ଭାରତରେ କୋରୋନା ଟେଷ୍ଟିଂ: କୋଟିଏ ପାର, ବିଶ୍ବରେ ପଞ୍ଚମ

ମାସିକ ଏକ ଲକ୍ଷରୁ ବଢ଼ି ଏବେ ହେଉଛି ଅଢ଼େଇ ଲକ୍ଷ

କୋରୋନା ସଂକ୍ରମିତଙ୍କ ପରୀକ୍ଷଣରେ ଭାରତକୁ ମିଳିଛି ବଡ଼ ସଫଳତା। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୫ ରବିବାର ସକାଳ ସୁଦ୍ଧା ୯୭,୮୯,୦୬୬ ଲୋକଙ୍କ ଟେଷ୍ଟ ସରିଛି। ଦୈନିକ ପ୍ରାୟ ୨.୪୩ ଲକ୍ଷ ଟେଷ୍ଟିଂ କରାଯାଉଥିବା ଜଣାପଡ଼ିଛି। ଏହି ହିସାବକୁ ବିଚାରକୁ ନେଲେ ଦେଶରେ ସୋମବାର ସୁଦ୍ଧା ଭାରତ ୧ କୋଟି ଲୋକଙ୍କ ଟେଷ୍ଟ କରିସାରିଛି। କୋରୋନା ସଂକ୍ରମିତଙ୍କୁ ମୁକାବିଲା କରିବା ଦିଗରେ କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର। ଆରମ୍ଭରୁ ଏହି ‘ତିନି ଟି’କୁ ପ୍ରମୁଖ ପ୍ରାଥମିକତା ଦିଆଯାଉଥିବାରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରୁ ସଫଳତା ହାର ଅଧିକ ଥିବା ନଜରକୁ ଆସିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ଫଳରେ ଦେଶରେ କୋରୋନାରୁ ସୁସ୍ଥ ହେଉଥବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୪ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇ ଫେରିଲେଣି। ସବୁଠୁ ଅଧିକ ସୁସ୍ଥ ହାରରେ ଚଣ୍ଡିଗଡ଼ ଶୀର୍ଷରେ ରହିଛି। ଏଠାରେ ସୁସ୍ଥ ହାର ୮୫.୯ ଥିବା ବେଳେ ଲଦାଖରେ ୮୨.୨, ଉତ୍ତରାଖଣ୍ଡରେ ୮୦.୯, ଛତିଶଗଡ଼ରେ ୮୦.୬, ରାଜସ୍ଥାନରେ ୮୦.୧, ମିଜୋରାମରେ ୭୯.୩, ତ୍ରିପୁରାରେ ୭୭.୭, ମଧ୍ୟ ପ୍ରଦେଶରେ ୭୬.୯, ଝାଡ଼ଖଣ୍ଡରେ ୭୪.୩, ବିହାରରେ ୭୪.୨, ହରିୟାଣାରେ ୭୪.୧, ଗୁଜରାଟରେ ୭୧.୯, ପଞ୍ଜାବରେ ୭୦.୫, ମେଘାଳୟରେ ୬୯.୪ ଏବଂ ଓଡ଼ିଶାରେ ସୁସ୍ଥତା ହାର ୬୯.୩, ପଶ୍ଚିମବଙ୍ଗରେ ୬୬.୨, ଆସାମରେ ୬୨.୪, ହିମାଚଳ ପ୍ରଦେଶରେ ୬୭.୪ ପ୍ରତିଶତ ରହିଛି। ଦେଶରେ ଅନଲକ-୧ ଆରମ୍ଭ ହେବା ମାତ୍ରକେ କୋରୋନା ମାମଲା ବଢ଼ି ବଢ଼ି ଚାଲିଛି। ଏହି ବ୍‌ଦ୍ଧି ହାର ଦୈନିକ ହେଉଥିବା ଟେଷ୍ଟିଂରୁ ଜଣାପଡ଼ିଛି। ଅନଲକ-୧ ଲାଗୁ କରାଯିବା ପରେ ପଜିଟିଭ ହାର ପ୍ରାୟ ୪ ପ୍ରତିଶତ ଅଧିକ ବଢ଼ିଥିବା ଜଣାଯାଇଛି। ଜୁନ ୨ରେ ଆଇସିଏମଆର ୧,୨୮,୮୬୮ ଲୋକଙ୍କ ପରୀକ୍ଷଣ କରିଥିଲା। ସେଥିରୁ ୮,୧୭୧ ଲୋକ ପଜିଟିଭ ଥିବା ଜଣାଗଲା। ଏହାର ଅର୍ଥ ଯେଉଁମାନଙ୍କ ନମୁନା ନିଆଯାଇଥିଲା, ସେଥିରୁ ୬.୩ ପ୍ରତିଶତ ଲୋକଙ୍କ ଠାରେ କୋରୋନା ଭୂତାଣୁ ଥିବା ଜଣାଯାଇଥିଲା। ୫ ଜୁଲାଇରେ ସାରା ଦେଶରେ ୨,୪୮,୯୩୪ ଲୋକଙ୍କ ପରୀକ୍ଷଣ କରାଯାଇଥିଲା। ଏଥିରେ ୨୪,୮୫୦ ଲୋକ ପଜିଟିଭ ଚିହ୍ନଟ ହୋଇଥିଲେ। ଅର୍ଥାତ ୧୦ ପ୍ରତିଶତ ଲୋକ ସଂକ୍ରମଣ ହୋଇଥିଲେ। ମାତ୍ର ୧ ମାସ ମଧ୍ୟରେ ଏଥିରେ ୫ ପ୍ରତିଶତ ଅଧିକ ନମୁନା ପଜିଟିଭ ମିଳିବା ଚିନ୍ତାଜନକ ବିଷୟ।

୧୧୦୦ ଲ୍ୟାବରେ ପରୀକ୍ଷଣ
ମେ ୧୫ ତାରିଖରେ ଦେଶରେ ମାତ୍ର ୫୬୦ ଲ୍ୟାବରେ ପରୀକ୍ଷଣ କରାଯାଉଥିଲା। ଦେଢ଼ ମାସ ମଧ୍ୟରେ ଏ ସଂଖ୍ୟା ବଢ଼ି ଏବେ ୧୧୦୦ରେ ପହଞ୍ଚିଯାଇଛି। ସମ୍ପ୍ରତି ୭୮୬ଟି ସରକାରୀ ଲ୍ୟାବରେ କୋରୋନା ପରୀକ୍ଷଣ ହେଉଥିବା ବେଳେ ୩୧୪ଟି ଘରୋଇ ଲ୍ୟାବରେ ପରୀକ୍ଷଣ କରାଯାଉଛି। ଆଇସିଏମଆର ପକ୍ଷରୁ ଦେଶରେ ଦୈନିକ ୩ ଲକ୍ଷ ଟେଷ୍ଟ କରାଯିବାର ଲକ୍ଷ୍ୟ ରଖାଯାଇଛି। ବିଗତ ଏକ ମାସ ମଧ୍ୟରେ ଏହି ଲକ୍ଷ୍ୟ ହାସଲ ପାଇଁ ଅନେକ ପ୍ରୟାସ କରାଯାଇଛି।

ଜନସଂଖ୍ୟା ଅନୁଯାୟୀ ଟେଷ୍ଟ କରିବା କ୍ଷେତ୍ରରେ ଦିଲ୍ଲୀ ଶୀର୍ଷରେ ରହିଛି। ପ୍ରତି ୧୦ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୩୨,୮୬୩ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ପରୀକ୍ଷଣ କରାଯାଉଛି। ଏହାପରେ ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଏବଂ ଆସାମ ରହିଛି। ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ର ଟେଷ୍ଟିଂ କରାଇବାରେ ନବମ ସ୍ଥାନରେ ରହିଥିବା ବେଳେ ଉତ୍ତର ପ୍ରଦେଶ ୧୭ରେ, ବିହାର ୧୯ରେ, ଝାଡ଼ଖଣ୍ଡ ୧୬ତମ ସ୍ଥାନରେ ରହିଛି। ପଞ୍ଜାବରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୧,୧୩୮ ଟେଷ୍ଟିଂ କରାଯାଇଥିବା ବେଳେ ଦିଲ୍ଲୀ ୩୨,୮୬୩, ହରିୟାଣା ୧୦,୬୩୯, ରାଜସ୍ଥାନ ୧୨,୨୪୫, ମହାରାଷ୍ଟ୍ର ୮,୮୫୭, ଆସାମ ୧୩,୪୭୧, ଆନ୍ଧ୍ର ପ୍ରଦେଶ ୧୮,୫୯୭ ଓ ତାମିଲନାଡ଼ୁ ୧୬,୬୬୩ ଟେଷ୍ଟିଂ କରୁଥିବା ଆଇସିଏମଆର ସୂତ୍ରରୁ ଜଣାପଡ଼ିଛି। ଉପରୋକ୍ତ ପରିସଂଖ୍ୟାନ ଜୁଲାଇ ୪ ତାରିଖ ସୁଦ୍ଧା ହିସାବକୁ ନିଆଯାଇଛି।

ଭାରତକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରଶଂସା
ଟେଷ୍ଟିଂରେ ଭାରତର ସଫଳତାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପ୍ରଶଂସା କରିଛି। ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି, ଆରମ୍ଭରୁ ଭାରତ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। ହୁ’ର ସୁପାରିସ ଅନୁଯାୟୀ ଭାରତ ସମସ୍ତ ପଦକ୍ଷେପ ଗୁଡ଼ିକୁ ସତର୍କତାର ସହ ଅନୁପାଳନ କରିଛି। ଏବେ ଭାରତ ନିଜେ ଟେଷ୍ଟିଂ କିଟ ଉତ୍ପାଦନ କରିପାରୁଛି। କିଛି ମାସ ମଧ୍ୟରେ ଟେଷ୍ଟିଂ କିଟରେ ଭାରତ ଆତ୍ମନିର୍ଭର ହୋଇପାରିଛି। ଆଜି ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ ପରୀକ୍ଷଣ ହୋଇପାରୁଛି। ଭାରତର ଧ୍ୟାନ ଏବେ ତଥ୍ୟ ଆଡ଼କୁ ହେବା ଉଚିତ ବୋଲି ସେ କହିଛନ୍ତି।

ବିଶ୍ବ ତୁଳନାରେ ଭାରତ
ଟେଷ୍ଟିଂ କ୍ଷେତ୍ରରେ ଚୀନ ଆଗରେ ଅଛି। ରବିବାର ସୁଦ୍ଧା ଚୀନର ମୋଟ ଟେଷ୍ଟିଂ ୯.୦୪ କୋଟି ଥିଲା। ଆମରେିକାରେ ୩.୭ କୋଟି, ରୁଷରେ ୨.୧ କୋଟି ହୋଇଥିଲା। ଭାରତ ଟେଷ୍ଟିଂ ସଂଖ୍ୟାରେ ବିଶ୍ବର ୫ମ ସ୍ଥାନରେ ଏବଂ ପ୍ରତି ୧୦ ଲକ୍ଷ ଲୋକଙ୍କ ଟେଷ୍ଟିଂ ହାରରେ ୧୩୮ତମ ସ୍ଥାନରେ ଅଛି। ଟେଷ୍ଟିଂ ସଂଖ୍ୟା ବ୍‌ଦ୍ଧି କ୍ଷେତ୍ରରେ ଭାରତ କ୍ରମଶଃ ଉନ୍ନତି କରୁଥିବା ଜଣାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ