କେବଳ କୋରୋନା ନୁହେଁ, ଏସବୁ ପାଇଁ ବି ହୋଇପାରେ ଗଳା ଖରାପ


କୋରୋନା ଭାଇରସ ଏବେ ପୂରା ଦୁନିଆକୁ ଦୋହଲାଇ ରଖିଛି। ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଏହି ସଂକ୍ରମଣର ଶିକାର ହେବାରେ ଲାଗିଛନ୍ତି। ଏହାର ମୁଖ୍ୟ ଲକ୍ଷଣ ମଧ୍ୟରେ ଥଣ୍ଡା, କାଶ ଆଦି ରହିଛି। ଏପରିସ୍ଥଳେ ଅଧିକାଂଶ ଲୋକଙ୍କ ଗଳା ଗତଗତ ହେବା, ପୋଡ଼ିବା, ଯନ୍ତ୍ରଣା ହେବା କିମ୍ବା ବସିଯିବା ଭଳି ସମସ୍ୟା ହେଲେ କୋରୋନା ସଂକ୍ରମଣ ହୋଇଥିବା ଭାବି ଡରି ଯାଉଛନ୍ତି। କିନ୍ତୁ ଗଳା ଖରାପ ହେଲେ, ଏହା ଜରୁରୀ ନୁହେଁ ଯେ ଆପଣଙ୍କୁ କୋରୋନା ହୋଇଛି। ଏହାର ଅନ୍ୟ କିଛି ବି କାରଣ ହୋଇପାରେ ଯାହା ବର୍ଷାଦିନେ ସାଧାରଣ କଥା। ଚାଲନ୍ତୁ ଜାଣିବା ଅନ୍ୟ କେଉଁ କାରଣ ପାଇଁ ଗଳା ଖରାପ ହୋଇଥାଏ।

ଫ୍ଲୁ
ଏହି ଋତୁରେ ସାଧାରଣ ଥଣ୍ଡା ଭଳି ଅନେକ ଲୋକଙ୍କର ଫ୍ଲୁ ସମସ୍ୟା ଦେଖିବାକୁ ମିଳିଥାଏ। ଏହା ଫଳରେ ଗଳାରେ ଅସହ୍ୟ ଯନ୍ତ୍ରଣା, ପୋଡ଼ିବା, ବସିଯିବା ଓ ଖାଦ୍ୟ ଖାଇବାରେ ସମସ୍ୟା ହୋଇଥାଏ। ଏହା ବ୍ୟତୀତ ଫ୍ଲୁ ସମୟରେ ଜ୍ବର, ଥଣ୍ଡା, ମୁଣ୍ଡବିନ୍ଧା, ଥକାଲାଗିବା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ। ସାଧାରଣତଃ ଭଲ ଭାବେ ବିଶ୍ରାମ ନେଲେ ଏହି ସମସ୍ୟାରୁ ଆରାମ ମିଳିଥାଏ। ତେବେ ଫ୍ଲୁ ସମୟରେ ଘରେ ରହିବା ଉଚିତ। ସୁପ, ଡାଲିପାଣି, ଚିକେନ୍ ସୁପ୍ ଓ କମ୍ ମସଲାଯୁକ୍ତ ହାଲୁକା ଖାଦ୍ୟ ଖାଇବା ଉଚିତ। ଗରମ ପାଣି ଓ ଗ୍ରୀନ୍ ଟି ମଧ୍ୟ ସେବନ କରିବା ଉଚିତ। କିନ୍ତୁ ୫-୬ ଦିନ ଯାଏ କୌଣସି ସୁଧାର ନ ଆସିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସାଧାରଣ ଥଣ୍ଡା
ବର୍ଷାଦିନେ ଭାଇରାଲ ସଂକ୍ରମଣ ହେବା ଆଶଙ୍କା ଅନେକ ଗୁଣା ବଢ଼ିଯାଏ। ଏପରିସ୍ଥଳେ ପ୍ରାୟ ସମସ୍ତଙ୍କୁ ସାଧାରଣ ଭାବେ ଥଣ୍ଡା, କାଶ ଆଦି ହୋଇଥାଏ। ଏହି କାରଣରୁ ମଧ୍ୟ ଗଳା ଖରାପ ହୋଇଥାଏ। ଏହାବ୍ୟତୀତ ସାଧାରଣ ଥଣ୍ଡା ହେଲେ ନାକରୁ ପାଣି ବହିବା, ଛିଙ୍କ ହେବା, କାଶ ହେବା ଭଳି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ସମସ୍ୟାରୁ ଆରାମ ପାଇବା ପାଇଁ ଆପଣ ଗରମ ପାଣି ସେବନ କରିବା ସହିତ। ଏଥିରେ ଅଳ୍ପ ଲୁଣ ମିଶାଇ ଗାର୍ଗଲିଂ କରିପାରିବେ। ଏହାବ୍ୟତୀତ ହର୍ବାଲ ଓ ଗ୍ରୀନ୍ ଟି’ ମଧ୍ୟ ଆରାମ ଦେବ।

ଷ୍ଟ୍ରେପ ଥ୍ରୋଟ
ଷ୍ଟ୍ରେପ୍ଟୋକୋକୋସ ନାମକ ଏକ ବ୍ୟାକ୍ଟେରିଆ କାରଣରୁ ଏହା ଗଳାରେ ହେଉଥିବା ଏକ ସଂକ୍ରମଣ। ଗଳା ଯନ୍ତ୍ରଣା, ଗଳା ଗତଗତ, ଖାଦ୍ୟ ଗିଳିବାରେ ସମସ୍ୟା ଓ ଗଳାର ପଛ ପାଖ ଜଳାପୋଡ଼ା ହେବା ଭଳି ଅନୁଭବ ହୋଇଥାଏ। ଏହା ସାଧାରଣ ଥଣ୍ଡା ଓ ଫ୍ଲୁ ଭଳି ସଂକ୍ରମଣ, ଯାହା ବର୍ଷାଦିନେ ଅଧିକାଂଶ ଲୋକଙ୍କୁ ଶିକାର କରିଦିଏ। ଷ୍ଟ୍ରେପ୍ ଥ୍ରୋଟ୍ ସମସ୍ୟା ହେଲେ ଥଣ୍ଡା ଲାଗିବା, ଅଚାନକ ଜ୍ବର ହେବା, ମାଂସପେଶୀ ଓ ମୁଣ୍ଡବିନ୍ଧା ଲଗାତର ହେବା, ଭୋକ କମ୍ ଲାଗିବା ଆଦି ସମସ୍ୟା ଦେଖାଯାଏ। ତେଣୁ ଗରମ ପାଣି, ହର୍ବାଲ ଟି, ସୁପ ଆଦି ସେବନ କରିବା ଲାଭଦାୟକ ହୋଇଥାଏ। ଏହାବ୍ୟତୀତ ସମସ୍ୟା ବଢ଼ିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ଏହା ଏକ ସଂକ୍ରମିତ ରୋଗ, ଯାହା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିପାରେ। ତେଣୁ ଏହି ରୋଗରେ ପୀଡ଼ିତ ବ୍ୟକ୍ତି ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବା ଉଚିତ ନୁହେଁ।

ଟନ୍ସିଲାଇଟିସ୍
ଟନ୍ସିଲାଇଟିସ୍ କାରଣରୁ ଗଳାରେ ଥିବା ଟନ୍ସିଲ୍ ଫୁଲିଯିବା ସମସ୍ୟା ଦେଖାଯାଏ। ଏହାଦ୍ବାରା ଗଳାରେ ଯନ୍ତ୍ରଣା, ଗଳା ବସିବା, ପୋଡ଼ିବା ଓ ଖାଇବାରେ ସମସ୍ୟା ହୋଇଥାଏ। ଏମିତିରେ ଏହି ସମସ୍ୟା ୪ରୁ ୧୦ ଦିନ ଭିତରେ ଆପେ ଆପେ ଠିକ୍ ହୋଇଯାଇଥାଏ। ଯଦି ଏହା ଠିକ୍ ହେଉ ନାହିଁ, ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ। ଟନ୍ସିଲାଇଟିସ୍ କାରଣରୁ ଜ୍ବର ହୋଇପାରେ, କିନ୍ତୁ ଥଣ୍ଡା କାଶ ଭଳି ଲକ୍ଷଣ ଦେଖିବାକୁ ମିଳି ନ ଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ