ଚଳିତ ବର୍ଷ ବୋଲବମ୍‌ ଯାତ୍ରାରେ ରୋକ


ଚଳିତ ବର୍ଷ ବୋଲବମ୍‌ ଯାତ୍ରାରେ ରୋକ
ଭୁବନେଶ୍ବର: ଶ୍ରାବଣ ମାସର ଝିପ୍‌ଝିପ୍‌ ବର୍ଷାରେ ରାସ୍ତା ଉପରେ ଆଉ ଶୁଭିବନି ବୋଲବମ୍‌ ହରହର ବମ୍‌। ଭିଡ଼ ହେବ ନାହିଁ ଶୈବପୀଠ। ଲାଗିବ ନାହିଁ କାଉଡ଼ିଆଙ୍କ ଲମ୍ବା ଲାଇନ୍‌। କାରଣ ଚଳିତ ବର୍ଷ ବୋଲବମ୍‌ ଯାତ୍ରାରେ ଲାଗିଛି ରୋକ୍‌। କୋଭିଡ୍‌-୧୯ ପରିସ୍ଥିତିରେ ରାଜ୍ୟ ସରକାର ଧାର୍ମିକ ଓ ସାଂସ୍କୃତିକ ସମାବେଶ ଉପରେ କଟକଣା ପୂର୍ବକ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବତନ୍ତ୍ର ରିଲିଫ୍‌ କମିଶନଙ୍କ ତରଫରୁ ବୋଲବମ୍‌ ଯାତ୍ରା କିମ୍ବା କାଉଡ଼ିଆଙ୍କ ଜଳଲାଗି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଶିବଭକ୍ତ କାଉଡ଼ିଆମାନେ କୌଣସି ସ୍ଥାନରେ ଜଳାଭିଷେକ କରିପାରିବେ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ଫଳରେ ହଜାର ହଜାର ଶୈବଭକ୍ତ ନିରାଶ ହୋଇଛନ୍ତି।

ଶନିବାର ସ୍ୱତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି, ଚଳିତ ବର୍ଷ ଶୈବପୀଠରେ ଜଳଲାଗି କରିପାରିବେ ନାହିଁ କାଉଡ଼ିଆ। ରାଜ୍ୟରେ କୋରୋନା ସ୍ଥିତି ଚିନ୍ତାଜନକ ରହିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। କୋରୋନା ସଂକ୍ରମଣ ଲାଗି କୌଣସି ଶୈବପୀଠରେ ଜଳଲାଗି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି  ରାଜ୍ୟ ସରକାର। ପାଣି ଉଠାଇବା, ରାସ୍ତାରେ ଚାଲି ଚାଲି ଯିବା ଓ ମନ୍ଦିରରେ ପାଣି ଢାଳିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବାରଣ କରିଛନ୍ତି। ଅନ୍‌ଲକ୍‌-୨ରେ କେନ୍ଦ୍ର ସରକାର କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଲକ୍‌ଡାଉନ୍‌ ଜାରି ପାଇଁ ଘୋଷଣା କରିଥିବା ବେଳେ ଅନ୍ୟ ସ୍ଥାନରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଟକଣା ଜାରି ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଛି। ତଦନୁଯାୟୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୋଲବମ୍‌ ଉପରେ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି। ଏହାପୂର୍ବରୁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଚଳିତବର୍ଷ କାଉଡ଼ିଆଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ମନା ହୋଇଛି। କାଉଡ଼ିଆ ଭକ୍ତମାନେ ମନ୍ଦିର ଆସି ଜଳଲାଗି କରିପାରିବେ ନାହିଁ ବୋଲି କୁହାଯାଇଛି। ସେହିପରି ଲୋକନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୂପ ନିଷ୍ପତ୍ତି ନିଆଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ