ଅଳଙ୍କାର ଦୋକାନ ଖାଁ ଖାଁ, କାହିଁକି ବଢ଼ୁଛି ସୁନା ଦର?


କୋରୋନା ମହାମାରୀ ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଛି। ବିଶ୍ବର ଅର୍ଥ ବ୍ୟବସ୍ଥା ଧରାଶାୟୀ ହୋଇପଡ଼ିଥିବା ବେଳେ କୋଟି କୋଟି ଲୋକଙ୍କ ଜୀବିକା ଚାଲିଯାଇଛି। ଅପରପାର୍ଶ୍ବରେ ଦିନକୁ ଦିନ ସୁନା ଏବଂ ରୁପାର ଦାମ ଆକାଶଛୁଆଁ ହୋଇଯାଇଛି। ଦେଶର ସୁନା ଅଳଙ୍କାର ଦୋକାନ ଗୁଡ଼ିକରେ ସୁନାର ଚାହିଦା ନ ଥିବା ବେଳେ ବଜାରରେ ଦିନକୁ ଦିନ ଏହି ମୂଲ୍ୟବାନ ଧାତୁର ବର୍ଦ୍ଧିତ ମୂଲ୍ୟ ଅନେକଙ୍କ ପାଇଁ କିଣିବାର ଅପହଞ୍ଚ ଇଲାକା ହୋଇଛି। ସୁନାର ମୂଲ୍ୟ ଭାରତରେ ଜୁନ ମାସ ଆରମ୍ଭରୁ ୧୦ ଗ୍ରାମ ପ୍ରତି ୪୬ ହଜାର ଟଙ୍କା ଥିବା ବେଳେ ଏବେ ଜୁଲାଇ ପ୍ରଥମ ସପ୍ତାହରୁ ୧୦ ଗ୍ରାମକୁ ୪୮ ହଜାର ହୋଇଯାଇଛି। ଜୁନ ମାସରେ ସାରା ବିଶ୍ବରେ ସୁନାର ଦାମ ବିଗତ ୮ ବର୍ଷ ମଧ୍ୟରେ ଏହା ହେଉଛି ସର୍ବାଧିକ ରେକର୍ଡ। ଗୋଟିଏ ପକ୍ଷରେ କୋରୋନା ଭୂତାଣୁର ମହାମାରୀ ସାରା ବିଶ୍ବରେ ବିସ୍ତାରିତ ହେଉଥିବା ବେଳେ ଏବଂ ଗୋଟିଏ ପରେ ଗୋଟିଏ ଉଦ୍ୟୋଗ କ୍ଷେତ୍ରକୁ ମାନ୍ଦାବସ୍ଥା ଆବୋରି ନେଉଥିବା ବେଳେ ସୁନା ମୂଲ୍ୟର ଏ ଲମ୍ବଡିଆଁ କାହିଁକି ତାହାକୁ ନେଇ ମାନସମନ୍ଥନ ଚାଲିଛି।

ନିବେଶକ ବା ଲୋକ ଲାଭ ପଛରେ ସଭିଏଁ ଦୌଡ଼ନ୍ତି। ଏବଂ ଏହି ଲାଭ ସେମାନଙ୍କୁ ଷ୍ଟକମାର୍କେଟ, ଫିକ୍ସଡ ଡିପୋଜିଟ, ବିଭିନ୍ନ ପ୍ରକାର ବଣ୍ଡ ବା ସୁନାରେ ପଇସା ଲଗାଇଲେ ମିଳିଥାଏ। ସ୍ଥିତିରେ ପରିବର୍ତ୍ତନ ଘଟିଲେ ଏହି ଲାଭ ଷ୍ଟକ ମାର୍କେଟ, ବଣ୍ଡ ଆଦିରୁ ମିଳିଥାଏ। କିନ୍ତୁ ଯେତେବେଳେ ସାରା ବିଶ୍ବର ଅର୍ଥ ବ୍ୟବସ୍ଥାରେ ଅନିଶ୍ଚିତତାର ସ୍ଥିତି ସ୍‌ଷ୍ଟି ହୁଏ, ସେତେବେଳେ ନିବେଶକ ସୁନାରେ ନିବେଶ ପାଇଁ ମନ ବଳାଇଥାନ୍ତି। ସେମାନଙ୍କୁ ମନେହୁଏ ଯେ ସୁନାରୁ ହିଁ ପ୍ରକ୍‌ତ ସୁରକ୍ଷା ମିଳିପାରିବ ଏବଂ ଏହାର ଦାମ କେବେ ଏତେ ତଳକୁ ଖସିଯାଇ ପାରିବ ନାହିଁ। ଏହି କାରଣରୁ ନିବେଶକଙ୍କ ମଧ୍ୟରେ ସୁନାର ଚାହିଦା ବଢ଼ିଯାଇଛି। ଏପରି ଚାହିଦା ବିଗତ ଦେଢ଼ବର୍ଷ ଧରି ରହିଛି। ୨୦୧୮ ନଭେମ୍ବରରେ ସୁନାର ୧୦ ଗ୍ରାମ ମୂଲ୍ୟ ୩୦ ହଜାର ଥିଲା। ଆଜି ଏହି ସୁନାର ଦାମ ୫୦ ହଜାର ଛୁଇଁଛି। ବିଗତ ୪ ମାସ ତଳେ ଏହାର ଦାମ ୪୦-୪୨ ହଜାର ଆଖପାଖରେ ଥିଲା। କେବଳ ଯେ ଏଭଳି ସ୍ଥିତି କୋରୋନା କାରଣରୁ ହୋଇଛି ତାହା ନୁହେଁ, ଏହା ପୂର୍ବରୁ ଚୀନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଟ୍ରେଡ ୱାର କାରଣରୁ ମଧ୍ୟ ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ସ୍‌ଷ୍ଟି ହୋଇଛି ଏବଂ ଦାମକୁ ବଢ଼ାଇଛି। କୋରୋନା ଭୂତାଣୁ ଏହାର ଦାମକୁ ଦ୍ରୁତଗତି ଦେଇଛି।

ଏବେ ଲୋକଙ୍କ ନିକଟରେ ଖର୍ଚ୍ଚ କରିବା ପାଇଁ ପଇସା ନାହିଁ। ଦୋକାନ, ରେସ୍ତୋରାଁ, ଏୟାରଲାଇନ୍ସ, ରେଳବାଇ ସବୁ ବନ୍ଦ। ଯାହା ପାଖରେ ଚାକିରି ନାହିଁ, ସେ ଏବେ ସଙ୍କଟରେ। ସେମାନଙ୍କ ଘର ଚଳିବ କିପରି? ଏସବୁ ଅନିଶ୍ଚିତତା ବଢ଼ାଇ ଦେଇଛି ଏବଂ କୋରୋନା ଭୂତାଣୁ କାରଣରୁ ଏହି ଅନିଶ୍ଚିତତା ସ୍‌ଷ୍ଟି ହୋଇଛି। ଏହି ଅନିଶ୍ଚିତତା ଲୋକଙ୍କ ମନରେ ଡର ପୂରାଇଛି। ଯେଉଁ କାରଣରୁ ଲୋକେ ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି କିନ୍ତୁ ସୁରକ୍ଷା ଚାହୁଁଛନ୍ତି। ଏହି ସୁରକ୍ଷା ସୁନାରେ ନିବେଶ କଲେ ହେବ ବୋଲି ଦ୍‌ଢ଼ ବିଶ୍ବାସ ରହିଛି। ଏହି କାରଣରୁ ନିବେଶରେ ଖର୍ଚ୍ଚ ବଢ଼ିଛି। ଲୋକଙ୍କ ବ୍ୟତୀତ ବିଶ୍ବର ବଡ଼ ବଡ଼ କେନ୍ଦ୍ରୀୟ ବ୍ୟାଙ୍କ ସୁନାକ୍ରୟକୁ ବଢ଼ାଇ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କ, ପିପଲ୍ସ ବ୍ୟାଙ୍କ ଅଫ ଚାଇନା, ଫେଡେରାଲ ରିଜର୍ଭ ବ୍ୟାଙ୍କ ଭଳି ବ୍ୟାଙ୍କ ରହିଛନ୍ତି। ୫ ହଜାର ବର୍ଷ ଧରି ସୁନାକୁ ମୂଲ୍ୟବାନ ମନେ କରାଯାଉଛି। ସୁନାର ମୂଲ୍ୟ ବଢ଼େ ସିନା କମେନି। ଆଇଆଇଏମ ଅହମଦାବାଦର ଇଣ୍ଡିଆ ଗୋଲ୍ଡ ପଲିସି ସେଣ୍ଟରର କହିବା କଥା ଆଗାମୀ ୫-୬ ମାସରେ ସୁନାର ଦାମ ଆହୁରି ବଢ଼ିବ।

ଭାରତରେ ସୁନାର ଚାହିଦା ତିନି ପ୍ରକାରର। ପ୍ରଥମତଃ ଏଥିରେ ଗହଣା ତିଆରି ହୁଏ। ଗହଣା ବଜାରରେ କିଣାବିକା ହୁଏ। ଦ୍ବିତୀୟ ଚାହିଦା ହେଲା ନିବେଶକମାନେ ସୁନାରେ ନିବେଶ କରିଥାନ୍ତି ଏବଂ ତ୍‌ତୀୟଟି ହେଲା କେନ୍ଦ୍ରୀୟ ବ୍ୟାଙ୍କ ନିଜ ନିକଟରେ ରିଜର୍ଭ କରି ରଖିବା ପାଇଁ ସୁନା କିଣିଥାନ୍ତି। ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଯେତିକି ସୁନା ଥିବ, ଏହା ଆଧାରରେ ସେହି ଦେଶର କ୍ରେଡିଟ ରେଟିଂ ସେତେ ଉନ୍ନତ ହେବ। ଭାରତରେ ସୁନା ଦାମ ବଢ଼ିବାର ଆଉ ଏକ କାରଣ ହେଉଛି ରିଜର୍ଭ ବ୍ୟାଙ୍କ ୨୦୧୮-୧୯ରେ ୬୦୦ ଟନ କିଣିବାରୁ ସୁନାର ଚାହିଦା ଉପରେ ଏହାର ପ୍ରଭାବ ପଡ଼ିଥିଲା। ଭାରତରେ ପ୍ରତିବର୍ଷ ୭୦୦-୮୦୦ ଟନ ସୁନା ଆମଦାନି ହୋଇଥାଏ। ସେଥିରୁ ଗହଣା ଶିଳ୍ପରେ ୬୦ ପ୍ରତିଶତ ବ୍ୟବହାର ହୁଏ। ୩୦ ପ୍ରତିଶତ ସୁନା ଛଡ଼ ଓ ସୁନା ମୁଦ୍ରା ରୂପେ ନିବେଶ କ୍ଷେତ୍ରରେ ବ୍ୟବହାର ହୋଇଥାଏ। ଅବଶିଷ୍ଟ ୧୦ ପ୍ରତିଶତ ବିଭିନ୍ନ ଉଦ୍ୟୋଗ ତଥା ମନ୍ଦିରରେ ଦେବତାଙ୍କ ଉଦ୍ଦେଶ୍ୟରେ ଦାନ କରାଯାଏ। ଆମ ଦେଶରେ ଏବେ ୨୫ ହଜାର ଟନ ସୁନା ଲୋକଙ୍କ ନିକଟରେ ରହିଛି। ଏଥିରୁ ୧୦-୧୨ ହଜାର ଟନ ସୁନା ଧନୀ ଲୋକଙ୍କ ନିକଟରେ। ବ୍ୟାଙ୍କ ଲକର ଏବଂ ଆଲମାରୀରେ ଥିବା ଏହି ସୁନା ଦେଶର ଅର୍ଥନୀତିରେ କୌଣସି ଯୋଗଦାନ ଦେଇପାରେନି। ଲକରରୁ ବାହାରି ଅନ୍ୟ କାମରେ ନିୟୋଜିତ କରାଗଲେ ବଜାର ଓ ସୁନା ଧାରକଙ୍କ ସୁବିଧା ହୋଇପାରିବ। ପୁଣି ଯେଉଁମାନେ ଅଳଙ୍କାର ଭାବରେ କିଣୁଛନ୍ତି, ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଅଳଙ୍କାର ନିୟମିତ ନ ପିନ୍ଧି ଆଲମାରୀରେ ହିଁ ରଖିଥାନ୍ତି। ଅଳଙ୍କାର କିଣି ପଛରେ ବିକ୍ରି କଲାବେଳକୁ ପୁରୁଣା ସୁନା ବାବଦରେ ଟଙ୍କା କଟୁଥିବା କାରଣରୁ ଲୋକେ ଅଳଙ୍କାର ଅପେକ୍ଷା ନିବେଶ ପାଇଁ ସୁନା ବାଛୁଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ