ଜାଲ୍ ଏସ୍‌ବିଆଇ ବ୍ରାଞ୍ଚ୍‌ ଚଳାଉଥିବା ଅଭିଯୋଗରେ ୩ ଗିରଫ


ଚେନ୍ନାଇ: ତାମିଲନାଡ଼ୁରେ ଶନିବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍‌ବିଆଇ)ର ଜାଲ୍ ଶାଖା ପରିଚାଳନା କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏପରି ଏକ ଜାଲ୍‌ ଧନ୍ଦାରେ ଜଣେ ପୂର୍ବତନ ବ୍ୟାଙ୍କ୍ କର୍ମଚାରୀଙ୍କ ୧୯ ବର୍ଷର ପୁଅ ମାଷ୍ଟର୍‌ମାଇଣ୍ଡ୍‌ ଥିବା ଜଣାପଡ଼ିଛି। ଉକ୍ତ ଯୁବକଙ୍କ ନାମ କମଲ ବାବୁ ଓ ତାଙ୍କ ପିତାଙ୍କର ୧୦ ବର୍ଷ ତଳେ ଦେହାନ୍ତ ହୋଇଯାଇଛି। ତେବେ ଯୁବକଙ୍କ ମା’ ଲକ୍ଷ୍ମୀ ବି ଜଣେ ବ୍ୟାଙ୍କ୍‌ କର୍ମଚାରୀ ଥିବା ବେଳେ ଦୁଇ ବର୍ଷ ତଳେ ଅବସର ନେଇଛନ୍ତି। କମଲ ପାଠପଢ଼ା ଶେଷ କରିବା ପରେ ବେକାର ବସିଥିବା ବେଳେ ଏପରି ଏକ ଜାଲ୍ ଚିନ୍ତା ତାଙ୍କ ମନକୁ ଆସିଥିଲା ୩ ମାସ ତଳେ ସେ ଏସ୍‌ବିଆଇର ଏକ ଜାଲ୍ ଶାଖା ଖୋଲିଥିଲେ।

ତେବେ ପାନରୁତି ଅଞ୍ଚଳରେ ଥିବା ଏହି ଶାଖାର ବାସ୍ତବତା ଉପରେ ଅନ୍ୟ ଏକ ଶାଖାର ଜଣେ ଗ୍ରାହକଙ୍କର ସନ୍ଦେହ ହେବାରୁ ସେ ଏନେଇ ବ୍ରାଞ୍ଚ୍‌ ମ୍ୟାନେଜର୍‌ଙ୍କୁ ଜଣାଇଥିଲେ। ବ୍ରାଞ୍ଚ୍‌ ମ୍ୟାନେଜର୍ ତୁରନ୍ତ ଜୋନାଲ୍ ଅଫିସ୍  ସହ ପରାମର୍ଶ କରିଥିଲେ। ଜୋନାଲ୍ ଅଫିସ୍ ପକ୍ଷରୁ କୁଡାଲୋର୍ ଜିଲ୍ଲାର ପାନରୁତିରେ କେବଳ ଦୁଇଟି ବ୍ରାଞ୍ଚ୍‌ ସକ୍ରିୟ ଥିବା ସୂଚନା ମିଳିବା ପରେ ଏପରି ଏକ ଜାଲ୍‌ ଧନ୍ଦା ନଜରକୁ ଆସିଛି। ଏସ୍‌ବିଆଇର୍‌ ବରିଷ୍ଠ ଅଧିକାରୀମାନେ ଉକ୍ତ ଶାଖାରେ ପହଞ୍ଚି ସେଠାକାର ସୁବିଧା ସୁଯୋଗ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଶାଖାଟି ଜାଲ୍ ହୋଇଥିଲେ ମଧ୍ୟ ସେଠାରେ ଏସ୍‌ବିଆଇ୍‌ର ଅସଲ ଶାଖା ପରି ସମସ୍ତ ପ୍ରକାର ବନ୍ଦୋବସ୍ତ ରହିଥିଲା। ଏନେଇ ଏକ ମାମଲା ରୁଜୁ ହେବା ପରେ କମଲ୍‌ ବାବୁଙ୍କ ବ୍ୟତୀତ ୫୨ ବର୍ଷୀୟ ମାନିକାମ୍ ଓ ୪୨ ବର୍ଷୀୟ କୁମାରଙ୍କୁ ଗିରଫ କରାଯାଇଛି। ମାନିକାମ୍ ରବର୍ ଷ୍ଟାମ୍ପ୍ କମ୍ପାନୀର ମାଲିକ ଥିବା ବେଳେ କୁମାର ପ୍ରିଣ୍ଟିଂ ପ୍ରେସର ମାଲିକ ଥିବା ଜଣାପଡ଼ିଛି। ତେବେ ଅଦ୍ୟାବଧି ଜାଲ୍ ଶାଖା ମାଧ୍ୟମରେ କୌଣସି ନେଣଦେଣ ହୋଇ ନ ଥିବାରୁ କେହି ବି ଠକେଇର ସମ୍ମୁଖୀନ ହୋଇ ନ ଥିବା ପୋଲିସ୍ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ