ରିଲ ଭିଲେନ ଏବେ ରିଅଲ ଲାଇଫରେ ହିରୋ: ଲକଡାଉନରେ ଶ୍ରମିକଙ୍କ ଭଗବାନ ପାଲଟିଛନ୍ତି ସୋନୁ


ସୋନୁ ସୁଦ ସାର, ପ୍ଲିଜ ହେଲ୍ପ। ଇଷ୍ଟ ୟୁପି ମେ କହୀଁ ଭି ଭେଜ ଦୋ ସାର। ୱହାଁ ସେ ପୈଦଲ ଅପନେ ଗାଁଓ ଚଲେ ଜାଏଙ୍ଗେ...। ଜଣେ ପ୍ରବାସୀ ଶ୍ରମିକର ଲକଡାଉନ ସମୟରେ ଏଭଳି ଥିଲା ସିନେ ଅଭିନେତା ସୋନୁ ସୁଦଙ୍କ ନିକଟକୁ ଲେଖାଯାଇଥିବା ଦୁଃଖଭରା କେଇଧାଡ଼ି ଶବ୍ଦ। ବାର୍ତ୍ତା ପାଇବା ପରେ ସୋନୁ ସ୍ବୟଂ ତୁରନ୍ତ ଏହାର ଉତ୍ତର ଦେଇ ଲେଖିଥିଲେ - ପୈଦଲ କ୍ୟୋଁ ଯାଓଗେ ଦୋସ୍ତ? ନମ୍ବର ଭେଜୋ।

ବିଗତ ମାର୍ଚ୍ଚ ମାସ ଠାରୁ ବଲିଉଡ ଅଭିନେତା ସୋନୁ ସୁଦ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାର ଯଥାସମ୍ଭବ ସହାୟତା କରିଆସିଛନ୍ତି। ୩୦ ହଜାରରୁ ଊର୍ଦ୍ଧ୍ବ ଶ୍ରମିକଙ୍କୁ ଭିଟାମାଟିକୁ ଫେରାଇଆଣିବାରେ ସେ ସହଯୋଗ କରିଛନ୍ତି। ସେମାନଙ୍କ ପାଇଁ ସେ ବସ ଠାରୁ ଆରମ୍ଭ କରି ଖାଇବା ପିଇବା ସାମଗ୍ରୀ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଠାରୁ ଆରମ୍ଭ କରି ଜୀବିକା ନିର୍ବାହ ସାଧନ ଉପଲବ୍ଧ କରାଇବା ଯାଏ ସବୁକିଛି ବନ୍ଦୋବସ୍ତ କରାଇଛନ୍ତି।

ସୋନୁଙ୍କ ଏହି ପ୍ରୟାସ କାରଣରୁ ସାରା ଦେଶରେ ତାଙ୍କର ଲୋକପ୍ରିୟତା ବଢ଼ିଛି ଏବଂ ଟ୍ବିଟରରେ #ସୋନୁ ସୁଦ ସବୁଠୁ ଅଧିକ ଟ୍ରେଣ୍ଡ କରିଛି। ଲୋକେ ତାଙ୍କୁ ଶ୍ରମିକଙ୍କ ଭଗବାନ ଓ ଲକଡାଉନର ହିରୋ ଭାବେ ନୂଆ ପରିଚୟ ଦେଇଛନ୍ତି। ଲକଡାଉନର ପ୍ରଥମ ପର୍ଯ୍ୟାୟରେ ୧୮ ହଜାରରୁ ଅଧିକ ଲୋକଙ୍କୁ ସେ ନିଜ ଭିଟାମାଟିକୁ ଫେରାଇଆଣିବାର ଦାୟିତ୍ବ ନେବା ସହ ଦିନକୁ ୪୦-୫୦ ହଜାର ଲୋକଙ୍କ ଭୋଜନ ଦେବାର ବ୍ୟବସ୍ଥା କରାଇଥିଲେ। ୪୬ ବର୍ଷ ବୟସ୍କ ସୋନୁ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ କର୍ଣ୍ଣାଟକ ରାଜ୍ୟର ଶ୍ରମିକମାନଙ୍କୁ ଘରେ ପହଞ୍ଚାଇବାରେ ସହାୟତା କରିଥିଲେ।

ସେ ଏକାଧାରରେ ଜଣେ ସିନେଅଭିନେତା, ମଡେଲ, ନିର୍ମାତା ଭାବେ ଟଲିଉଡ, ବଲିଉଡ ଏବଂ କନ୍ନଡ଼ ସିନେମାରେ କାମ କରିବା ସହିତ କେତେକ ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି। ସୋନୁଙ୍କ ଜନ୍ମ ପଞ୍ଜାବର ଲୁଧିଆନା ଠାରେ। ତାଙ୍କ ପିତା ଗୋଟିଏ ଛୋଟ ଦୋକାନ ପରିଚାଳନା କରୁଥିବା ବେଳେ ମାତା ଜଣେ ଅଧ୍ୟାପିକା। ପିତା ନିଜ ଆୟରୁ ଏକ ବଡ଼ ଅଂଶକୁ ଭୋକିଲା ଲୋକଙ୍କୁ ଭୋଜନ ଦେବାରେ ପ୍ରତ୍ୟହ ବ୍ୟୟ କରିଥାନ୍ତି। ସମ୍ଭବତଃ ପିତାଙ୍କ ଏଭଳି କାର୍ଯ୍ୟର ଛାପ ସୋନୁଙ୍କ ଉପରେ ପଡ଼ିଛି। ସୋନୁଙ୍କର ଦୁଇ ଭଉଣୀ ଅଛନ୍ତି। ତାଙ୍କ ପତ୍ନୀଙ୍କ ନାମ ସୋନାଲି। ଗୋଟିଏ ପୁଅ ନାଁ ହେଉଛି ଇଶାନ୍ତ। ସୋନୁ ମେଧାବୀ ଛାତ୍ର ଥିଲେ। ନାଗପୁରରେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଶିକ୍ଷା ଶେଷ କରି ବଲିଉଡରେ ‘ଶହୀଦ-ଏ-ଆଜମ’ରେ କ୍ୟାରିଅର ଆରମ୍ଭ କରିଥିଲେ। ଯେଉଁଥିରେ ସେ ଭଗତ ସିଂ ଭୂମିକାରେ ଅଭିନୟ କରିଥିଲେ। ପଛକୁ ପଛ ଯୁବା, ଚନ୍ଦ୍ରମୁଖୀ, ଆଶିକ ବନାୟା ଆପନେ, ଯୋଧା ଆକବର, ସିଂ ଇଜ କିଙ୍ଗ, ଏକ ବିଦାୟ ଐସା ହୀ, ଦବଙ୍ଗ-୩, ହାପି ନ୍ୟୁ ଇଅର ଭଳି ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିଲା। ଖଳନାୟକ ଅଭିନୟରେ ଦର୍ଶକମାନଙ୍କ ଦିଲ ଜିତୁଥିବା ସୋନୁ ରିଅଲରେ ଲକ୍ଷ ଲକ୍ଷ ଲୋକଙ୍କ ହିରୋ ପାଲଟିଯିବା ତାଙ୍କ ୨୪ x ୭ ପରିଶ୍ରମ ନିଷ୍ଠା, ସଂସ୍କାର ଓ ସାଧୁତାର ସୂଚକ ହୋଇ ଠିଆହୋଇଛି।

ପୁଅର ନାଁ ରଖିଲେ ସୋନୁ
ସୋନୁଙ୍କ କାମରେ ପ୍ରଭାବିତ ହୋଇ ଜଣେ ମହିଳା ନିଜ ସନ୍ତାନର ନାମ ଦେଇଛନ୍ତି ସୋନୁ ସୁଦ। ଏକଥା ଶୁଣି ସୋନୁ ସ୍ବୟଂ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଁ ଯେତେବେଳେ ସିନେମା ଶିଳ୍ପକୁ ଆସିଲି ସେତେବେଳେ ମୋତେ କୁହାଗଲା କି ଏହି ନାମ ତୁମକୁ ପ୍ରସିଦ୍ଧି ଆଣିପାରିବ ନାହିଁ। ମୁଁ ଏହି ନାଁରେ ଏତେବାଟ ଆସିଛି। ଆଗକୁ ବି ଏହି ନାଁ ନେଇ ଯିବି। ଜଣେ ମା’ ନିଜ ସନ୍ତାନର ନାମ ସୋନୁ ସୁଦ ଦେଇଥିବା ମୋତେ ଅତ୍ୟଧିକ ଖୁସି ଦେଇଛି ବୋଲି ସେ କହିଥିଲେ।

କାନ୍ଧରେ ହଳ ଟାଣୁଥିବା ଝିଅକୁ ଦେଲେ ଟ୍ରାକ୍ଟର
ସୋନୁ ସୁଦଙ୍କ ଯୋଗୁ ଆନ୍ଧ୍ର ପ୍ରଦେଶର ଦୁଇ ଝିଅଙ୍କ ଭାଗ୍ୟ ବଦଳିଗଲା। ଚିଭୁର ଜିଲାର ଗରିବ ଚାଷୀ ପରିବାରରେ ଜନ୍ମିତ ଦୁଇଝିଅ ବଳଦ ଅଭାବରୁ ନିଜେ କାନ୍ଧ ଲଗାଇ ବଳଦ ଭଳି ଜମି ଚାଷ କରୁଥିବାର ଦ୍‌ଶ୍ୟ ସାମ୍ନାକୁ ଆସିବା ପରେ ସ୍ବୟଂ ସୋନୁ ଏହି ପରିବାର ନିକଟରେ ପହଞ୍ଚାଇଦେଲେ ଟ୍ରାକ୍ଟର। ଏହାପରେ ତେଲୁଗୁ ଦେଶମ ପାର୍ଟିର ନେତା ଚନ୍ଦ୍ରବାବୁ ନାଇଡୁ ଏହି ଦୁଇଝିଅଙ୍କ ପୂରା ପାଠପଢ଼ା ଦାୟିତ୍ବ ନିଜେ ନେବାକୁ ଘୋଷଣା କରିଛନ୍ତି।

ଝିଅ ପାଠପଢ଼ା ପାଇଁ ବିକିଲେ ଗାଈ, ଫେରାଇଆଣିଲେ ସୋନୁ
ସୋସାଲ ମିଡିଆରେ ଗୋଟିଏ ପୋଷ୍ଟ ଭାରି ଜୋରରେ ଭାଇରାଲ ହୋଇଥିଲା। ଜଣେ ବ୍ୟକ୍ତି ନିଜ ଝିଅର ଅନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନର ଆବଶ୍ୟକତା ଲୋଡ଼ିଥିଲେ। ଘରେ ପଇସା ନ ଥିଲା। ସେ ଗୋଟିଏ ଗାଈ ବିକି ଫୋନ କିଣିଥିଲେ। ଏ ଖବର ଜାଣିବା ପରେ ସୋନୁ ଟ୍ବିଟରରେ ଲେଖିଲେ ‘ଚଲୋ ଇସ ବ୍ୟକ୍ତି କି ଗାୟ ୱାପସ ଦିଲାନା ହୈ, କ୍ୟା କୋଇ ଇସ ଆଦମୀ କି ଡିଟେଲ୍ସ ମୁଝେ ଭେଜ ସକତା ହୈ?’ ସୋନୁଙ୍କ ଟ୍ବିଟ ଭାଇରାଲ ହେଲା। ଚାଷୀଟି ବିକିଥିବା ଗାଈ ଫେରିପାଇଲା।

ପ୍ରବାସୀ ଶ୍ରମିକମାନଙ୍କୁ ଏଭଳି ଭାବେ ସହାୟତା କରୁଥିବା ସୋନୁ ଆଜି ଘରେ ଘରେ ନିଆରା ପରିଚୟ ତିଆରି କରିପାରିଛନ୍ତି। ସୋନୁଙ୍କ ଅନୁଗାମୀ ସଂଖ୍ୟା ସୋସାଲ ମିଡିଆରେ ରେକର୍ଡ ରଚିଛି। ଲୋକପ୍ରିୟତାରେ ସଲମାନ ଖାନଙ୍କୁ ଟପି ସୋନୁ ସୁଦଙ୍କ ନାଁ ଆସିଛି ଗୁଗଲ ଟ୍ରେଣ୍ଡରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ