ଚାକିରି ଗାଏବ: ଯୁବପିଢ଼ି ହତାଶ, ହୁ ହୁ ବଢ଼ିବ ବେରୋଜଗାରୀ

ରାଜ୍ୟ ସରକାରଙ୍କ ୨ ବର୍ଷ ପାଇଁ ସରକାରୀ ନିଯୁକ୍ତି ବାତିଲ ନିଷ୍ପତ୍ତିକୁ ସମାଲୋଚନା

ଓଡ଼ିଶାରେ ଉତ୍କଟ ବେରୋଜଗାରୀର ସ୍ଥିତି ଥିବାବେଳେ କୋରୋନା ଏହାକୁ ପୁଣି ବିଗାଡ଼ି ଦେଇଛି। ୨୨.୫୭ ଲକ୍ଷ ଯୁବକ ନିଜ ନାମ ବିଭିନ୍ନ କର୍ମ ନିୟୋଜନ ସଂସ୍ଥାରେ ପଞ୍ଜୀକରଣ କରି ଚାକିରି ଆଶାରେ ଦୌଡ଼ୁଥିବା ବେଳେ ଏବେ ସେମାନଙ୍କ ଏହି ସ୍ବପ୍ନକୁ ଚୁରମାର କରିଦେଇଛି ରାଜ୍ୟ ସରକାରଙ୍କ ୨ ମାସ ପାଇଁ ନିଯୁକ୍ତି ବନ୍ଦ ଜନିତ ନିଷ୍ପତ୍ତି। ଆସନ୍ତା ଦୁଇବର୍ଷ ପାଇଁ ସରକାରୀ ବିଭାଗ ଗୁଡ଼ିକରେ ଜଣେ ହେଲେ ବି କେହି ନିଯୁକ୍ତି ପାଇପାରିବେ ନାହିଁ। ଆଉଟସୋର୍ସିଂ, ଅବସରଙ୍କୁ ପୁନଃନିଯୁକ୍ତି, ଠିକାରେ ନିଯୁକ୍ତି ମଧ୍ୟ କରାଯିବ ନାହିଁ। କଡ଼ାକଡ଼ି ଏହା ପାଳନ କରିବାକୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗ ଗୁଡ଼ିକୁ ଜଣାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟର ବେକାରୀ ହାରକୁ ବଢ଼ାଇବ, ଏଥିରେ ସନ୍ଦେହ ନାହିଁ।

ରାଜ୍ୟର ଆର୍ଥିକ ସ୍ଥିତି ସୁଦ୍‌ଢ଼ ରହିଥିବାର ଦମ୍ଭ ଦେଖାଇ ପ୍ରତିବର୍ଷ ବଜେଟକୁ ବଢ଼ାଇ ପ୍ରଶଂସା ସାଉଁଟୁଥିବା ବିଜେଡି ନେତ୍‌ତ୍ବାଧୀନ ନବୀନ ସରକାର ଏବେ ହାତ ଟେକି ଦେଇଛନ୍ତି। ସବୁ ଦୋଷ କୋରୋନା ମୁଣ୍ଡରେ ଢଳାଯାଇଛି। ଦୀର୍ଘ ୨ ଦଶନ୍ଧି ଧରି କ୍ଷମତାରେ ରହିବା ସତ୍ତ୍ବେ ରାଜକୋଷ ପୂର୍ଣ୍ଣ ବଦଳରେ ଶୂନ୍ୟ ହେବାକୁ ଲାଗିଛି। କୋରୋନା ଜନିତ ଲକଡାଉନ ଓ ଶଟଡାଉନର ଆଳ ଦେଖାଇ ନବୀନ ସରକାର ରାଜ୍ୟରେ ୨ ବର୍ଷ ପର୍ଯ୍ୟନ୍ତ ସରକାରୀ ଖର୍ଚ୍ଚକାଟ ଘୋଷଣା କରିଛନ୍ତି। ଆସନ୍ତା ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁ ପ୍ରକାରର ନୂଆ ନିଯୁକ୍ତି, ନୂଆ ପ୍ରକଳ୍ପ ପାଇଁ ଟେଣ୍ଡର, ନୂଆ ଅଫିସ, ଗେଷ୍ଟହାଉସ, କର୍ମଚାରୀ ବାସଭବନ ନିର୍ମାଣ, ସରକାରୀ ଖର୍ଚ୍ଚରେ ଗାଡ଼ିକିଣା, ହୋଟେଲ ରହଣି, ବିମାନଯାତ୍ରା, ଏଲଟିସି ସୁବିଧା ଉପରେ କଟକଣା ଜାରି ହୋଇଛି। ଏଥି ସହିତ ୫ ବର୍ଷ ପର୍ଯ୍ୟନ୍ତ ଖାଲି ପଡ଼ିଥିବା ସମସ୍ତ ପଦବୀକୁ ଚଳିତ ମାସ ୩୧ ତାରିଖ ସୁଦ୍ଧା ପ୍ରଶାସନିକ ବିଭାଗ ଗୁଡ଼ିକ ଉଚ୍ଛେଦ କରିବେ ବୋଲି ନିର୍ଦେଶ ଦିଆଯାଇଛି। କୋଭିଡ ପରିଚାଳନା ପାଇଁ ଅର୍ଥ ଆବଶ୍ୟକତା ଥିବାରୁ ସରକାରୀ ବିଭାଗ ଗୁଡ଼ିକରେ ଏଭଳି କାଣ୍ଟଛାଣ୍ଟ ପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ମଙ୍ଗଳବାର ସମସ୍ତ ପ୍ରଶାସନିକ ବିଭାଗର ସଚିବଙ୍କୁ ଚିଠି ଲେଖି ରାଜ୍ୟର ଆର୍ଥିକ ସ୍ଥିତି ଭଲ ନ ଥିବା ପରୋକ୍ଷରେ ସୂଚିତ କରାଇଛନ୍ତି। କେବଳ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଛାଡ଼ିଦେଲେ କୌଣସି ବିଭାଗରେ ନୂଆ ପଦବୀ ସ୍‌ଷ୍ଟି ହୋଇପାରିବ ନାହିଁ ବୋଲି ନିଆଯାଇଥିବା ନିଷ୍ପତ୍ତି ଉପରେ ଯୁବବର୍ଗ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯଦି ସରକାର ୨ ବର୍ଷ ପାଇଁ ଚାକିରି ଗୁଡ଼ିକ ସ୍ଥଗିତ ରଖୁଛନ୍ତି, ତେବେ ଚାକିରି ପାଇବା ବୟସ ସୀମାରେ ମଧ୍ୟ ଦୁଇବର୍ଷ ବ୍‌ଦ୍ଧି କରିବା ଏକ ଜରୁରୀ ଆବଶ୍ୟକତା ବୋଲି କୁହାଯାଇଛି। ଆସନ୍ତା ଦୁଇବର୍ଷ ଭିତରେ ଯେଉଁମାନଙ୍କର ଚାକିରି ପାଇଁ ଆବେଦନ କରିବାର ବୟସ ଅତିକ୍ରାନ୍ତ ହୋଇଯିବ, ସେମାନଙ୍କ ପାଇଁ ସରକାର ଅଧିକ ୨ ବର୍ଷ ବୟସ ସୀମା ବ୍‌ଦ୍ଧି ଘୋଷଣା କରିବାକୁ ଦାବି ଜୋର ଧରିଲାଣି। ଦେଶର ବେରୋଜଗାରୀ ସୂଚୀରେ ଯେଉଁ ୧୦ଟି ରାଜ୍ୟ ଶୀର୍ଷରେ ରହିଛି, ସେମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା। ଟପ ୧୦ ବେରୋଜଗାରୀ ରାଜ୍ୟମାନଙ୍କ ମଧ୍ୟରେ ୭ମ ସ୍ଥାନରେ ରହିଥିବା ଓଡ଼ିଶାରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ୨୨ ଲକ୍ଷ ଓ ଅପାଠୁଆ ବେକାରୀଙ୍କ ସଂଖ୍ୟା ୮୦ ଲକ୍ଷ ଥିବା ଜଣାଯାଇଛି। ଯୁବବର୍ଗଙ୍କ ପାଇଁ କାମ ମିଳୁ ନାହିଁ। ଫଳରେ ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟମାନେ ପିଅନ, ସିକ୍ୟୁରିଟି ଗାର୍ଡ, ୱେଟର ଭଳି ପଦବୀ ପାଇଁ ମଧ୍ୟ ଆବେଦନ କରୁଥିବା ଧାରା ଦେଖିବାକୁ ମିଳୁଛି।

କୋରୋନା କାଳରେ ସର୍ବାଧିକ ବେରୋଜଗାରୀ ସ୍ଥିତି ସ୍‌ଷ୍ଟି ହୋଇଛି ଝାଡ଼ଖଣ୍ଡରେ। ମେ ମାସରେ ବେରୋଜଗାରୀ ହାର ପହଞ୍ଚିଛି ୫୨.୨ ପ୍ରତିଶତରେ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ପକ୍ଷରୁ କୁହାଯାଇଛି ଯେ ଝାଡ଼ଖଣ୍ଡରେ ଏପ୍ରିଲ-ମେ ମାସରେ ୫୦.୫ ପ୍ରତିଶତ ଲୋକ ବେରୋଜଗାର ହୋଇଛନ୍ତି। ମାର୍ଚ୍ଚ ମାସରେ ଏ ସଂଖ୍ୟା ୮.୨ ପ୍ରତିଶତ ଥିଲା। ଏପ୍ରିଲରେ ୪୭.୧ ଏବଂ ମେରେ ୫୯.୨ ପ୍ରତିଶତ ହେବା ପଛରେ କୋରୋନା ଦାୟୀ ବୋଲି କୁହାଯାଉଛି। ସେହିଭଳି କଳକାରଖାନା ଉଦ୍ୟୋଗ ଗୁଡ଼ିକ ବନ୍ଦ, ଲକଡାଉନ ଓ ଶଟଡାଉନ ଘୋଷଣା ଯୋଗୁ ବିହାରରେ ୪୬ ପ୍ରତିଶତ, ଉତ୍ତର ପ୍ରଦେଶରେ ୨୦.୮ ପ୍ରତିଶତ, ଛତିଶଗଡ଼ରେ ୧୧ ପ୍ରତିଶତ ଓ ଆମ ରାଜ୍ୟ ଓଡ଼ିଶାରେ ୯ ପ୍ରତିଶତରେ ପହଞ୍ଚିଛି ବେକାରୀ ହାର। ତେବେ ଓଡ଼ିଶା ସରକାର ୨୦୨୨ ମାର୍ଚ୍ଚ ୩୧ ଯାଏ ନିଯୁକ୍ତି ବନ୍ଦ ଘୋଷଣା ସହିତ ୫ ବର୍ଷ ପର୍ଯ୍ୟନ୍ତ ଖାଲି ପଡ଼ିଥିବା ପଦବୀ ପୂରଣ କରା ନ ଯିବା ପାଇଁ ନିଷ୍ପତ୍ତି ନେଇ ଲକ୍ଷ ଲକ୍ଷ ଯୁବକଙ୍କ ଚାକିରି ସ୍ବପ୍ନରେ ପାଣି ପୂରାଇ ଦେଇଛନ୍ତି। ଜାତୀୟ ନମୁନା ସର୍ଭେ ସଂସ୍ଥାର ଏକ ସୂଚନା ଅନୁଯାୟୀ ୨୦୧୯ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଦେଶର ଯୁବବର୍ଗଙ୍କ ମଧ୍ୟରେ ସବୁଠୁ ଅଧିକ ବେକାରୀ ଓଡ଼ିଶାରେ। ଏ କ୍ଷେତ୍ରରେ ରାଜ୍ୟ ପ୍ରଥମ। ୩୩.୮ ପ୍ରତିଶତ ଯୁବକଙ୍କ ପାଇଁ ଦକ୍ଷତା ଅନୁଯାୟୀ କାମ ନାହିଁ। ପ୍ରତି ୧୦ ଜଣ ଯୁବକଙ୍କ ମଧ୍ୟରୁ ୩ ଜଣଙ୍କ ପାଖରେ କାମ ନ ଥିବା ବେଳେ ସରକାରଙ୍କ ଏଭଳି ଘୋଷଣା ରାଜ୍ୟରେ ଯୁବବର୍ଗଙ୍କ ମାନସିକ ଚିନ୍ତା ବଢ଼ାଇ ଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ