ନକାରାତ୍ମକ ବ୍ୟକ୍ତିଙ୍କୁ ଦୂରୁ ଜୁହାର


ସବୁବେଳେ ଚିନ୍ତାରେ ରହିବା, ସବୁ କଥାରେ ଅଭିଯୋଗ କରିବା ଏବଂ ଆତ୍ମବିଶ୍ବାସର ଅଭାବ ହେଉଛି ନକାରାତ୍ମକ ବ୍ୟକ୍ତିଙ୍କ ଲକ୍ଷଣ। ଏଭଳି ଲୋକଙ୍କୁ ଚିହ୍ନି ସେମାନଙ୍କଠାରୁ ଦୂରେଇ ରହିବା ଉଚିତ। ନଚେତ ଆପଣ ବି ଜୀବନରେ ଉନ୍ନତି କରିପାରିବେ ନାହିଁ। ସକାରାତ୍ମକ ଚିନ୍ତାଧାରା ରଖିଥିବା ବ୍ୟକ୍ତି ଜୀବନରେ ସବୁବେଳେ ଭଲ କାମ ଉପରେ ଧ୍ୟାନ ରଖିଥାଏ। ସେହିପରି ନକାରାତ୍ମକ ବ୍ୟକ୍ତି ସବୁବେଳେ ସନ୍ଦେହ ଭିତରେ ବଞ୍ଚିଥାଏ। ସକାରାତ୍ମକ ବ୍ୟକ୍ତି ଭାବନ୍ତି ଏହି ଖରାପ ସମୟ ଖୁବ୍ ଶୀଘ୍ର ବିତିଯିବ। ମାତ୍ର ନକାରାତ୍ମକ ବ୍ୟକ୍ତି ଭାବନ୍ତି ‘କାଲି ପୁଣି ଆହୁରି ଖରାପ ହେବ’। ଏମିତି ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତିଙ୍କୁ ଚିହ୍ନିବା କଷ୍ଟସାଧ୍ୟ ନୁହେଁ। ଚାଲନ୍ତୁ ଜାଣିବା ଏଭଳି ବ୍ୟକ୍ତିଙ୍କ ଆଚାର ବ୍ୟବହାର ସମ୍ପର୍କରେ।

ସବୁବେଳେ ଚିନ୍ତିତ ରହିଥାନ୍ତି
ନକାରାତ୍ମକ ଚିନ୍ତା କରୁଥିବା ବ୍ୟକ୍ତି ସବୁବେଳେ କିଛି ନା କିଛି ଚିନ୍ତାରେ ରହିଥାନ୍ତି। କିଛି ନା କିଛି ଖରାପ ହେବ ବୋଲି ଭାବୁଥାନ୍ତି। କାମ ଠିକ୍‌ଠାକ୍ ହେଉଥିବା ଦେଖୁଥିଲେ ମଧ୍ୟ କିଛି ନା କିଛି ଅସୁବିଧା ହେବ ବୋଲି ଆଶଙ୍କା କରିଥାନ୍ତି। ଏଭଳି ଲୋକଙ୍କର ନିଜ ଉପରେ ମଧ୍ୟ ଭରସା ନ ଥାଏ।

ନିରାଶବାଦୀ ଦୃଷ୍ଟିକୋଣ

ନକାରାତ୍ମକ ଚିନ୍ତାଧାରା ବିଶିଷ୍ଟ ବ୍ୟକ୍ତି ଜୀବନର ସକାରାତ୍ମକ ଦିଗକୁ ସବୁବେଳେ ଅଣଦେଖା କରିଥାନ୍ତି। ଛୋଟ ଛୋଟ ମାମଲାରେ ମଧ୍ୟ ପ୍ରଥମେ ଖରାପ ଚିନ୍ତା କରନ୍ତି। ଖୁବ୍‌ ଶୀଘ୍ର ଡରିଯା’ନ୍ତି । ଉଦାହରଣ ସ୍ବରୂପ ରାସ୍ତାରେ ଟ୍ରାଫିକ୍ ଜାମ୍ କିମ୍ବା ରେସ୍ତୋରାଁରେ ଭିଡ଼ ଦେଖି ମଧ୍ୟ ସେମାନେ ସଙ୍ଗେସଙ୍ଗେ ନିରାଶ ହୋଇଯଆନ୍ତି । କୌଣସି ବଡ଼ ସଫଳତା ମଧ୍ୟ ସେମାନଙ୍କ ମୁହଁରେ ଖୁସି ଫୁଟାଇ ପାରି ନ ଥାଏ।

ଅଭିଯୋଗର ଭଣ୍ଡାର

ନକାରାତ୍ମକ ଭାବନାଯୁକ୍ତ ବ୍ୟକ୍ତିଙ୍କ ଅଭିଯୋଗର ଫର୍ଦ୍ଦ ବହୁତ ଲମ୍ବା। ସବୁ କଥାରେ ଚିଡ଼ି ଯାଇଥାନ୍ତି। ଯେଉଁ ପରିବେଶରେ ରହନ୍ତି, ସେଠାରେ ମଧ୍ୟ ଏହି ଚିଡ଼ାପଣ ବ୍ୟାପି ଯାଇଥାଏ। ସେମାନଙ୍କ ମନରେ ସବୁବେଳେ ଏହି ଭାବନା ଆସିଥାଏ ଯେ ପୂରା ଦୁନିଆ ତାଙ୍କ ବିରୋଧରେ କାମ କରୁଛି। ସେମାନେ ସବୁବେଳେ ସମ୍ପର୍କ, ଘରର ସମସ୍ୟା ଓ ଅଫିସ୍ କାମକୁ ନେଇ ଅଭିଯୋଗ କରିବାରେ ଲାଗନ୍ତି ।
ନକାରାତ୍ମକ ବିଚାର ରଖୁଥିବା ବ୍ୟକ୍ତି ଜୀବନରେ କିଛି ନୂଆ କରିବାକୁ ଡରିଥାନ୍ତି। ସେମାନେ ନିଜର ‘କମ୍ଫର୍ଟ ଜୋନ୍’ ବା ନିଜକୁ ସୁହାଉଥିବା ସ୍ଥାନରୁ ବାହାରକୁ ଯିବାକୁ ଡରିଥାନ୍ତି। କିଛି ବି କାମ କରିବା ପୂର୍ବରୁ ହାର୍ ମାନିଯାଇଥାନ୍ତି। ଡର ସେମାନଙ୍କୁ ଡରାଇବାରେ ଲାଗିଥାଏ। ନକାରାତ୍ମକ ବିଚାର ପାଇଁ ଜୀବନରେ ନୂଆ ସମ୍ଭାବନା ଆଡ଼କୁ ବଢ଼ିପାରି ନ ଥାନ୍ତି। ଜୀବନରେ ଯେଉଁ ସଫଳତା ପାଇବା ପାଇଁ ସେ ଯୋଗ୍ୟ, ତାହାଠାରୁ କମ୍ ପାଇଲେ ବି ସେମାନେ ସନ୍ତୁଷ୍ଟ ହୋଇଯାଆନ୍ତି। ସଫଳତାର ଶିଖରରେ ପହଞ୍ଚିବା ଦୌଡ଼ରୁ ପଛରେ ପଡ଼ି ଯାଆନ୍ତି ସେମାନେ।

କମ ଅନୁଭବ
ନକାରାତ୍ମକ ବିଚାର ରଖୁଥିବା ବ୍ୟକ୍ତି ଜୀବନରେ ଖୁସି, ସୌନ୍ଦର୍ଯ୍ୟ, ରୋମାଞ୍ଚ ଭଳି ଅନୁଭବକୁ ଛୁଇଁ ପାରି ନ ଥାନ୍ତି। ଏସବୁ ଭାବନାକୁ କେବଳ ଅନୁଭବ କରିହେବ। ନକାରାତ୍ମକ ଚିନ୍ତାଧାରା ବ୍ୟକ୍ତି ଜୀବନରେ ଉଜ୍ଜଳତ୍ତମ ଦିଗକୁ କମ୍ ଦେଖିଥାନ୍ତି। ଫଳରେ ସେମାନଙ୍କ ଅନୁଭବ ବହୁତ କମ୍ ରହିଥାଏ। ସେମାନଙ୍କର ଅନୁଭବର ପରିଧି ମଧ୍ୟ ଖୁବ୍ ଛୋଟ ହୋଇଯାଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ