ଉଡ଼ାଣ ଭରୁ ଭରୁ ଷ୍ଟିଫେନିଆନ ସଚିନ ପାଲଟିଗଲେ ଲୋକପ୍ରିୟ ନେତା


ଗତ କିଛିଦିନ ପର୍ଯ୍ୟନ୍ତ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଥିଲେ ସଚିନ ପାଇଲଟ। ଏବେ ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ହୋଇଯାଇଛନ୍ତି। ରାଜସ୍ଥାନ ବିଧାୟକ ଦଳ ବୈଠକରେ ଅନୁପସ୍ଥିତ ଓ କଂଗ୍ରେସ ବିରୋଧରେ ଷଡ଼ଯନ୍ତ୍ର ପାଇଁ ତାଙ୍କୁ ଏଭଳି କ୍ଷମତା ହରାଇବାକୁ ପଡ଼ିଥିବା କୁହାଯାଉଛି। ଉପମୁଖ୍ୟମନ୍ତ୍ରୀରୁ ହଟିବା ପୂର୍ବରୁ ସେ ଜନଗଣଙ୍କ ଉଦ୍ଦେଶ୍ୟରେ ଟ୍ବିଟ କରି ପ୍ରତିକ୍ରିୟାରେ କହିଥିଲେ ଯେ ସତ୍ୟ ସମସ୍ୟାରେ ପଡ଼ିପାରେ। କିନ୍ତୁ ପରାଜିତ ନୁହେଁ। ପରେ ପରେ ସେ ନିଜ ଟ୍ବିଟରର ପରିଚୟ ସ୍ତମ୍ଭରୁ କଂଗ୍ରେସ ଶବ୍ଦକୁ ଉଠାଇ ନେଇଥିଲେ। ୨୦୦୩ରେ କଂଗ୍ରେସ ସହ ହାତ ମିଳାଇବା ପରେ ପରବର୍ତ୍ତୀ ବର୍ଷରେ ସାଂସଦ ହୋଇଯାଇଥିଲେ। ସେତେବେଳକୁ ତାଙ୍କର ବୟସ ମାତ୍ର ୨୬ ବର୍ଷ ଥିଲା। କମ ବୟସରେ ସେ ଏତେବଡ଼ ସଫଳତା ହାସଲ କରିଥିଲେ, ଯାହା ଅନେକଙ୍କ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥାଏ।

ସଚିନ ୩୨ ବର୍ଷ ବୟସରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ। ୩୬ ବର୍ଷ ବୟସରେ ରାଜସ୍ଥାନ କଂଗ୍ରେସ କମିଟି ଅଧ୍ୟକ୍ଷ ଭାର ତୁଲାଇବା ସହିତ ଏଥର ବିଧାନସଭା ନିର୍ବାଚନରେ ସଫଳତା ପରେ ତାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିଥିଲା। ୨୦୧୩ ନିର୍ବାଚନରେ ୨୦୦ ଆସନରୁ ମାତ୍ର ୨୧ଟି ଆସନ ଜିତିଥିବା କଂଗ୍ରେସ ୨୦୧୮ରେ ୯୯ ଆସନରେ ବିଜୟୀ ହେବା ପଛରେ ସଚିନଙ୍କ ଶ୍ରମ ଓ ସ୍ବେଦ ଯେ ନିହିତ ଥିଲା ଏକଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସ୍ବୟଂ ସ୍ବୀକାର କରିଥିଲେ। ବିଜୟର ଅସଲ ହିରୋ ନାଟକୀୟ ଭାବେ ଉପମୁଖ୍ୟମନ୍ତ୍ରୀ ହେଲେ। ଦଳର ସଭାପତି ଥିବା ସଚିନ ନିର୍ବାଚନରେ ପୂରା ଦାୟିତ୍ବ ନେବା ସହିତ ରାଜ୍ୟର କୋଣ ଅନୁକୋଣ ବୁଲି ୨୦୧୩ରେ ଦଳକୁ ମୁହଁ ମୋଡ଼ି ଅଲଗା ହୋଇଯାଇଥିବା ଅସନ୍ତୁଷ୍ଟଙ୍କ ମାନଭଞ୍ଜନ କରି ଦଳକୁ ଫେରାଇ ଆଣିଥିଲେ। ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହେଲେ ଓ ସଚିନ ହେଲେ ଉପମୁଖ୍ୟମନ୍ତ୍ରୀ। ୨୩ ବର୍ଷ ବୟସରେ ନିଜ ପିତାଙ୍କ ବିୟୋଗ ପରେ କର୍ପୋରେଟ ଜଗତରେ ଚାକିରି ପାଇଁ ଚାହୁଁଥିବା ସଚିନ ସୁଯୋଗ ପାଇଲେ ଭାରତୀୟ ବାୟୁସେନାରେ। ପାଇଲଟ ହେବାର ହେବାର ଇଚ୍ଛା ମଧ୍ୟ ରଖିଥିଲେ। କିନ୍ତୁ ୧୧ ଜୁନ ୨୦୦୦ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ପିତା ରାଜେଶ ପାଇଲଟଙ୍କ ମ୍‌ତ୍ୟୁ ପରେ ଯୁବ ସଚିନଙ୍କ ଜୀବନର ଦିଗ ବଦଳିଗଲା।

ଗାଁକୁ ଗାଁ ବୁଲୁଥିଲେ ଗାଡ଼ିରେ
ଭାରତୀୟ ରାଜନୀତିରେ ତାଙ୍କ ପିତା ରାଜେଶ ପାଇଲଟ ଏକ ଚର୍ଚ୍ଚିତ ନାମ। ତାଙ୍କ ମାତା ରମା ପାଇଲଟ ମଧ୍ୟ ବିଧାୟକ ତଥା ସାଂସଦ ଥିଲେ। ୧୯୭୭ରେ ୟୁପିର ସାହାରନପୁରରେ ଜନ୍ମିତ ସଚିନଙ୍କ ପ୍ରାଥମିକ ଶିକ୍ଷା ନୂଆଦିଲ୍ଳୀର ଏୟାରଫୋର୍ସ ‘ବାଳ ଭାରତୀ’ ସ୍କୁଲରେ ହୋଇଥିଲା। ପରେ ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ଉଚ୍ଚଶିକ୍ଷା ପାଇଥିଲେ। ଏହାପରେ ସଚିନ ଆମେରିକାର ଏକ ବିଶ୍ବବିଦ୍ୟାଳୟରେ ମ୍ୟାନେଜମେଣ୍ଟରେ ପୋଷ୍ଟ ଗ୍ରାଜୁଏସନ କରିଥିଲେ। କଂଗ୍ରେସ ଦଳରେ ଯୋଗଦେବା ପୂର୍ବରୁ ସେ ବିବିସିର ଦିଲ୍ଲୀ କାର୍ଯ୍ୟାଳୟରେ ଇଣ୍ଟର୍ନ ଏବଂ ଆମେରିକୀୟ କମ୍ପାନୀ ଜେନେରାଲ ମୋଟର୍ସରେ କାମ କରିଥିଲେ। କିନ୍ତୁ ସେ ପିଲାଦିନୁ ଭାରତୀୟ ବାୟୁସେନାର ବିମାନରେ ଉଡ଼ାଣ ଭରିବାର ସ୍ବପ୍ନ ଦେଖିଆସୁଥିଲେ। ଏକ ଇଂରାଜୀ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସଚିନ କହିଥିଲେ ଯେ ସ୍କୁଲର ସହପାଠୀମାନେ ମୋର ନାମର ସାଙ୍ଗିଆ ପାଇଲଟକୁ ନେଇ ମୋତେ ଯେଉଁ ଥଟ୍ଟା ପରିହାସ କରୁଥିଲେ, ଏହା ମୋ ଉପରେ ଗଭୀର ପ୍ରଭାବ ପକାଇଥିଲା। ମୁଁ ଚାହୁଁଥିଲି ବାପାଙ୍କ ଭଳି ସତରେ ଜଣେ ପାଇଲଟ ହେବି। ମା’ଙ୍କ ଅଗୋଚରରେ ମୁଁ ବିମାନ ଚଳାଇବାର ଲାଇସେନ୍ସ ହାସଲ କଲି। କିନ୍ତୁ ଯେତେବେଳେ ନିଜ ପିତାଙ୍କ ରାଜନୈତିକ ଉତ୍ତରାଧିକାରୀ ସମ୍ଭାଳିବା ଆରମ୍ଭ କଲି ସେତେବେଳେ ମୁଁ ଆକାଶରେ ଉଡ଼ିବା ଅପେକ୍ଷା ଗାଁକୁ ଗାଁ ଗାଡ଼ି ଧରି ବୁଲୁଥିଲି। କଂଗ୍ରେସରେ ସାମିଲ ହେବା ପରେ ତାଙ୍କୁ ଉଦୀୟମାନ ନେତା ବୋଲି କୁହାଗଲା।

ଦଲାଇଲାମାଙ୍କ ଠାରୁ ଶିଖିଥିଲେ ବିନମ୍ରତା
ଦୋସା ଏବଂ ଆଜମେରର ସାଂସଦ ଥିବା ସଚିନ ୨୦୧୮ରେ ଟୋକରୁ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଲୋକଙ୍କ ସହ ସିଧାସଳଖ ସମ୍ପର୍କ ବଢ଼ିଛି। ଥରେ ଏକ ନିର୍ବାଚନୀ ସଭାରେ ବିଳମ୍ବରେ ପହଞ୍ଚିଥିବା ସଚିନ ଲୋକଙ୍କ ଠାରୁ କ୍ଷମାଭିକ୍ଷା କରିଥିଲେ। ପରେ ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଲେ ଯେ ବିନମ୍ରତା, ଧୈର୍ଯ୍ୟ ଏବଂ ସ୍ମିତହାସ୍ୟ ମୁଁ ଦଲାଇଲାମାଙ୍କ ଠାରୁ ଶିଖିଛି। ମୁଁ ବିଗତ ଅନେକ ବର୍ଷ ଧରି ଏହାର ଅଭ୍ୟାସ ଜାରି ରଖିଛି।

ସାରାଙ୍କୁ କରିଛନ୍ତି ବିବାହ

ସଚିନ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ କନ୍ୟା ସାରାଙ୍କୁ ବିବାହ କରିଛନ୍ତି। ଇଣ୍ଡିଆନ ଟେରିଟୋରିଆଲ ଆର୍ମିର ଅଧିକାରୀ ଥିବା ସଚିନ ମୁସଲିମ ସମ୍ପ୍ରଦାୟରୁ ବାହା ହେବାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତରରେ କହିଥିଲେ, ଧର୍ମ ଏକ ବ୍ୟକ୍ତିଗତ ପ୍ରସଙ୍ଗ। ଯେତେବେଳେ ଆପଣ ଜୀବନର ଗୁରୁରତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ସେତେବେଳେ ଧର୍ମ ଓ ଜାତି ଆଧାରରେ ନିଷ୍ପତ୍ତି ନେବା ଉଚିତ ନୁହେଁ।

ରାହୁଲ ଗାନ୍ଧିଙ୍କ ସହ ନିବିଡ଼ ସମ୍ପର୍କ ପାଇଁ ଜଣାଶୁଣା ସଚିନ କେବେ ବି ରାଜନୈତିକ ଫାଇଦା ପାଇଁ ରାହୁଲଙ୍କ ବନ୍ଧୁତ୍ବକୁ ବ୍ୟବହାର କରିନାହାନ୍ତି। ବରଂ କଂଗ୍ରେସ ଦଳ ଯେତେବେଳେ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ମାନିନେଇଛନ୍ତି। ସାଧାରଣ ଲୋକଙ୍କ ଠାରୁ ଦଳର ସର୍ବୋଚ୍ଚ ନେତାଙ୍କ ଯାଏ ସବୁଠି ନିଜର ଏକ ନିର୍ମଳ ଭାବମୂର୍ତ୍ତି ରଖିଆସିଥିବା ସଚିନଙ୍କ ଭଳି ରାଜନେତା ମିଳିବା ସତରେ ବିରଳ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ