୩୪ ବର୍ଷ ପରେ ଭାରତରେ ନୂଆ ଶିକ୍ଷାନୀତି: ବଦଳିବ ଢାଞ୍ଚା, ମିଳିବ ଗୁଣାତ୍ମକ ଶିକ୍ଷା


ଦେଶରେ ୩୪ ବର୍ଷ ପରେ ନୂଆ ଶିକ୍ଷାନୀତିର ଘୋଷଣା କରାଯାଇଛି। ଏହି ନୀତି ଫଳରେ ଦେଶରେ ବିଦ୍ୟାଳୟ ଶିକ୍ଷାର ଢାଞ୍ଚା ବଦଳିଯିବ। କ୍ରୀଡ଼ା ଏବଂ ପ୍ରଯୁକ୍ତି ତଥା କୌଶଳ ସମ୍ପର୍କିତ ବିଷୟକୁ ପ୍ରାଥମିକତା ମିଳିବ। ଏଥି ସହିତ ମାନବସମ୍ବଳ ବିକାଶ ମନ୍ତ୍ରାଳୟର ନାମ ପରିବର୍ତ୍ତନ ହୋଇ ଶିକ୍ଷା ମନ୍ତ୍ରାଳୟ ଭାବେ ପରିଚିତ ହେବ। ଦେଶରେ ବର୍ତ୍ତମାନ ସ୍କୁଲଶିକ୍ଷା ବ୍ୟବସ୍ଥା ୧୦+୨ ଫର୍ମାଟରେ ଆଧାରିତ ଥିଲା। ଏବେ ଏହା ୫+୩+୩+୪ ଢାଞ୍ଚାକୁ ପରିବର୍ତ୍ତିତ ହେବ। ସ୍କୁଲର ପ୍ରଥମ ପାଞ୍ଚବର୍ଷର ପାଠପଢ଼ାକୁ ଫାଉଣ୍ଡେସନ ଷ୍ଟେଜ ଭାବେ ବିବେଚନା କରାଯିବ। ଏହି ସମୟ ମଧ୍ୟରେ ବିଦ୍ୟାର୍ଥୀଙ୍କ ମୂଳଦୁଆ ଟାଣ ହେବ। ପ୍ରଥମ ପାଞ୍ଚବର୍ଷରେ ପାଠପଢ଼ା ପାଇଁ ଆବଶ୍ୟକ ପାଠ୍ୟକ୍ରମ ଏନସିଇଆରଟି ପକ୍ଷରୁ ପ୍ରସ୍ତୁତ କରାଯିବ। ଏଥିରୁ ୩ ବର୍ଷ ପ୍ରାକ୍ ପ୍ରାଥମିକ ଓ ପର ଦୁଇବର୍ଷ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ବର୍ଷେ ଲେଖାଏ ପଢ଼ାଯିବ। ଏଥିରେ ପିଲାଙ୍କ ଖେଳକୁଦ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାଦାନ କରାଯିବ।

ମୂଳରୁ ପଡ଼ିବ ଶିକ୍ଷାର ମୂଳଦୁଆ
ଶିଶୁର ଜୀବନ ଆରମ୍ଭରୁ ଶିକ୍ଷାର ମୂଳଦୁଆ ପଡ଼ିବା ପରେ ଆଉ ୩ ବର୍ଷ ଅର୍ଥାତ ୩ୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ ସମୟରେ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଠନକୁ ଫୋକସ କରାଯିବ। ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରସ୍ତୁତ କରାଯିବ। ଶ୍ରେଣୀଗୁଡ଼ିକରେ କଳା, ବିଜ୍ଞାନ, ଗଣିତ, ସମାଜ ବିଜ୍ଞାନ ପଢ଼ାଯିବ। ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀକୁ ମିଡିଲ ଜୋନ ବା ମାଧ୍ୟମିକ ସ୍ତର ବିବେଚନା କରାଯିବ। ଧାର୍ଯ୍ୟ ପାଠ୍ୟକ୍ରମ ପଢ଼ାଯିବ। ଏହାପରେ ନବମରୁ ଦ୍ବାଦଶ ୪ ବର୍ଷର ପାଠ୍ୟକ୍ରମ ରହିବ। ବିଦ୍ୟାର୍ଥୀଙ୍କ ବିଶ୍ଳେଷଣ କ୍ଷମତା ବ୍‌ଦ୍ଧି ପ୍ରତି ଧ୍ୟାନ ଦିଆଯିବ। ଜୀବନର ବଡ଼ ଲକ୍ଷ୍ୟ ନିର୍ଦ୍ଧାରିତ କରାଯିବ ଏସବୁ ଶ୍ରେଣୀଗୁଡ଼ିକରେ।

ସ୍କୁଲରେ ଏବେ ରହିବନି ବିଭାଗ
ଆଗରୁ ଯେଭଳି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ +୨ ଶ୍ରେଣୀରେ ଥିଲା, ଏବେ ଆଉ ସେପରି ରହିବନି। ଯଦି ଜଣେ କଳା ଓ ବାଣିଜ୍ୟ ଛାତ୍ର ପଦାର୍ଥ ବିଜ୍ଞାନ ପଢ଼ିବା ପାଇଁ ଚାହିଁବ, ପଢ଼ିପାରିବ ଏବଂ ବିଜ୍ଞାନ ଛାତ୍ର ଇତିହାସ ଓ ଆକାଉଣ୍ଟସ ପଢ଼ିପାରିବ। ଭିନ୍ନ ଭିନ୍ନ ବିଷୟକୁ ନେଇ ପୁଲ୍‌ ରହିବ ଓ ବିଦ୍ୟାର୍ଥୀମାନେ ପୁଲ୍‌ ବାଛି ନାମ ଲେଖାଇ ପାରିବେ।

ପଞ୍ଚମ ଯାଏ ମାତ୍‌ଭାଷା
ଏବେ ପଞ୍ଚମ ଶ୍ରେଣୀ ଯାଏ ପାଠପଢ଼ା ମାତ୍‌ଭାଷା ସ୍ଥାନୀୟ ଭାଷାରେ ଓ ଜାତୀୟ ଭାଷାରେ ହିଁ କରାଯିବ। ଇଂରାଜୀ ଭାଷାର ବୋଝ ସମାପ୍ତି ହେବ। ଯଦି ଆମେ ଆମ ପିଲାଙ୍କୁ ପ୍ରଥମରୁ ପଞ୍ଚମ ଯାଏ ପଢ଼ାଇବାକୁ ଚାହିଁବା, ତେବେ ମାତ୍‌ଭାଷାରେ ପଢ଼ିବା ସହ ଇଂରାଜୀକୁ ଗୋଟିଏ ବିଷୟ ଭାବେ ବାଢ଼ି ପଢ଼ିପାରିବା। କିନ୍ତୁ ପୂରା ପାଠ୍ୟକ୍ରମ ଇଂରାଜୀରେ ପଢ଼ି ପାରିବନି।

ଷଷ୍ଠରୁ ପିଲାଏ ଶିଖିବେ କମ୍ପ୍ୟୁଟର କୋଡିଂ
ଷଷ୍ଠ ଶ୍ରେଣୀରେ ପହଞ୍ଚିବା ପରେ ଜଣେ ବିଦ୍ୟାର୍ଥୀଙ୍କୁ କମ୍ପ୍ୟୁଟର କୋଡିଂ ଶିଖିବାକୁ ସୁଯୋଗ ମିଳିବ। ଏଭଳି ଭାବେ ଜଣେ ଭାରତୀୟ ଛାତ୍ର କମ ବୟସରେ ସଫ୍ଟୱେୟାର ଏବଂ ମୋବାଇଲ ଆପ୍ଲିକେସନ ତିଆରି କରିବାର କୌଶଳ ଶିଖିପାରିବେ। ଷଷ୍ଠଶ୍ରେଣୀରୁ ଇଣ୍ଟର୍ନଶିପର ସୁଯୋଗ ମିଳିବ। ଯଦି କୌଣସି ଛାତ୍ରଙ୍କ କୌଣସି ନିର୍ଦ୍ଦିଷ୍ଟ ବିଷୟ ଉପରେ ରୁଚି ଥାଏ ଏବଂ ତାକୁ ପ୍ରାକ୍ଟିକାଲ ନଲେଜ ଆହରଣ କରିବାର ଆଗ୍ରହ ଥାଏ ତେବେ ଏ ବିଷୟରେ ଛାତ୍ରଟି ଇଣ୍ଟର୍ନଶିପ କରିପାରେ। ଉଦାହରଣସ୍ବରୂପ ଯଦି ଆପଣଙ୍କ ଛାତ୍ର ଚିତ୍ରକଳା ପ୍ରତି ଆଗ୍ରହୀ, ତେବ ସେ ଚିତ୍ରକରଙ୍କ ନିକଟକୁ ଶିକ୍ଷାନବୀଶ ଭାବେ ଯାଇପାରିବ।

ବାର୍ଷିକ ପରୀକ୍ଷା ପରିବର୍ତ୍ତେ ହେବ ସେମିଷ୍ଟାର ପରୀକ୍ଷା
ନବମ ଶ୍ରେଣୀରୁ ଦ୍ବାଦଶ ଯାଏ ପରୀକ୍ଷା ସେମିଷ୍ଟାର ଭିତ୍ତିକ ହେବ। ବର୍ଷକୁ ଦୁଇଟି ସେମିଷ୍ଟାର ହେବ। ପ୍ରତି ୬ ମାସରେ ଗୋଟିଏ ପରୀକ୍ଷା। ଦୁଇ ସେମିଷ୍ଟାରର ମାର୍କ ମିଶାଇ ଚୂଡ଼ାନ୍ତ ମାର୍କଶିଟ ପ୍ରସ୍ତୁତ ହେବ। ଫଳରେ ପିଲାଟି ବର୍ଷଯାକ ପଢ଼ିବା ପାଇଁ ବାଧ୍ୟ ହେବ। ବାର୍ଷିକ ପରୀକ୍ଷା ଆଳରେ ଅନ୍ୟ ପରୀକ୍ଷା ଗୁଡ଼ିକୁ ନ୍ୟୁନ ମନେକରିବ ନାହିଁ।

ସହଜ ହେବ ବୋର୍ଡ ପରୀକ୍ଷା
ବୋର୍ଡ ପରୀକ୍ଷାକୁ ସରଳ କରାଯିବ। ଟ୍ୟୁସନ ଓ କୋଚିଂ କ୍ଲାସର ଘୋଷାପାଠର ଅଭ୍ୟାସକୁ ପରିସମାପ୍ତି କରାଯିବ। ବୋର୍ଡ ପରୀକ୍ଷା ଦେବା ପାଇଁ ଚାହୁଁଥିବା ଛାତ୍ର ନିଜ ପସନ୍ଦର ଭାଷାରେ ପରୀକ୍ଷା ଦେଇପାରିବେ। ଛାତ୍ରଟି ଯଦି ଚାହୁଁଛି ଓଡ଼ିଆରେ ପରୀକ୍ଷା ଦେବ, ତେବେ ସେ ଦେଇପାରିବ।

ସହପାଠୀ ବି ଆକଳନ କରିବେ ରିପୋର୍ଟ କାର୍ଡ
କୌଣସି ଛାତ୍ରଛାତ୍ରୀଙ୍କୁ ଫାଇନାଲ ମାର୍କ ଦେବା ସମୟରେ ତାଙ୍କର ସହପାଠୀ ଓ ଶିକ୍ଷକ ମିଶି ରିପୋର୍ଟ କାର୍ଡ ତିଆରି କରିବେ। ଏଥିରେ ତାଙ୍କର ବ୍ୟବହାର, ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ, ମାନସିକ ସାମର୍ଥ୍ୟକୁ ନେଇ ମାର୍କ ଦେବେ। ଏହା ଫଳରେ ପିଲାଟି କେବଳ ଗୁରୁଙ୍କୁ ନୁହେଁ, ସହପାଠୀମାନଙ୍କ ସହ ପ୍ରଥମରୁ ଉତ୍ତମ ସମ୍ପର୍କ ସ୍ଥାପନା ପ୍ରତି ଗୁରୁତ୍ବ ଦେବାକୁ ଶିଖିବ।

କଲେଜ ନାମଲେଖା ପାଇଁ ହେବ ପ୍ରବେଶିକା
ନାମଲେଖା ପାଇଁ କମନ ଆପଟିଚ୍ୟୁଡ ଟେଷ୍ଟ (କ୍ୟାଟ) ଦେବାକୁ ହେବ। ଯଦି ଆପଣଙ୍କ ଦ୍ବାଦଶ ଶ୍ରେଣୀରେ ମାର୍କ କମ ଅଛି ଏବଂ କଟ ଅଫ ମାର୍କରେ ଭଲ କଲେଜ ମିଳୁନି, ତେବେ ଆପଣ କ୍ୟାଟ ଦେଇ ଭଲ କଲେଜରେ ନାମ ଲେଖାଇ ପାରିବେ।

ଅଧାରୁ ପାଠ ଛାଡ଼ିଲେ ମିଳିବ ସାର୍ଟିଫିକେଟ
ଗ୍ରାଜୁଏସନ ଶିକ୍ଷାଦାନ ୩-୪ ବର୍ଷର ପାଠ୍ୟଅବଧିରେ ବଣ୍ଟାଯାଇଛି। ଯଦି ଆପଣ ଗ୍ରାଜୁଏସନ ଅଧାରୁ ପାଠପଢ଼ା ଛାଡ଼ୁଥିଲେ ତେବେ ଡିଗ୍ରୀ ପ୍ରମାଣପତ୍ର ମିଳୁ ନ ଥିଲା ଆଗରୁ। ଏବେ ନୂଆ ଶିକ୍ଷାନୀତିରେ ଅଲଗା। ଗୋଟିଏ ବର୍ଷ ପଢ଼ି ଯଦି ପାଠ ଛାଡ଼ନ୍ତି, ତେବେ ବି ଆପଣଙ୍କୁ ସାର୍ଟିଫିକେଟ ମିଳିଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ