ନିୟମ ଉଲ୍ଲଂଘନ ହେବାରୁ ସଂକ୍ରମଣ ବଢୁଛି: ବିଏମ୍‌ସି କମିଶନର

ଘରେ ରୁହନ୍ତୁ, ଅନ୍‌ଲାଇନ୍‌ ସପିଂକୁ ଅପଣାନ୍ତୁ

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୧୦ ଭିତରେ ୩୧୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସିର ଚିନ୍ତା ବଢ଼ିଯାଇଛି। ଏପରି ସମୟରେ ଜନଗହଳୀପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ଅପିଲ୍‌ କରିଛନ୍ତି ବିଏମ୍‌ସି କମିଶନର ପ୍ରେମ୍‌ ଚନ୍ଦ୍ର ଚୌଧୁରୀ। ଘରେ ବସି ଅନ୍‌ଲାଇନ୍‌ ସପିଂକୁ ଆପଣାନ୍ତୁ ଓ ମେଡିକାଲ ନ ଯାଇ ଟେଲି ମେଡିସିନ୍‌ ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି। ହଟ୍‌ସ୍ପଟ୍‌ ଅଞ୍ଚଳରୁ ଲୋକେ ଭୁବନେଶ୍ୱର ଆସିବା ଏବଂ ଲୋକମାନେ କୋଭିଡ୍‌ ନିୟମ ନ ମାନି ବାଟେଘାଟେ ବୁଲିବାରୁ ସଂକ୍ରମଣ ବଢ଼ୁଛି ବୋଲି ସେ କହିଛନ୍ତି। ତେଣୁ ସରକାରଙ୍କ ନିୟମ ମାନିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

ଭୁବନେଶ୍ୱର କୋଭିଡ୍‌ ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି, କୋଭିଡ୍ ମୁକାବିଲା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ୬୪୦ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ୩୧୭ଟି ସକ୍ରିୟ ରୋଗୀ ଥିବାବେଳେ ୩୧୪ ଜଣ ସୁସ୍ଥ ହୋଇଛନ୍ତି। ଓ୍ୱାର୍ଡ କମିଟି ଏବଂ ସଚେତକ କମିଟିମାନ ଗଠନ କରାଯାଇଛି। ପ୍ରତ୍ୟେହ ପାଖାପାଖି ୧୦୦୦ ଟେଷ୍ଟ୍‌ କରାଯାଉଛି। ଯେଉଁଠାରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେଠାରେ ରୋଗୀଙ୍କୁ ହସ୍ପିଟାଲ୍ ସ୍ଥାନାନ୍ତର, କଣ୍ଟାକ୍ଟ ଟ୍ରେସିଂ, କ୍ବାରାଣ୍ଟାଇନ୍‌ ଏବଂ ସାନିଟାଇଜେସନ୍‌ କରାଯାଉଛି। ଏଥି ପାଇଁ ବହୁତ ଗୁଡ଼ିଏ ଟିମ୍‌ କାମ କରୁଛନ୍ତି। ବୟସ୍କ ଲୋକମାନଙ୍କ ସହାୟତା ପାଇଁ ସଚେତକ ଆପ୍‌ର ଗୋଟିଏ ନୂତନ ମଡ୍ୟୁଲ୍ ଯୋଗ କରାଯାଇଛି।

ଯେଉଁଠାରେ କୋଭିଡ୍ ରୋଗୀଙ୍କ ଯୋଗାଯୋଗ ଚିହ୍ନଟ ହୋଇପାରୁ ନାହିଁ, ସେଠାରେ ୧୪ ଦିନ ସକ୍ରିୟ ନିରୀକ୍ଷଣ, ନିକଟସ୍ଥ ୫୦ରୁ ୧୦୦ ଘରକୁ କ୍ବାରାଣ୍ଟାଇନ୍‌, ଲକ୍ଷଣ ଥିବା ଲୋକମାନଙ୍କ ତୁରନ୍ତ ପରୀକ୍ଷା ଏବଂ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଉଛି। କିନ୍ତୁ କେତେକ ସ୍ବାସ୍ଥ୍ୟ ଅନୁଷ୍ଠାନ ଏବଂ ହଟ୍‌ସ୍ପଟ୍ ଜିଲ୍ଲାରୁ ଭୁବନେଶ୍ୱରକୁ ଆସୁଥିବା ଲୋକମାନଙ୍କ ପାଇଁ ସଂକ୍ରମଣ ସ୍ଥିତି ସୃଷ୍ଟି ହେଉଛି। ସରକାର ଏବଂ ସ୍ଥାନୀୟ ଗୋଷ୍ଠୀଗୁଡ଼ିକ କୋଭିଡ୍ ମୁକାବିଲା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିବାବେଳେ ଏବେ ଜନସାଧାରଣ ନିଜେ ସଚେତନ ହେବା ସହ ଯଥା ସମ୍ଭବ ସତର୍କତା ଅବଲମ୍ବନ କରିବାକୁ ଗର୍ଗ ନିବେଦନ କରିଛନ୍ତି।

ଭୁବନେଶ୍ୱର ମହାନଗର ନଗମ ତରଫରୁ ହସ୍ପିଟାଲ୍, ଶିଳ୍ପ ସଂସ୍ଥା ଏବଂ ବସ୍ତି ଅଞ୍ଚଳକୁ ପ୍ରାଥମିକତା ଭିତ୍ତିରେ ବିଶେଷ ଦୃଷ୍ଟି ଦିଆଯାଉଛି। ସକ୍ରିୟ ସର୍ବେକ୍ଷଣ ଏବଂ କଣ୍ଟେନ୍‌ମେଣ୍ଟ୍‌ ଜରିଆରେ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିବା ବ୍ଲୁ ହୁଇଲ୍ ହସ୍ପିଟାଲ୍, ସୁଭାଷ ନଗର ବସ୍ତି, ଲକ୍ଷ୍ମୀବଜାର ବସ୍ତି ଆଦିରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଛି। ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି ଏବଂ ଯାଜପୁର ଜିଲ୍ଲାରୁ ଭୁବନେଶ୍ୱର ବସ୍ତି ଅଞ୍ଚଳକୁ ଆସୁଥିବା ଲୋକମାନଙ୍କୁ ୧୪ ଦିନ ଆନୁଷ୍ଠାନିକ କ୍ବାରାଣ୍ଟାଇନ୍‌ରେ ବାଧ୍ୟତାମୂଳକ ରଖାଯାଉଛି। ଏଥିରେ ଗୋଷ୍ଠୀ, ଆବାସିକ କଲ୍ୟାଣ କମିଟି, ପୂଜା କମିଟି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସକ୍ରିୟ ସହଯୋଗ କରୁଛନ୍ତି।
 
ସାମାଜିକ ଦୂରତା ରଖିବା, ମାସ୍କ ପିନ୍ଧିବା, ଦୋକାନ ବଜାର ପରି ଗହଳି ସ୍ଥାନକୁ ନ ଯିବା, ଅତି ଜରୁରୀ ନ ହେଲେ ଡାକ୍ତରଖାନାକୁ ନ ଯାଇ ଟେଲି ମେଡିସିନ୍‌ ଜରିଆରେ ସ୍ବାସ୍ଥ୍ୟ ପରାମର୍ଶ ନେବା, ୧୦୪ ହେଲପ୍ଲାଇନ୍‌ର ବ୍ୟବହାର କରିବା, ଅନ୍‌ଲାଇନ୍‌ରେ ଜିନିଷ କିଣିବା ଏବଂ ସର୍ବୋପରି ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ନିଜେ ସଚେତନ ରହିବାକୁ ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧୂରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ