ପିଜି-ୟୁଜି ଶେଷ ସେମିଷ୍ଟାର ପରୀକ୍ଷା ନିଷ୍ପତ୍ତିର ପୁନର୍ବିଚାର କରାଯାଉ: ଉଚ୍ଚଶିକ୍ଷା ମନ୍ତ୍ରୀ


ଭୁବନେଶ୍ବର: ଅଣ୍ଡର ଗ୍ରାଜୁଏଟ୍‌ (ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍‌ (ପିଜି)ର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି। ସେପ୍ଟେମ୍ବର ୩୦ ତାରିଖ ଭିତରେ ଅଣ୍ଡର ଗ୍ରାଜୁଏଟ୍‌ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ର ଶେଷବର୍ଷ ସେମିଷ୍ଟାର ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିଲା।

ମନ୍ତ୍ରୀ କହିଛନ୍ତି, ୟୁଜିସି ଦ୍ବାରା ଜାରି କରାଯାଇଥିବା ପରବର୍ତ୍ତିତ ମାର୍ଗଦର୍ଶିକା ପୂର୍ବ ମାର୍ଗଦର୍ଶିକାର ବିରୋଧାଚରଣ କରୁଛି। ପୂର୍ବ ମାର୍ଗଦର୍ଶିକାରେ କୋଭିଡ୍‍-୧୯ ସ୍ଥିତି ଅନୁଧ୍ୟାନ କରି ବିଶ୍ୱବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ରାଜ୍ୟ ସରକାର ନିଜେ ନେଇପାରିବେ ବୋଲି ଉଲ୍ଲେଖ କରାଯାଇଥିଲା। ତଦନୁସାରେ ରାଜ୍ୟ ସରକାର ରାଜ୍ୟର ସମସ୍ତ କୁଳପତିମାନଙ୍କ ସହିତ ବୈଠକ କରି ଛାତ୍ରଛାତ୍ରୀମାନଙ୍କ ହିତ ଦୃଷ୍ଟିରୁ ଅଣ୍ଡର ଗ୍ରାଜୁଏଟ୍‍ ଏବଂ ପୋଷ୍ଟ ଗ୍ରାଜୁଏଟର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷାକୁ ବାତିଲ୍‌ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କର ପୁର୍ବ ସେମିଷ୍ଟାର ପରୀକ୍ଷା ଗୁଡ଼ିକରେ ପାଇଥିବା ମାର୍କକୁ ଆଧାର କରି ଶେଷ ବର୍ଷ ଫଳ ପ୍ରକାଶ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗୁଡ଼ିକୁ ନିର୍ଦେଶ ଦିଆଯାଇଥିଲା।

ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀମାନଙ୍କର କ୍ଲାସ୍‍ ରୁମ୍‍ ପରୀକ୍ଷା କିମ୍ବା ଅନ୍‍ଲାଇନ୍‍ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ  ଡ଼ଃ ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ୟୁଜିସି ଦ୍ୱାରା ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକାର ପୁନର୍ବିଚାର କରିବା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପୁର୍ବ ନିର୍ଦ୍ଧାରିତ ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ