ଚୀନ୍ ହାତର ସଖୀ କଣ୍ଢେଇ ବନିବେ ଓଲି, ଜାଲ ବିଛାଉଛନ୍ତି ସୁନ୍ଦରୀ ରାଷ୍ଟ୍ରଦୂତ


ଚୀନ୍ ସରକାର ସମଗ୍ର ବିଶ୍ବରେ ନିଜର ପତିଆରା ଜାହିର୍ କରିବା ସକାଶେ ସବୁବେଳେ ଉଦ୍ୟମ କରିଆସିଥିବା ବେଳେ ଏହାକୁ ଚେକ୍ ଦେବା ସକାଶେ ପ୍ରମୁଖ ଦେଶଗୁଡ଼ିକ ଆଗଭର ହୋଇଆସିଛନ୍ତି। ବିଶେଷକରି ଆମେରିକା ଚୀନର କୌଣସି ପ୍ରକାର ଦବଦବାକୁ ବରଦାସ୍ତ କରିବାକୁ ରାଜି ନୁହେଁ। ଏଥିପାଇଁ ଚୀନ୍ ମଧ୍ୟ ତା’ର ଆମେରିକା ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରିଆସିଛି। ଅନ୍ତର୍ଜାତୀୟ ସ୍ତରରେ ନିଜକୁ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ବୋଲାଇବାକୁ ଉଦ୍ୟମ କରୁଥିବା ଚୀନ୍ ଏବେ ଭାରତ ବିରୋଧୀ ଆଭିମୁଖ୍ୟ ସୀମା ବିବାଦ ମାଧ୍ୟମରେ ପରିପ୍ରକାଶ କରିଚାଲିଛି। ଗତ ଜୁନ୍ ୧୬ ତାରିଖରେ ଗଲଓ୍ବାନ୍ ଉପତ୍ୟକାରେ ଚୀନ୍ ସେନା ପାଖାପାଖି ୫୦ ବର୍ଷ ପରେ ଭାରତ ସେନା ସହ ମୁହାଁମୁହିଁ ହୋଇଥିଲା। ସେବେଠାରୁ ଭାରତ ତା’ର ପ୍ରସ୍ତୁତିକୁ ଜୋରଦାର କରିବା ପରିପ୍ରେକ୍ଷୀରେ ଚୀନ୍ ନିକଟରେ ଲଦାଖରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ (ଏଲ୍ଏସି)ଠାରୁ ପାଖାପାଖି ଦେଢ଼ କିମି ପଛକୁ ହଟିଯାଇଛି। କିନ୍ତୁ ଚୀନ୍ ଅନ୍ୟ ଉପାୟରେ ଭାରତ ଉପରେ ଦାଉ ସାଧିବାକୁ ଯୋଜନା କରିବା ପରି ମନେ ହେଉଛି। ବର୍ତ୍ତମାନ ଚୀନ୍ ଭାରତର ପଡ଼ୋଶୀ ରାଷ୍ଟ୍ର ନେପାଳକୁ ହାତବାରେସୀ କରିବା ପାଇଁ ମନସ୍ଥ କରିଛି ଓ ଏଥିପାଇଁ କାଠମାଣ୍ଡୁରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ହୋଉ ୟାନ୍‌କିଙ୍କୁ ଉପଯୋଗ କରିଚାଲିଛି।

ଚୀନ୍ ପାଇଁ ନେପାଳରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା କଙ୍କଡ଼ାକୁ ଗୋଳିଆ ପାଣି ସୁହାଇବା ସଦୃଶ ହୋଇଛି। ଓଲିଙ୍କୁ ଭାରତ ବିରୋଧରେ ବ୍ୟବହାର କରିବା ସକାଶେ ବର୍ତ୍ତମାନ ସୁନ୍ଦରୀ ୟାନକି ବେଶ୍ ଚଳଚଞ୍ଚଳ ହୋଇପଡ଼ିଛନ୍ତି। ଗତ ମାସରେ ନେପାଳ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାନଚିତ୍ରରେ ଭାରତର ତିନିଟି ଅଞ୍ଚଳକୁ ସାମିଲ୍ କରିଥିଲା। କାଲାପାନୀ, ଲିମ୍ପିୟାଧୁରା ଓ ଲିକୁଲେଖ ଭାରତ ସୀମାରେ ରହିଥିଲେ ମଧ୍ୟ ନେପାଳ ଏପରି ବେଆଇନ ମାନଚିତ୍ର ଜାରି କରିବା ଘଟଣାକୁ ଭାରତ କଡ଼ା ବିରୋଧ କରିଥିଲା। ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ନେପାଳ ସହ ମିତ୍ରତା ସ୍ଥାପନ କରି ଚୀନ୍ ଭାରତ ବିରୋଧରେ ତା’ର ଆଭିମୁଖ୍ୟକୁ ଅଧିକ କଡ଼ାକଡ଼ି କରିବା ଲକ୍ଷ୍ୟରେ ରହିଛି। ନିକଟ ଅତୀତରେ ୟାନକି ନିୟମିତ ଭାବେ ନ୍ୟାସନାଲ୍ କମ୍ୟୁନିଷ୍ଟ ପାର୍ଟି (ଏନସିପି) ନେତାଙ୍କୁ ଭେଟିଥିବାରୁ ଓଲି ତାଙ୍କ ପରାମର୍ଶ କ୍ରମେ ହିଁ ନୂଆ ମାନଚିତ୍ର ପ୍ରକାଶ କରିଥିବା କୁହାଯାଉଛି। ଏପରିକି ଏହି ନୂଆ ମାନଚିତ୍ରକୁ ନେପାଳ ସଂସଦ ମଧ୍ୟ ମଞ୍ଜୁରୀ ଦେଇସାରିଛି। ତା’ଛଡ଼ା ପୂର୍ବରୁ ଭାରତକୁ ଅନ୍ୟତମ ମିତ୍ର ରାଷ୍ଟ୍ର ତାଲିକାରେ ରଖିଥିବା ନେପାଳ ଅଚାନକ ସ୍ବର ବଦଳାଇବା ପଛରେ ୟାନକିଙ୍କ ପରାମର୍ଶ ହିଁ ରହିଥିବା ସନ୍ଦେହ କରାଯାଉଛି।

ଗତ ବର୍ଷ ଅକ୍ଟୋବରରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯାବତୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭାରତ ଚୀନର ଏକ ବନ୍ଧୁ ରାଷ୍ଟ୍ର ଓ ଉଭୟ ଦେଶ ପ୍ରଶାନ୍ତ ମହାଗରୀୟ ଅଞ୍ଚଳରେ ଶାନ୍ତି ସ୍ଥାପନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଥିବା ଜିନପିଙ୍ଗ୍ ନିଜ ଦେଶକୁ ଫେରିବା ସମୟରେ ନେପାଳ ଯାଇଥିଲେ। ସେତେବେଳେ ଜିନପିଙ୍ଗ୍ ନେପାଳକୁ ଭାରତ ବିରୋଧରେ ଅସ୍ତ୍ର କରିବା ସକାଶେ ୟାନକିଙ୍କ ସୌନ୍ଦର୍ଯ୍ୟର ଉପଯୋଗ କରିବା ନେଇ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି। ଏପରିକି ୟାନକିଙ୍କ ଯୋଗୁଁ ହିଁ ଓଲିଙ୍କର ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ ଦଲ କମଲ ପ୍ରଚଣ୍ଡଙ୍କ ସହ ଦ୍ବନ୍ଦ୍ବ ବଢ଼ିଥିବା କୁହାଯାଉଛି। ଇତିମଧ୍ୟରେ ନେପାଳ ରାଜନୈତିକ ଅସ୍ଥିରତା ପ୍ରସଙ୍ଗରେ ୟାନକି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଓ ଏନସିପିର ବରିଷ୍ଠ ନେତା ମାଧବ କୁମାରଙ୍କୁ ଭେଟିଛନ୍ତି। ଏହାଦ୍ବାରା ୟାନକି ଏନସିପି ନେତାଙ୍କ ମଧ୍ୟରେ ଚୀନ୍ ସେମାନଙ୍କର ଶୁଭାକାଂକ୍ଷୀ ବୋଲି ଏକ ଧାରଣା ଜନ୍ମାଇବାକୁ ଉଦ୍ୟମ କରୁଛନ୍ତି ବୋଲି କୁହାଯାଇପାରେ। ପେଇକିଙ୍ଗ୍ ୟୁନିଭର୍ସିଟିରେ ପାଠ ପଢ଼ିଥିବା ୫୦ ବର୍ଷୀୟ ୟାନକିଙ୍କ ପାଖରେ ଦକ୍ଷିଣ ଏସୀୟ ପ୍ରସଙ୍ଗରେ ଯଥେଷ୍ଟ ଅଭିଜ୍ଞତା ରହିଛି।

ବର୍ତ୍ତମାନ ସମୟରେ ନେପାଳରେ ଓଲିଙ୍କ ବିରୋଧରେ ଦେଶବାସୀ ସ୍ବର ଉତ୍ତୋଳନ କରିଚାଲିଛନ୍ତି। ବିଶେଷକରି ସରକାର କୋଭିଡ୍-୧୯ଜନିତ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଜନସାଧାରଣଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। ତା’ଛଡ଼ା ସରକାର ଦର ନିୟନ୍ତ୍ରଣରେ ବିଫଳ ହୋଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ିଚାଲିଛି। ଫଳରେ ଓଲିଙ୍କ ହାତରୁ ସ୍ଥିତି କ୍ରମଶଃ ଖସିବାରେ ଲାଗିଛି। ତେଣୁ ଯେ କୌଣସି ମୁହୂର୍ତ୍ତରେ ବି ଓଲିଙ୍କ ସରକାର ଭୁଶୁଡ଼ି ପଡ଼ିବାର ପୂର୍ବାନୁମାନ ବି କରାଯାଉଛି। ଏପରି ଏକ ଜଟିଳ ପରିସ୍ଥିତିରୁ ଫାଇଦା ହାସଲ ଚୀନର ଏକମାତ୍ର ଉଦ୍ଦେଶ୍ୟ ହୋଇଥିବା ବେଳେ ପୂର୍ବରୁ ୟାନକି ହନିଟ୍ରାପ୍ ମାଧ୍ୟମରେ ଓଲିଙ୍କୁ କରାୟତ୍ତ କରିବାକୁ ବି ଚାହୁଁଥିବା ନେଇ ସୋସାଲ୍ ମିଡିଆରେ ଢେର୍ ଚର୍ଚ୍ଚା ହୋଇଛି। ତା’ଛଡ଼ା ନେପାଳର ୧୧ଟି ଗାଁରେ ଚୀନ୍ ପୂର୍ବରୁ କବଜା ମଧ୍ୟ କରିସାରିଛି। ଏପରି ସ୍ଥିତିରେ ନେପାଳରେ ଚୀନର ପ୍ରଭାବ ବଢ଼ାଇବା ଦିଗରେ ୟାନକି ଯଥାସାଧ୍ୟ ଉଦ୍ୟମ କରୁଛନ୍ତି ଓ ଏଥିପାଇଁ ଚୀନର କମ୍ୟୁନିଷ୍ଟ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଭଳି ମନେ ହେଉଛି। ତେବେ ଓଲି ରାଜନୈତିକ ଫାଇଦା ପାଇବା ପାଇଁ ୟାନକିଙ୍କ ହାତର ସଖୀ କଣ୍ଢେଇ ବନୁଛନ୍ତି କି ଅବିଶ୍ବସନୀୟ ଚୀନ୍‌ର ମନ୍ଦ ଉଦ୍ଦେଶ୍ୟ ପଦାରେ ପଡ଼ୁଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ