତ ହାଲୁକା ଭାବେ ଦେଖାଯାଇଛି। ଫିଲ୍ମର କାହାଣୀ ଭଲ ଥିଲେ ମଧ୍ୟ ଦର୍ଶକ ଏହାର ଅନୁମାନ ପୂର୍ବରୁ ଲଗାଇ ଦେଇପାରିବେ। ମଝିରେ କିଛି ସମୟ ଫିଲ୍ମକୁ ଜବରଦସ୍ତ ଟାଣୁଥିବା ଦେଖିବାକୁ ମିଳୁଛି। କୁଣାଳ ଜଣେ ସାଧାରଣ ବ୍ୟକ୍ତି ଭାବେ ନିଜ ଚରିତ୍ରକୁ ବହୁତ ଭଲ ଭାବେ ଫୁଟାଇଛନ୍ତି। ଫିଲ୍ମରେ ବିଜୟ ରାଜ, ଗଜରାଜ ରାଓ ଓ ରଣବୀର ଶୋରେଙ୍କ ଅଭିନୟ ବହୁତ ଭଲ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ