ଗାଦି ସର୍ବସ୍ବ ରାଜନୀତି: ଦୁଇ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଏକ, ଧାରା ବିପରୀତ

ବିଧାନସଭା ଅଧିବେଶନ ପାଇଁ ଗେହଲୋଟ୍ ବ୍ୟଗ୍ର, ବିଜୟନ୍ ଅମଙ୍ଗ

ଏବେ ଭାରତୀୟ ରାଜନୀତିରେ ଗାଦି ପାଇଁ ସବୁକିଛି କରୁଛନ୍ତି ନେତାଏ। ଚଉକି ବଞ୍ଚାଇବା ଲକ୍ଷ୍ୟରେ ସେମାନେ ସବୁ ପନ୍ଥା ଅବଲମ୍ବନ କରିବାକୁ ପଛାଉନାହାନ୍ତି। ଏଥିପାଇଁ ଧାରା ଯାହା ହେଉନା କାହିଁକି, ଲକ୍ଷ୍ୟ ଗୋଟିଏ। କିଭଳି କ୍ଷମତା ବଜାୟ ରଖିବେ, ସେଥିପାଇଁ ଯାବତୀୟ ଫନ୍ଦିଫିକର। ସାମ୍ପ୍ରତିକ ସମୟରେ ରାଜସ୍ଥାନ ରାଜନୀତି ଉପରେ ବିଶେଷଜ୍ଞମାନଙ୍କ ନଜର ରହିଥିବା ବେଳେ ଏହି ମାମଲାର ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଶୁଣାଣି କାହା ସପକ୍ଷରେ ଯିବ ଓ ଗେହଲୋଟଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ସଚିନ୍ ପାଇଲଟ୍ ଓ ତାଙ୍କର ୧୮ ସମର୍ଥକ ବିଧାୟକ ଅଯୋଗ୍ୟ ଘୋଷିତ ହେବେ କି ନାହିଁ, ତାହା ତ ଭିନ୍ନ କଥା। କିନ୍ତୁ ଏବେ ଭାରତୀୟ ରାଜନୀତିରେ ଦୁଇଟି ଚିତ୍ର ସାମ୍ନାକୁ ଆସିଛି। ଉଭୟ ଚିତ୍ରରେ ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି। ଗୋଟିଏ ପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଓ ଅନ୍ୟପଟେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍। ତେବେ ଉଭୟଙ୍କ ଆଚରଣରେ ସମ୍ପୂର୍ଣ୍ଣ ଭିନ୍ନତା ପରିଲକ୍ଷିତ ହୋଇଛି। ଗେହଲୋଟ୍ କ୍ଷମତା ବଜାୟ ରଖିବା ସକାଶେ ବିଧାନସଭା ଅଧିବେଶନ ଆହୂତ କରିବା ଉପରେ ଜୋର୍ ଦେଉଛନ୍ତି। କିନ୍ତୁ ଅନ୍ୟପକ୍ଷରେ କେରଳ ମୁଖ୍ୟମନ୍ତ୍ରୀ ବିଜୟନ୍ ବିରୋଧୀମାନଙ୍କ ଦାବି ସତ୍ତ୍ବେ ବିଧାନସଭା ଅଧିବେଶନ ଆରମ୍ଭ କରିବା ପାଇଁ ଅମଙ୍ଗ ହେଉଛନ୍ତି। ଏପରି ଭିନ୍ନ ଭିନ୍ନ ଚରିତ୍ର ଦେଶରେ ରାଜନୀତିର ଅସ୍ବାସ୍ଥ୍ୟକର ପରିସ୍ଥିତି ଆଡ଼କୁ ଅଙ୍ଗୁଳି ନିର୍ଦେଶ କରୁଛି। ନିଜ ନିଜର କ୍ଷମତା ବଜାୟ ରଖିବା ସକାଶେ ନୈତିକତାକୁ ଜଳାଞ୍ଜଳି ଦେଇ ରାଜନେତାମାନେ କୌଣସି ବି ସ୍ତରକୁ ଖସିଯାଆନ୍ତି ବୋଲି ପ୍ରମାଣିତ ହୋଇଛି।

ଉପମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ପିସିସି ସଭାପତି ପଦରୁ ପାଇଲଟ୍ ବିଦା ହେବା ଓ ତାଙ୍କର ୧୮ ଜଣ ସମର୍ଥକ ବିଧାୟକଙ୍କୁ ବାଚସ୍ପତି ସିପି ଯୋଶୀ ଅଯୋଗ୍ୟ ଘୋଷଣା କରିବା ସକାଶେ ନୋଟିସ୍ କରିଥିଲେ। ଏହାକୁ ବେଆଇନ ଦର୍ଶାଇ ପାଇଲଟ୍ ଗୋଷ୍ଠୀ ପ୍ରଥମେ ରାଜସ୍ଥାନ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଅବଶ୍ୟ ପ୍ରାଥମିକ ପର୍ଯ୍ୟାୟରେ ସୁପ୍ରିମକୋର୍ଟରେ ପାଇଲଟ୍ ଗୋଷ୍ଠୀକୁ ଆଶ୍ବସ୍ତି ମିଳିଛି। କିନ୍ତୁ ସୋମବାର ମାମଲାର ଶୁଣାଣି ହେବାକୁ ଥିବାରୁ ରାଜସ୍ଥାନର ସମସ୍ତ ରାଜନେତାଙ୍କ ନଜର ଏହି ରାୟ ଉପରେ ରହିଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ତାଙ୍କ ପାଖରେ ବହୁମତ ରହିଛି ବୋଲି ବାରମ୍ବାର କହିବା ସହ ରାଜ୍ୟପାଳ କାଲରାଜ ମିଶ୍ରାଙ୍କୁ ବିଧାନସଭା ଅଧିବେଶନ ଆହୂତ କରିବା ସକାଶେ ଚାପ ପ୍ରୟୋଗ କରିଚାଲିଛନ୍ତି। କିନ୍ତୁ ସାମ୍ପ୍ରତିକ ସମୟରେ ଭାରତରେ କୋରୋନାଜନିତ ସ୍ଥିତି ବେଶ୍ ଉଦବେଗଜନକ ରହିଥିବା ବେଳେ ରାଜସ୍ଥାନରେ ସ୍ଥିତି ଆଦୌ ଭଲ ନାହିଁ। ତେଣୁ ଗେହଲୋଟଙ୍କ ପ୍ରସ୍ତାବକୁ ରାଜ୍ୟପାଳ ସହଜରେ ଗ୍ରହଣ କରିପାରୁନାହାନ୍ତି। ଇତିମଧ୍ୟରେ ରାଜ୍ୟପାଳଙ୍କ ଉପରେ ଚାପ ବଢ଼ାଇବା ସକାଶେ ରାଜସ୍ଥାନରେ ଏକାଧିକ ସ୍ଥାନରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅର୍ଥାତ୍ ଗେହଲୋଟ୍ ଯେନତେନ ପ୍ରକାରେଣ କ୍ଷମତା ବଜାୟ ରଖିବା ସକାଶେ ବିଧାନସଭ ଅଧିବେଶନ ଆହ୍ବାନ ସପକ୍ଷରେ ଅଛନ୍ତି। କୋରୋନାଜନିତ ବିପର୍ଯ୍ୟସ୍ତ ସ୍ଥିତିକୁ ତାଙ୍କର ଭ୍ରୂକ୍ଷେପ ନାହିଁ।

ଅନ୍ୟପକ୍ଷରେ ବିଜୟନ୍ ବିରୋଧୀମାନଙ୍କ ଦାବିକୁ ଏଡ଼ାଇ ଚାଲିଛନ୍ତି। ବିରୋଧୀଙ୍କୁ ବିଧାନସଭାରେ ସମ୍ମୁଖୀନ ହେବାର ସତସାହସ ତାଙ୍କ ପାଖରେ ନାହିଁ। ଗତ ଜୁଲାଇ ୫ ତାରିଖରେ ତିରୁବନନ୍ତପୁରମ୍ ବିମାନବନ୍ଦର ଦେଇ ୟୁଏଇ ଦୂତାବାସ ଠିକଣାରେ ଏକ ବ୍ୟାଗ୍ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଏଥିରେ ପାଖାପାଖି ୧୫ କୋଟି ଟଙ୍କାର ସୁନା ଥିବା ଜଣାପଡ଼ିଥିଲା। ଏହି ମାମଲାରେ ମୁଖ୍ୟ କାର୍ପଟଦାର ସ୍ବପ୍ନା ସୁରେଶ ଓ ତା’ର କେତେକ ସହଯୋଗୀଙ୍କୁ ଗିରଫ କରାଯାଇଛି। ସ୍ବପ୍ନା କେରଳ ଆଇଟି ବିଭାଗରେ କନସଲଟାଣ୍ଟ୍ ଭାବେ କାର୍ଯ୍ୟ କରୁଥିଲେ। ଏହାଛଡ଼ା ୟୁଏଇ ବାଣିଜ୍ୟିକ ଦୂତାବାସର କର୍ମଚାରୀ ସରିତ୍ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ପ୍ରମୁଖ ସଚିବ ଏମ. ଶିବଶଙ୍କରଙ୍କ ସହଯୋଗ କରିଥିବା ଅଭିଯୋଗ ଆସିବା ପରେ ଇତିମଧ୍ୟରେ ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) ପକ୍ଷରୁ ଦୁଇ ଦୁଇ ଥର ଶିବଶଙ୍କରଙ୍କୁ ଜେରା କରାଯାଇସାରିଛି। ଅବଶ୍ୟ ବିଜୟନ୍ ପରେ ତୁରନ୍ତ ଶିବଶଙ୍କରଙ୍କୁ ବହିଷ୍କାର କରିଛନ୍ତି। କିନ୍ତୁ ତାଙ୍କର ମଧ୍ୟ ଏହି ସୁନା ଚୋରି ରାକେଟ ସହ ସମ୍ପର୍କ ରହିଛି ବୋଲି ବିରୋଧୀ କଂଗ୍ରେସ ଓ ବିଜେପି ଲଗାତର ଅଭିଯୋଗ କରିଆସୁଛନ୍ତି ଓ ଏଥିପାଇଁ ବିଧାନସଭା ଅଧିବେଶନ ଆହୂତ କରିବା ଉପରେ ମଧ୍ୟ ଜୋର୍ ଦେଇଆସିଛି।

କିନ୍ତୁ ବିଜୟନ୍ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ସ୍ବପ୍ନାଙ୍କୁ ତାଙ୍କ ଅଜାଣତରେ ଶିବଶଙ୍କର ନିଯୁକ୍ତି ଦେଇଥିବା କହିଆସିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀମାନଙ୍କ ପ୍ରଶ୍ନବାଣରେ ଜର୍ଜରିତ ହେବା ଆଶଙ୍କାରେ ବିଜୟନ୍ ବିଧାନସଭା ଅଧିବେଶନ ଡାକିବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି ବିରୋଧୀ କଂଗ୍ରେସ ଓ ବିଜେପି ଅଭିଯୋଗ କରୁଛନ୍ତି। ତେବେ ସେ ଯାହା ହେଉନା କାହିଁକି, ବିଜୟନ୍ ଯେନତେନ ପ୍ରକାରେଣ ତାଙ୍କର କ୍ଷମତା ବଜାୟ ରଖିବା ଦିଗରେ ତତ୍ପର ବୋଲି କୁହାଯାଇପାରିବ। ରାଜ୍ୟରେ କୋରୋନା ସଂକ୍ରମଣଜନିତ ସ୍ଥିତି ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଉନ୍ନତ ଥିବାରୁ ବିଧାନସଭା ଅଧିବେଶନ ଆହ୍ବାନ ମଧ୍ୟ ଆଦୌ ଅପ୍ରାସଙ୍ଗିକ ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। କିନ୍ତୁ ସ୍ଥିତି ଯାହା ହେଉ ନା କାହିଁକି, କ୍ଷମତା ଲାଳାୟିତ ବିଜୟନ୍ ଯେନତେନ ପ୍ରକାରେଣ ନିଜ ଗାଦି ବଞ୍ଚାଇବା ପାଇଁ ପ୍ରୟାସରତ ରହିଛନ୍ତି ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀ ଦଳର ଭୂମିକାକୁ ଗୌଣ କରିଦେଉଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ