ସୁଶାନ୍ତ ବୁଝିପାରୁ ନ ଥିଲେ ଇଣ୍ଡଷ୍ଟ୍ରୀର ବିଜନେସ ଶୈଳୀ: ଶେଖର କପୁର


ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ବହୁତ ଗମ୍ଭୀରତାର ସହ ତଦନ୍ତ କରୁଛି। ଏହି ମାମଲାରେ ପୋଲିସ ଏ ପର୍ଯ୍ୟନ୍ତ ମୋଟ୍ ୩୫ ଜଣଙ୍କ ବୟାନ ରେକର୍ଡ କରିସାରିଲାଣି। ଯେଉଁଦିନ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା, ସେହିଦିନ ନିର୍ଦେଶକ ଶେଖର କପୁର ଏକ ଟ୍ବିଟ୍ କରିଥିଲେ, ଯାହାକୁ ଗୁରୁତ୍ବପୂର୍ଣ୍ଣ ଭାବେ ଗ୍ରହଣ କରାଯାଇଛି।

ଏବେ ଶେଖର କପୁର ଇ-ମେଲ୍ ଜରିଆରେ ପୋଲିସକୁ ନିଜ ବୟାନ ଦେଇଛନ୍ତି। ଏଥିରୁ ଏହି ମାମଲା ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ରହସ୍ୟ ଖୋଲିବ ବୋଲି ଅନୁମାନ କରାଯାଉଛି। ଶେଖର କହିଛନ୍ତି ଯେ ‘ପାନୀ’ ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ, ଯେଉଁଥିରେ ସେ ଗତ ୧୦ ବର୍ଷ ହେଲାଣି ଫସି ରହିଛନ୍ତି। ୨୦୧୨-୧୩ରେ ୧୫୦ କୋଟି ଟଙ୍କାର ଏହି ମେଗା ବଜେଟ୍ ଫିଲ୍ମ ତିଆରି କରିବା ଲାଗି ସେ ୟଶରାଜ ଫିଲ୍ମସର ଆଦିତ୍ୟ ଚୋପ୍ରାଙ୍କ ସହିତ ସାକ୍ଷାତ କରିଥିଲେ। ୨୦୧୪ରେ ୟଶରାଜ ଫିଲ୍ମସ ବ୍ୟାନର ତଳେ ଏହି ସିନେମା ନିର୍ମାଣ ହେବାକୁ ସ୍ଥିର ହୋଇଥିଲା। ୟଶରାଜ ଫିଲ୍ମସରେ ହିଁ ଫିଲ୍ମର କାଷ୍ଟକୁ ନେଇ ସୁଶାନ୍ତଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଏହାପରେ ୟଶରାଜ ଫିଲ୍ମସ ପ୍ରିପ୍ରଡକ୍ସନ କାମ ଆରମ୍ଭ କରିଥିଲା। ଏଥିପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବା ସହିତ ସୁଶାନ୍ତଙ୍କ ଡେଟ୍ସକୁ ମଧ୍ୟ ବ୍ଲକ୍ କରି ଦିଆଗଲା। ଫିଲ୍ମରେ ନିଜ ଚରିତ୍ର ପାଇଁ ସୁଶାନ୍ତ ଜୋରଦାର କାମ କରି ଚାଲିଥିଲେ। ୱାର୍କଶପ ସମୟରେ ମଧ୍ୟ ତାଙ୍କ ଅଭିନୟ ଦକ୍ଷତା ଓ କାମ ପ୍ରତି ଥିବା ତାଙ୍କର ଉତ୍ସାହ ଦେଖିବାକୁ ମିଳୁଥିଲା। ଏହି ଫିଲ୍ମ ପାଇଁ ସୁଶାନ୍ତ ଅନେକ ଗୁଡ଼ିଏ ଫିଲ୍ମ ହାତଛଡ଼ା କରିଥିଲେ।

ଏହାପରେ ଫିଲ୍ମର କଣ୍ଟେଣ୍ଟ ପାଇଁ ଆଦିତ୍ୟ ଚୋପ୍ରା ଓ ଶେଖର କପୁରଙ୍କ ମଧ୍ୟରେ ମତଭେଦ ଦେଖାଯାଇଥିଲା ଓ ଏହି କାରଣରୁ ଫିଲ୍ମ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ଭାଙ୍ଗି ଯାଇଥିଲା। ଏ ସମ୍ପର୍କରେ ଜାଣିବା ପରେ ସୁଶାନ୍ତ ଭାଙ୍ଗି ପଡ଼ିଥିଲେ। ସନ୍ଧ୍ୟାରେ ସେ ଶେଖରଙ୍କ ପାଖକୁ ଆସି ତାଙ୍କୁ ଧରି ତାଙ୍କ କାନ୍ଧରେ ମୁଣ୍ଡ ରଖି ବହୁତ ଜୋରରେ କାନ୍ଦିଥିଲେ ବୋଲି ଶେଖର କହିଛନ୍ତି। ତାଙ୍କୁ କାନ୍ଦୁଥିବାର ଦେଖି ମୁଁ ବି ନିଜକୁ ସମ୍ଭାଳି ନ ପାରି ବହୁତ ଜୋରରେ କାନ୍ଦିଥିଲି। ଫିଲ୍ମ ବନ୍ଦ ହେବା ସୁଶାନ୍ତଙ୍କୁ ଏତେ କଷ୍ଟ ଦେଇଥିଲା ଯେ ବୋଧହୁଏ ସେ ଅବସାଦଗ୍ରସ୍ତ ହୋଇଯାଇଥିଲେ। ମୁଁ ତାଙ୍କୁ ସମ୍ଭାଳିବାକୁ ଚେଷ୍ଟା କରିବା ସହିତ ବହୁତ ବୁଝାଇଥିଲି, ବ୍ୟସ୍ତ ହୁଅନି ଏ ଚରିତ୍ର କେବେ ନା କେବେ ପରଦାରେ ନିଶ୍ଚୟ ଦେଖିବାକୁ ମିଳିବ। ତେଣୁ ନିରାଶ ନ ହୋଇ ଉପଯୁକ୍ତ ସମୟକୁ ଅପେକ୍ଷା କରିବାକୁ ମୁଁ ତାଙ୍କୁ କହିଥିଲି ବୋଲି ଶେଖର କହିଛନ୍ତି।

‘ପାନୀ’ ଫିଲ୍ମ ନିର୍ମାଣରୁ ୟଶରାଜ ଫିଲ୍ମସ ହଟିଯିବା ପରେ ଏତେ ବଡ଼ ମେଗା ବଜେଟ୍ ଫିଲ୍ମ ତିଆରି କରିବା ପାଇଁ ସେ ଅନେକ ପ୍ରଡକ୍ସନ୍ ହାଉସ୍ ସହିତ କଥା ହୋଇଥିଲେ। କିନ୍ତୁ କେହି ବି ଏହି ଫିଲ୍ମରେ ସୁଶାନ୍ତଙ୍କୁ କାଷ୍ଟ କରିବାକୁ ପ୍ରସ୍ତୁତ ନ ଥିଲେ। ଏହି ଫିଲ୍ମର ବଜେଟ୍ ବହୁତ ଥିଲା ଓ ସୁଶାନ୍ତଙ୍କୁ ନେଇ କେହି ରିସ୍କ ନେବାକୁ ଚାହୁ ନ ଥିଲେ। ତେଣୁ ସୁଶାନ୍ତଙ୍କୁ ନେଇ ଶେଖର ଅନ୍ୟ କୌଣସି ସିନେମା ନିର୍ମାଣ କରିବାକୁ ଚିନ୍ତା କରିଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ଶେଖର ଆହୁରି ମଧ୍ୟ କହିଛନ୍ତି ଯେ ‘ପାନୀ’ ସିନେମା ବୋଧହୁଏ ତାଙ୍କ ପେସାଗତ ଜୀବନରେ ଚିନ୍ତାର କାରଣ ପାଲଟିଥିଲା। କାରଣ ସେ ଏଭଳି ଜଣେ ଅଭିନେତା ଥିଲେ, ଯିଏକି ଇଣ୍ଡଷ୍ଟ୍ରୀର ବିଜନେସ ଶୈଳୀକୁ ବୁଝି ପାରୁ ନ ଥିଲେ। କିଛି ଦିନ ପରେ ସେ ସୁଶାନ୍ତଙ୍କୁ ଭେଟିଥିଲେ। ସେତେବେଳକୁ ୟଶରାଜ ଫିଲ୍ମସ ସହିତ ସୁଶାନ୍ତ କଣ୍ଟ୍ରାକ୍ଟ ଭାଙ୍ଗି ଦେଇଥିଲେ। ସୁଶାନ୍ତ ସେହି ସମୟରେ ତାଙ୍କୁ କହିଥିଲେ ଯେ କେଉଁଭଳି ଭାବେ ଇଣ୍ଡଷ୍ଟ୍ରୀରେ ତାଙ୍କୁ ସାବତ ପୁଅ ଭଳି ବ୍ୟବହାର କରାଯାଉଛି ଓ ତାଙ୍କୁ ଭଲ ଫିଲ୍ମ ମିଳିବାକୁ ଦିଆଯାଉ ନାହିଁ। ଏଥିରେ ହତୋତ୍ସାହିତ ନ ହୋଇ କାମ ଜାରି ରଖିବା ସହିତ ଭଲ ସ୍କ୍ରିପ୍ଟ ଉପରେ ଧ୍ୟାନ ଦେବାକୁ ସେ ସୁଶାନ୍ତଙ୍କୁ ପରାମର୍ଶ ଦେଇଥିବା ଶେଖର କହିଛନ୍ତି। ଏହାବ୍ୟତୀତ ଶେଖର ଆହୁରି କିଛି ସୂଚନା ଇ-ମେଲ୍ ମାଧ୍ୟମରେ ଦେଇଛନ୍ତି, ଯାହାର ସତ୍ୟତା ସ୍ପଷ୍ଟ ହୋଇ ନାହିଁ। ତେଣୁ ଏହି ତଥ୍ୟକୁ ଶେୟାର କରାଯାଇ ନାହିଁ। ଏହି କାରଣରୁ ମୁମ୍ବାଇ ପୋଲିସ ଚାହୁଛି ଶେଖର ମୁମ୍ବାଇ ଆସି ତଦନ୍ତରେ ସହାୟତା କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ