ମହିଳାଙ୍କ ପାଇଁ ପ୍ରେରଣା ବିହାରର କିଷାନ ଚାଚୀ

କ୍ଷେତ କାମରେ ନାମ କମାଇଲା ପରେ ଅନ୍ୟ ମହିଳାଙ୍କୁ ଦେଖାଉଛନ୍ତି ରାସ୍ତା

ଆଜିକାଲି ଏମିତି ବହୁତ କମ୍ କ୍ଷେତ୍ର ରହିଛି, ଯେଉଁଠି ମହିଳାମାନେ ନିଜ ପାଦ ରଖି ନାହାନ୍ତି। ନିଜ ପରିଶ୍ରମ ଓ ଉତ୍ସାହ ବଳରେ ମହିଳାମାନେ ପୁରୁଷଙ୍କୁ ପଛରେ ପକାଉ ଥିବା ଦେଖିବାକୁ ମିଳୁଛି। ଡାକ୍ତର, ଇଞ୍ଜିନିୟର ହେବା କଥା ହେଉ ବା ଚାଷବାସ କରିବା, ସବୁ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କଠାରୁ ଆଗକୁ ଚାଲିଯାଉଛନ୍ତି। ଏପରି ଏକ କାହାଣୀ ହେଉଛି ବିହାରରେ ରହୁଥିବା କିଷାନ ଚାଚୀ ନାମରେ ଜଣାଶୁଣା ରାଜକୁମାର ଦେବୀଙ୍କ ଯାତ୍ରା।

ଘରୁ ବାହାର କରିଦେଲେ ଶାଶୂଘର ଲୋକ
ରାଜକୁମାରୀ ଦେବୀଙ୍କ ଜନ୍ମ ମୁଜାଫରପୁରର ସରୈୟା ଗାଁର ଏକ ଶିକ୍ଷକ ପରିବାରରେ ହୋଇଥିଲା। ତାଙ୍କ ପିତା ତାଙ୍କୁ ମ୍ୟାଟ୍ରିକ୍‌ ପର୍ଯ୍ୟନ୍ତ ପଢ଼ାଇ ଥିଲେ। ସେ ଶିକ୍ଷୟତ୍ରୀ ହେବାକୁ ଚାହୁଥିଲେ। କିନ୍ତୁ ତାଙ୍କ ବାହାଘର ଆନନ୍ଦପୁର ଗାଁର ଅଭଧେଶ କୁମାର ଚୌଧୁରୀଙ୍କ ସହିତ କରାଯାଇଥିଲା। ଯିଏ ଜଣେ ଚାଷି ପରିବାରର ଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କ ଶାଶୂଘର ଲୋକ ତାଙ୍କୁ ପତିଙ୍କ ସହିତ ଭାଗ ଦେଇ ଅଲଗା କରି ଦେଇଥିଲେ।

ପତି ଥିଲେ ବେକାର, ରାଗରେ ଆରମ୍ଭ କଲେ ଚାଷକାମ
ପତିଙ୍କ ବେରୋଜଗାରୀ ଓ ଆର୍ଥିକ ସମସ୍ୟା କାରଣରୁ ରାଜକୁମାର ଦେବୀ ଚାଷ କାମ କରିବାକୁ ମନସ୍ଥ କରିଥିଲେ। ସେ ତାଙ୍କ ଭାଗରେ ପଡ଼ିଥିବା ୨.୫ ଏକର ଜମିରେ ଚାଷ କାମ ଆରମ୍ଭ କରିଥିଲେ। ଏଥିପାଇଁ ସେ ଡା.ରାଜେନ୍ଦ୍ର କୃଷି ବିଦ୍ୟାଳୟରୁ ଉନ୍ନତ ଚାଷ କାମର ନୂଆ ଟେକ୍ନୋଲୋଜି ଶିଖିଥିଲେ।

ପ୍ରଥମେ ଆରମ୍ଭ କରିଥିଲେ ଓଲୁଅ ଓ ଅମୃତଭଣ୍ଡା
ପ୍ରଥମେ ରାଜକୁମାର ଦେବୀ ଓଲୁଅ ଓ ଅମୃତଭଣ୍ଡା ଚାଷ ଆରମ୍ଭ କରିଥିଲେ। କିନ୍ତୁ ଏଥିରୁ ତାଙ୍କୁ ବିଶେଷ କିଛି ଆମଦାନୀ ମିଳି ନ ଥିଲା ତେଣୁ ସେ ବୁଦ୍ଧି ଲଗାଇ ଏହାକୁ ସିଧାସଳଖ ବିକ୍ରି କରିବା ପରିର୍ବେ ଏଥିରୁ ଅଟା ଓ ଆଚାର ତିଆରି କରିଥିଲେ। ଧିରେ ଧିରେ ତାଙ୍କ ଆୟ ବଢ଼ିଥିଲା। ତାଙ୍କୁ ଦେଖି ଆଖପାଖର ମହିଳା ମଧ୍ୟ ତାଙ୍କ ପାଖକୁ ଆସିବାରେ ଲାଗିଲେ। ରାଜକୁମାରୀ ଦେବୀ ସମସ୍ତଙ୍କୁ ଏହା ଶିଖାଇଥିଲେ ମଧ୍ୟ।

ମାଇଲ୍ ମାଇଲ୍ ସାଇକେଲ  ଚଳାଇ ଲୋକଙ୍କୁ କରୁଛନ୍ତି ସଚେତନ
କେବଳ ଏତିକି ନୁହେଁ, ରାଜକୁମାର ଦେବୀ ସାଇକେଲ ଚଳାଇ ଆଖାପାଖ ଗାଁରେ ନୂଆ ଟେକ୍ନିକ ସମ୍ପର୍କରେ ସୂଚନା ଦେଉଛନ୍ତି। ପାଖାପାଖି ୩୦ରୁ ୪୦ କିମି ସାଇକେଲ୍ ଚଳାଇ ସେ ଲୋକଙ୍କ ସହିତ ନିଜ ଅନୁଭବ ଶେୟାର କରୁଛନ୍ତି। ଯାହାଫଳରେ ସେମାନେ ସଚେତନ ହୋଇପାରିବେ। ଏଥିସହିତ ସେ ମହିଳାଙ୍କୁ ଆଚାର ତିଆରି କରିବା ମଧ୍ୟ ଶିଖାଉଛନ୍ତି। ତାଙ୍କ କହିବାନୁସାରେ ସବୁବେଳେ ପୁରୁଷମାନେ ଯାହା କହନ୍ତି, ମହିଳାମାନେ ସେହି ଅନୁସାରେ କାମ କରୁଥିବା ସେ ଦେଖିବାକୁ ପାଉଥିଲେ। ଯଦି ମହିଳାମାନେ ପରିଶ୍ରମ କରୁଛନ୍ତି, ତେବେ ତାହାକୁ କାହିଁକି ଉନ୍ନତ ଭାବେ କରିବେ ନାହିଁ। ତେଣୁ ପ୍ରଥମେ ସେ ନିଜେ କୃଷି ଜ୍ଞାନ ନେଇଥିଲେ ଓ ପରେ ଅନ୍ୟ ମହିଳାଙ୍କୁ ମଧ୍ୟ ଏହା ଶିଖାଇଥିଲେ। ପ୍ରତ୍ୟେକ ଘରେ ମହିଳାଙ୍କ ଦ୍ୱାରା ତିଆରି କରାଯାଇଥିବା ଆଚାର ଓ ମୁରବ୍ବା ମିଳୁ ବୋଲି ସେ ଚାହୁଛନ୍ତି।

ପଦ୍ମଶ୍ରୀ ସମ୍ମାନରେ ହୋଇଛନ୍ତି ସମ୍ମାନିତ
ରାଜକୁମାର ଦେବୀଙ୍କ ଏହି ଜବରଦସ୍ତ ବିଜ୍‌ନେସ୍ ଆଇଡିଆ ପାଇଁ ତାଙ୍କୁ ୨୦୦୬-୨୦୦୭ରେ କିଷାନ ଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। କେବଳ ଏତିକି ନୁହେଁ ସେ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇ ସାରିଛନ୍ତି। ତାଙ୍କୁ ସରୈୟା କୃଷି ବିଜ୍ଞାନ କେନ୍ଦ୍ରର ପରାମର୍ଶଦାତା ଭାବେ ମଧ୍ୟ ଚୟନ କରାଯାଇଛି। ଏହାବ୍ୟତୀତ କେନ୍ଦ୍ର ସରକାର କୃଷି ବିଭାଗ ଦ୍ୱାରା ତାଙ୍କ କାହାଣୀ ଉପରେ ଏକ ବୃତ୍ତଚିତ୍ର ମଧ୍ୟ ତିଆରି କରିଛନ୍ତି। କୃଷି କ୍ଷେତ୍ରରେ ସବୁବେଳେ ପୁରୁଷ ଅଗଣୀ ରହିଥାଏ। କିନ୍ତୁ କିଷାନ ଚାଚୀ ଚାଷକାମରେ ପୁରୁଷଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସେ କେବଳ ହଜାର ହଜାର ମହିଳାଙ୍କ ପାଇଁ ପ୍ରେରଣା ନୁହନ୍ତି, ପ୍ରତ୍ୟେକ ମହିଳାଙ୍କୁ ସେ ମହିଳା ସଶକ୍ତିକରଣର ପାଠ ମଧ୍ୟ ପଢ଼ାଉଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ