ବାଜିଗର ଦୀପକ: କୋଟି କୋଟି ଲୋକଙ୍କ ପାଇଁ ନିଜ ଜୀବନକୁ ଲଗାଇଲେ ବାଜି

ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିଡ-୧୯ ଭ୍ୟାକ୍ସିନ ପାଇଁ ସାଜିଲେ ଭଲ୍ୟୁଣ୍ଟିଅର

ପୂରା ଦୁନିଆ କେବଳ ଗୋଟିଏ ପ୍ରଶ୍ନର ଉତ୍ତର ଖୋଜୁଛି, କୋରୋନା ଭାଇରସ ପାଇଁ ଭ୍ୟାକ୍ସିନ୍ କେବେ ବାହାରିବ? ଏହାର ଉତ୍ତର ମଧ୍ୟ ଖୁବଶୀଘ୍ର ମିଳିବାକୁ ଯାଉଛି। ଅକ୍ସଫୋର୍ଡ ୟୁନିଭର୍ସିଟିର କୋରୋନା ଭାଇରସ ଭ୍ୟାକ୍ସିନର ପ୍ରଥମ ମାନବୀୟ ପରୀକ୍ଷଣ ସଫଳ ହୋଇଛି। ଏହି ଭ୍ୟାକ୍ସିନ୍ ସମ୍ପୂର୍ଣ୍ଣ ଭାବେ ସଫଳ ହେବ ବୋଲି ଅକ୍ସଫୋର୍ଡ ୟୁନିଭର୍ସିଟିର ବେଜ୍ଞାନିକମାନଙ୍କ ପୂରା ଭରସା ରହିଛି। ଏଥିସହିତ ସେପ୍ଟେମ୍ବର ୨୦୨୦ ଭିତରେ ଏହି ଭ୍ୟାକ୍ସିନ୍ ଲୋକଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି ମଧ୍ୟ ସେମାନେ ଆଶା ରଖିଛନ୍ତି। ଏଥିରେ ଭାରତୀୟ ଯୁବକ ଦୀପକ ପାଲିୱାଲଙ୍କ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି।

ଭାରତର ଜୟପୁରର ବାସିନ୍ଦା ଦୀପକ ପାଲିୱାଲ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ପ୍ରସ୍ତୁତ କୋଭିଡ୍-୧୯ ଭ୍ୟାକ୍ସିନ୍ ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି। ଦୀପକ କୋଭିଡ୍-୧୯ ଭ୍ୟାକସିନ୍ ପରୀକ୍ଷଣ ପାଇଁ ଭଲ୍ୟୁଣ୍ଟିଅର ହେବା ସହିତ ନିଜ ଶରୀରରେ କୋରୋନା ଭ୍ୟାକ୍ସିନର ପରୀକ୍ଷା କରାଇଛନ୍ତି। ଦୀପକ ଲଣ୍ଡନରେ ଫାର୍ମା କମ୍ପାନୀରେ କନ୍ସଲଟାଣ୍ଟ ଭାବେ କାମ କରନ୍ତି। ଦୀପକ କହିଛନ୍ତି ଯେ ସେ ଜାଣିଥିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। କିନ୍ତୁ ସେ ମାନବ ଜାତିର କଲ୍ୟାଣ ପାଇଁ କିଛି କରିବେ ବୋଲି ଦୃଢ଼ ନିଶ୍ଚିତ ହୋଇଥିଲେ। ସେ କହନ୍ତି, ଡର ତ କିଛି ମାତ୍ରାରେ ଲାଗିଥିଲା। କିନ୍ତୁ ସ୍ଥିର କରି ସାରିଥିଲି ଯେ କିଛି କରିବାର ଅଛି। ସବୁଠାରୁ ବଡ଼ ଡର ଥିଲା ମୁଁ ଏଠାରେ ବ୍ରିଟେନରେ ଏକୁଟିଆ ରହୁଛି। ମା’ ବାପା ଜୟପୁରରେ ରହୁଛନ୍ତି। ଯଦି କିଛି ଏପଟସେପଟ ହୋଇଯାଏ, କିଏ ଦାୟୀ ହେବ? ସେମାନେ ମତେ ଦେଖିପାରିବେ ନାହିଁ କି ମୁଁ ସେଠାକୁ ଯାଇପାରିବି ନାହିଁ। ପ୍ରତ୍ୟେକ କ୍ଲିନିକାଲ ଟ୍ରାଏଲରେ କିଛି ନା କିଛି ବିପଦ ରହିଛି। ତେବେ ଡରରେ ଯଦି ଏହି କ୍ଲିନିକାଲ ଟ୍ରାଏଲରେ ଭାଗ ନେବେ ନାହିଁ, ତେବେ ଟ୍ରାଏଲ ବି ହୋଇପାରିବ ନାହିଁ ବୋଲି ଦୀପକ କହିଛନ୍ତି।

ଦୀପକ ଆହୁରି କହିଛନ୍ତି ଯେ ମାର୍ଚ୍ଚ ମାସରେ ଚାରିଆଡ଼େ କୋରୋନାକୁ ନେଇ ନେଗେଟିଭ୍ ଖବର ଆସୁଥିଲା। କୋରୋନା ଭ୍ୟାକ୍ସିନକୁ ନେଇ ଏକ ହ୍ୟୁମାନ୍ ଟ୍ରାଏଲ୍ ଚାଲୁଥିଲା। ଏଥିରେ ଭାଗ ନେବା ଲାଗି ସେ ସ୍ଥିର କରିସାରିଥିଲେ। ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ ଯଦି ତାଙ୍କ ଦ୍ବାରା ଯଦି କିଛି ଭଲ ହେଉଛି, ତେବେ ତାହା ହେଉ ବୋଲି ଦୀପକ କହନ୍ତି। ଟ୍ରାଏଲରେ ଭାଗ ନେଇଥିବା କଥା ସେ ପରିବାର ଲୋକଙ୍କୁ ଜଣାଇ ନ ଥିଲେ। ଦୀପକଙ୍କ ମା’ ଶୈଳ କୁମାରୀ କହିଛନ୍ତି ଯେ ଦୀପକ ସମ୍ପର୍କରେ ଯେତେବେଳେ ମିଡିଆରେ ଆସିଲା, ସେତେବେଳେ ସେ ଏହା ଜାଣିବାକୁ ପାଇଥିଲେ। ଟ୍ରାଏଲ ସରିବା ପରେ ସେ ଏ ସମ୍ପର୍କରେ ଆମକୁ ଜଣାଇଥିଲେ। ଦୀପକକୁ ନେଇ ସେ ବହୁତ ଗର୍ବ କରନ୍ତି ବୋଲି ତାଙ୍କ ମା’ କହିଛନ୍ତି। ଦୀପକ କହିଛନ୍ତି ଯେ ଟ୍ରାଏଲ ପୂର୍ବରୁ କିଛି ପଢ଼ିବାକୁ ଦିଆଯାଇଥିଲା ଓ ଏକ ଭିଡ଼ିଓ ଦେଖାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଟ୍ରାଏଲରେ କ’ଣ କ’ଣ ପାର୍ଶ୍ବପ୍ରତିକ୍ରିୟା ହୋଇପାରେ। ଅର୍ଗାନ୍ ଡ୍ୟାମେଜ୍ ହେବା ସହିତ ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ଏଥିରେ କୁହାଯାଇଥିଲା। ଦୀପକ କହିଛନ୍ତି ଯେ ୧୬ ଏପ୍ରିଲ ୨୦୨୦ରେ ସେ ଖବର ପାଇଥିଲେ ଯେ କ୍ଲିନିକାଲ ଟ୍ରାଏଲ୍ ହେବାକୁ ଯାଉଛି। ସ୍କ୍ରିନିଂ ବହୁତ ଜରୁରୀ ଥିଲା। ପ୍ରାଥମିକ ପରୀକ୍ଷା ନୀରିକ୍ଷାରେ ତାଙ୍କୁ ଫିଟ୍ ବୋଲି କୁହାଗଲା। ପରେ ଭ୍ୟାକ୍ସିନ୍ ନେବାକୁ କୁହାଯାଇଥିଲା। ସହମତି ହେବା ପରେ ଭ୍ୟାକ୍ସିନ୍ ଦିଆଯାଇ ୩ ଘଣ୍ଟା ଯାଏ ତାଙ୍କୁ ତଦାରଖ କରାଯାଇଥିଲା। କାରଣ ଯାହା କିଛି ରିଆକ୍ସନ ହୋଇଥାଏ, ସେହି ସମୟରେ ହିଁ ହୋଇଥାଏ। ତାଙ୍କୁ ଏକ ଇ-ଡାଏରୀ ଦିଆଯାଇଥିଲା, ଯେଉଁଥିରେ ସେ ଭ୍ୟାକ୍ସିନ ପ୍ରୟୋଗ ପରର ଲକ୍ଷଣ ଲେଖି ଜଣାଉଥିଲେ। ୨୯ ତାରିଖ ପରେ ଆଉ ଏକ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଭ୍ୟାକ୍ସିନ ପ୍ରୟୋଗ ଦ୍ବାରା ଆଣ୍ଟିବଡି ସୃଷ୍ଟି ହେଉଛି କି ନାହିଁ ତାହା ତଦାରଖ କରାଯାଉଥିଲା ବୋଲି ଦୀପକ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ