ଏସ୍‍ଆରଇ ତାଲିକାରୁ ୫ ନକ୍ସଲ ପ୍ରଭାବିତ ଜିଲ୍ଲା ବାଦ


ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ପର୍କିତ ବ୍ୟୟ (ଏସ୍‍ଆରଇ) ତାଲିକାରୁ ବାଦ୍‍ ପଡ଼ିଛି ଓଡ଼ିଶାର ୫ ନକ୍ସଲ ପ୍ରଭାବିତ ଜିଲ୍ଲା। ଏହିସବୁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଓବାଦୀମାନେ ଏକ ପ୍ରକାର ନିଶ୍ଚିହ୍ନ ହୋଇଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ମାଓବାଦୀଙ୍କ ଗତିବିଧି କମିଯାଇଛି। ଅର୍ଥାତ୍‌ ରାଜ୍ୟର ଆଉ ୫ଟି ଜିଲ୍ଲା ମାଓମୁକ୍ତ ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି। ଫଳରେ ଏହି ୫ଟି ଜିଲ୍ଲାରେ ମାଓବାଦୀ ଦମନ ପାଇଁ ଆଉ ସ୍ବତନ୍ତ୍ର ସରକାରୀ ଅନୁଦାନ ମିଳିବ ନାହିଁ। ରାଜ୍ୟର ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ମାଓପ୍ରବଣ ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଥିବା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପୋଲିସ୍‌ ମହାନିର୍ଦେଶକ ଅଭୟ। ତେବେ ଓଡ଼ିଶାର ୧୯ଟି ନକ୍ସଲ ପ୍ରଭାବିତ ଜିଲ୍ଲାରୁ ଏବେ ୧୧ ଜିଲ୍ଲା ବାଦ୍‌ ପଡ଼ିଥିବା ବେଳେ ୮ଟି ଜିଲ୍ଲରେ ମାଓବାଦୀଙ୍କ ଉପଦ୍ରବ ଜାରି ରହିଛି।

ଅଭୟ ଟ୍ବିଟ୍‌ କରି କହିଛନ୍ତି, ମାଓପ୍ରବଣ ଜିଲ୍ଲାରେ ଭିତ୍ତିଭୂମିର ବିକାଶ ସହିତ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଏସ୍‍ଆରଇ ଯୋଜନା କାର୍ଯ୍ୟକାରୀ ହେଉଛି। ଗତ କିଛିବର୍ଷ ଧରି ରାଜ୍ୟ ସରକାର ବିକାଶ କାର୍ଯ୍ୟ ଉପରେ ଜୋର୍‌ ଦେବା ଫଳରେ ବିଭିନ୍ନ ଜିଲ୍ଲାରେ ମାଓବାଦୀଙ୍କ ସଂଗଠନ ଦୁର୍ବଳ ହୋଇ ପଡ଼ିଛି। ବାମପନ୍ଥୀ ଉଗ୍ରବାଦ (ଏଲ୍‌ଡବ୍ଲୁଇ) ପ୍ରଭାବିତ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ (ଏସ୍‌ଆରଇ) ଜିଲ୍ଲା ତାଲିକାରୁ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼ ଜିଲ୍ଲା ବାଦ୍‌ ପଡ଼ିଛି। ଜିଲ୍ଲାରେ ମାଓମାଦୀମାନଙ୍କ ଗତିବିଧି ଓ ପ୍ରଭାବ ହ୍ରାସ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଜିଲାଗୁଡ଼ିକରେ ଉନ୍ନତ ସୁରକ୍ଷା ପରିସ୍ଥିତି ଏହା ପ୍ରମାଣିତ କରୁଛି। ସମଗ୍ର ରାଜ୍ୟକୁ ମାଓବାଦୀ ମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ୟ ପୋଲିସ୍‌ ମହାନିର୍ଦେଶକ ଅଭୟ ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ଯେ ମାଓବାଦୀଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୨ ମସିହାରେ କେନ୍ଦ୍ର ସରକାର ୧୯ ଟି ଜିଲ୍ଲାକୁ ଏସ୍‍ଆରଇ ତାଲିକାରେ ଅର୍ନ୍ତଭୁକ୍ତ କରିଥିଲେ। ତେବେ ୨୦୧୮ ମସିହାରେ ୬ଟି ଜିଲ୍ଲା ନକ୍ସଲ ପ୍ରବଣ ଜିଲ୍ଲା ତାଲିକାରୁ ବାଦ୍‍ ପଡ଼ିଥିଲା। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଗଜପତି ଓ ଗଞ୍ଜାମ। ଏହାର ଦୁଇବର୍ଷ ପରେ ଆଉ ୫ଟି ଜିଲ୍ଲା ନକ୍ସଲ ପ୍ରବଣ ଜିଲ୍ଲା ତାଲିକାରୁ ବାଦ୍‍ ଦେବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମାଓବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ କଡା କାର୍ଯ୍ୟାନୁଷ୍ଠାନ ଓ ସ୍ଥାନୀୟ ଲୋକଙ୍କୁ ବିକାଶ ମୂଳକ କାର୍ଯ୍ୟରେ ସାମିଲ କରିବା ଯୋଗୁଁ ରାଜ୍ୟରେ ଏଭଳି ସୁଫଳ ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ