କୋରୋନା ଡରରେ ଲୋକେ ଥକାପଣର ଶିକାର


କୁହାଯାଉଛି, ୨୦୨୦ର ସବୁଠାରୁ ନେଗେଟିଭ୍ ଶବ୍ଦ ହେଉଛି ପଜିଟିଭ। କୋରୋନା ଭାଇରସ ସହିତ ଯୋଡ଼ି ଏହି ଶବ୍ଦ ଦେଖିଲେ ଠିକ୍ ଭାବେ ବୁଝାପଡ଼ିଯିବ ଯେ କୋରେନା ଭାଇରସର ପଜିଟିଭ୍ ରେଜଲ୍ଟ ଶୁଣିବା ମାତ୍ରେ ଲୋକେ ନେଗେଟିଭିଟି ଓ ଡିପ୍ରେସନର ଶିକାର ହେବାରେ ଲାଗିଛନ୍ତି। ଜାନୁଆରୀ ୨୦୨୦ର ଆରମ୍ଭ କୋରୋନା ଭାଇରସ ସହିତ ହୋଇଥିଲା ଓ ଏବେ ଜୁଲାଇ ୨୦୨୦ରେ ଆପଣ କୋରୋନା ସହିତ ଜଡ଼ିତ ସମସ୍ତ ଖବର ମୁଖ୍ୟଖବରରେ ଦେଖିବାକୁ ପାଉଛନ୍ତି। ସୋସାଲ ମିଡିଆରେ ମଧ୍ୟ କୋରୋନା ଭାଇରସ ସହିତ ଜଡ଼ିତ ଅପଡେଟ୍ ଭରପୂର ମାତ୍ରାରେ ରହିଛି। ଅଧିକାଂଶ ଖବର ନେଗେଟିଭ୍ ହିଁ ଆସୁଛି। କୋରୋନା ସଂକ୍ରମଣ ମାମଲା ବଢ଼ିବା ହେଉ ବା କୌଣସି ଚିହ୍ନା ପରିଚିତ ଲୋକଙ୍କୁ କୋରୋନା ହେଉ ବା କୋରୋନାରେ କାହାରି ମୃତ୍ୟୁ ଖବର ପ୍ରତ୍ୟେକ ଦିନ କିଛି ନା କିଛି ଖବର ଶୁଣିବାକୁ ମିଳୁଛି। ଆମକୁ ଏତେ ମାତ୍ରାରେ ଖବର ଶୁଣିବାକୁ ମିଳୁଛି, ଯାହା ଆମକୁ ଏକ ନୂଆ ରୋଗ ଦେଇଛି। ଆଉ ତାହା ହେଉଛି ଡିଜାଷ୍ଟର ଫାଟିଗ। ଯେତେବେଳେ କୌଣସି ଦୁର୍ଘଟଣା ଦୀର୍ଘ ସମୟ ଯାଏ ଚାଲେ ଓ ତାହା ଆପଣଙ୍କ ଆଡ଼କୁ ଆସୁଥିବା ଅନୁଭବ ହୁଏ, ତେବେ ସେତେବେଳେ ଆପଣ ଡିଜାଷ୍ଟର ଥକାପଣର ଶିକାର ହୋଇପାରନ୍ତି।

ଡିଜାଷ୍ଟର ଫ୍ୟାଟିଗ କ’ଣ

ଡିଜାଷ୍ଟର ଫ୍ୟାଟିଗ ବା ଥକାପଣ ଦ୍ବାରା ଆପଣ ମାନସିକ ଭାବେ ଏତେ ମାତ୍ରାରେ ଥକି ଯାଆନ୍ତି ଯେ ଏହା ମସ୍ତିଷ୍କ ଉପରେ ଭାରୀ ପ୍ରଭାବ ପକାଇ ଡିପ୍ରେସନ୍ ଆଡ଼କୁ ନେଇଯାଏ। ସାଧାରଣତଃ ହେଲଥ କେୟାର ୱାର୍କର ଅର୍ଥାତ୍ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ ଷ୍ଟାଫ୍ କୋରୋନା ରୋଗୀ କିମ୍ବା ଏପରି ଲୋକ ଯିଏ କୋରୋନା ରୋଗରେ ପୀଡ଼ିତ ପରିବାରର କୌଣସି ସଦସ୍ୟଙ୍କୁ ହରାନ୍ତି, ସେମାନଙ୍କଠାରେ ଡିଜାଷ୍ଟର ଫ୍ୟାଟିଗର ଆଶଙ୍କା ଅଧିକ ରହିଛି। କିନ୍ତୁ ସହଜ ଓ ଦ୍ରୁତଗତିରେ ସୂଚନା ମିଳିଯାଉଥିବା ଦୁନିଆରେ ଏହା ଯେ କୌଣସି ବ୍ୟକ୍ତିଙ୍କୁ ହୋଇପାରେ। ଯେଉଁ ଲୋକମାନେ ପୂବରୁ ଅବସାଦ କିମ୍ବା ଅନ୍ୟ କୌଣସି ମାନସିକ ରୋଗର ଶିକାର ଅଛନ୍ତି, ସେମାନଙ୍କ ପାଇଁ ମଧ୍ୟ କୋରୋନା ଭାଇରସର ଏହି ସମୟ ଆହୁରି ମୁସ୍କିଲଭରା ହୋଇପାରେ।

କେମିତି ହୋଇଥାଏ ଏହି ରୋଗ
ସଙ୍କଟ ସମୟରେ ଆମ ମସ୍ତିଷ୍କ ଷ୍ଟ୍ରେସ୍ ହର୍ମୋନ କୋର୍ଟିସୋଲ ରିଲିଜ୍ କରିଥାଏ। ମଣିଷ ଯେତେବେଳେ କୌଣସି କଠିନ ପରିସ୍ଥିତିରେ ଲଢ଼ୁଥାଏ, ସେତେବେଳେ ଏହି ହର୍ମୋନ ରିଲିଜ୍ ହୋଇଥାଏ। କିନ୍ତୁ ଭାବନ୍ତୁ, ଯଦି ଆପଣ ପ୍ରତ୍ୟେକ ଦିନ ଏହି ଡର ସହିତ ବଞ୍ଚିବେ, କାଳେ ଆପଣଙ୍କୁ କୋରୋନା ହୋଇଯିବ, ଏଥିରୁ ବଞ୍ଚିବା ଲାଗି ସବୁବେଳେ କିଛି ନା କିଛି ଉପାୟ ଖୋଜୁଥିବେ, ତେବେ ଏହି ଷ୍ଟ୍ରେସ୍ ହର୍ମୋନ ପ୍ରତ୍ୟେକ ଦିନ ରିଲିଜ୍ ହେବ ଓ ଧୀରେ ଧୀରେ ଏହା ଆପଣଙ୍କୁ ଅବସାଦ ଆଡ଼କୁ ନେଇଯାଇପାରେ। ୬ ମାସ ଯାଏ ଏଭଳି ବିପତ୍ତି ଲାଗିରହିବା ସାଧାରଣ କଥା ନୁହେଁ। ଏତେ ଦିନ ଧରି କଠିନ ପରିସ୍ଥିତି ସହିତ ଲଢ଼ିବା ଆମର ଅଭ୍ୟାସ ମଧ୍ୟ ନାହିଁ।

ତଥ୍ୟ କ’ଣ କହେ
୨୦୦୩ରେ ସାର୍ସ ଅର୍ଥାତ ବାର୍ଡ ଫ୍ଲୁ ମହାମାରୀ ରୂପରେ ଉଭା ହେଉଥିବା ସମୟରେ ହଂକଂରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଥିଲା ଯେ ଏହି ରୋଗର ଶିକାର ୪୦ ପ୍ରତିଶତ ଲୋକ ଅବସାଦ ଓ ଅନ୍ୟ ମାନସିକ ରୋଗରେ ପୀଡ଼ିତ ହୋଇଥିଲେ। ଆମେରିକାର ଏକ ଫ୍ୟାମିଲି ଫାଉଣ୍ଡସନର ସର୍ଭେରୁ ଜାଣିବାକୁ ପାଇଛି ଯେ ୫୬ ପ୍ରତିଶତ ଆମେରିକାନ କୋରୋନା ଭାଇରସ କାରଣରୁ ନକାରାତ୍ମକତାର ଶିକାର ହୋଇଛନ୍ତି। ଏହି ତଥ୍ୟ ଆପଣଙ୍କୁ ଡରାଇବା ପାଇଁ ଦିଆଯାଉ ନାହିଁ। ଏହାର ଶିକାର ସମସ୍ତେ ହେବେ, ଏହା ବି କହିବା ଠିକ୍ ହେବନି। କିନ୍ତୁ ପ୍ରଥମରୁ ମାନସିକ ରୋଗୀଙ୍କୁ ସାବଧାନ ରହିବାକୁ ପଡ଼ିବ।

ଆଇସିଏମ୍ଆର ଓ ଲାନସେଟ ଡିସେମ୍ବର ୨୦୧୯ର ଏକ ରିପୋର୍ଟ ଅନୁସାରେ ପ୍ରତ୍ୟେକ ୭ ଜଣରେ ଜଣେ ଭାରତୀୟ କୌଣସି ନା କୌଣସି ମାନସିକ ରୋଗର ଶିକାର। ୧୯ କୋଟିରୁ ଊର୍ଦ୍ଧ୍ବ ଭାରତୀୟ ଏହି ମାନସିକ ରୋଗର ଶିକାର ଅଟନ୍ତି। ଏମାନଙ୍କ ମଧ୍ୟରୁ ସାଢ଼େ ୪ କୋଟି ଡିପ୍ରେସନ ଓ ପାଖାପାଖି ୪ କୋଟି ଲୋକ ଅବସାଦ କିମ୍ବା ଚାପର ଶିକାର ଅଟନ୍ତି।

କ’ଣ କରିବା ଉଚିତ

କୋରୋନା ଭାଇରସ ମହାମାରୀ ଏଭଳି ଏକ ସମୟ ଯାହା ସହିତ ବଞ୍ଚିବା ଏବେ ଆମେ ଶିଖୁଛୁ। ପ୍ରଥମେ ବୁଝିବାକୁ ଚେଷ୍ଟା କରନ୍ତୁ ଏହି ମହାମାରୀ ସହିତ ଲଢ଼ୁଥିବା ଆପଣ ଏକୁଟିଆ ବ୍ୟକ୍ତି ନୁହନ୍ତି। ଗବେଷଣା ମୁତାବକ ଜଣେ ବ୍ୟକ୍ତି ନିଜ ଦିନର ଏକ ତୃତୀୟାଂଶ ସମୟ ସ୍ମାର୍ଟଫୋନ ସହିତ ବିତାଉଛନ୍ତି। ଏହି ଅଭ୍ୟାସ ଅନେକ ରୋଗକୁ ନିମନ୍ତ୍ରଣ ଦେବା କାମ କରୁଛି। ସୋସାଲ ମିଡିଆରୁ ଯଥାସମ୍ଭବ ଦୂରରେ ରହନ୍ତୁ। ସୋସାଲ ମିଡିଆରେ ଲୋକେ ଇନଷ୍ଟାଣ୍ଟ ଇମୋସନ ପୋଷ୍ଟ କରୁଛନ୍ତି। କିନ୍ତୁ ଆପଣଙ୍କ ପାଇଁ ମନକୁ ଶାନ୍ତ ରଖିବା ଉଚିତ। କେତେକ ଲୋକଙ୍କ କହିବାନୁସାରେ ଖବରରେ କେବଳ ନେଗେଟିଭ୍ ଜିନିଷ ଦେଖିବାକୁ ମିଳୁଛି। ଏହି କାରଣରୁ ଅବସାଦ ବଢ଼ୁଛି। ତେଣୁ ନ୍ୟୁଜ୍ ତ ଦେଖିବା ପୂରା ବନ୍ଦ କରିହେବ ନାହିଁ, କିନ୍ତୁ ଏହା ଦେଖିବା ସମୟ ସୀମିତ କରିନିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ