କାମକୁ ଫେରୁଛି ଦେଶ: ୫ ଦିନରେ ୩ ଲକ୍ଷ ଶ୍ରମିକ କର୍ମସ୍ଥଳୀ ମୁହାଁ

ଲକଡାଉନ ପରେ ଏବେ ଶ୍ରମିକଙ୍କ ସୁରକ୍ଷା ପାଇଁ ନୀତି ପ୍ରଣୟନ ଲାଗି ହେଉଛି ଦାବି

କୋରୋନା କାରଣରୁ ଗାଁକୁ ଫେରି ଆସିଥିବା ଶ୍ରମିକ ଏବେ ଦ୍ରୁତଗତିରେ ସହରମୁହାଁ ହେଉଥିବା ଦେଖିବାକୁ ମିଳିଛି। ରେଳ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଜୁନ ୨୭ରୁ ୩୦ ମଧ୍ୟରେ ଦିଲ୍ଲୀକୁ ସବୁଠୁ ଅଧିକ ୮୧ ହଜାର ଲୋକ ଫେରିଥିବା ଜଣାପଡ଼ିଛି। ଏଥି ସହ ମୁମ୍ବାଇ, ଅହମଦାବାଦ, ସୁରତ, ଅମ୍‌ତସର, ସିକନ୍ଦରାବାଦ, ଯୋଧପୁର ଅଭିମୁଖେ ଶ୍ରମିକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏସବୁ ସ୍ଥାନଗୁଡ଼ିକୁ ଯାଉଥିବା ଟ୍ରେନର ୧୦୦ ପ୍ରତିଶତ ସିଟ ବୁକିଂ ହେଉଥିବା କୁହାଯାଇଛି। ଏପଟେ ଲକଡାଉନ କାରଣରୁ ୫ ପ୍ରତିଶତ ଟ୍ରକ ସଡ଼କ ଉପରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିଲେ। କିନ୍ତୁ ଏବେ ସଡ଼କ ଉପରେ ଯାତାୟାତ କରୁଥିବା ଟ୍ରକ ସଂଖ୍ୟା ୪୫ ପ୍ରତିଶତରେ ପହଞ୍ଚିଯାଇଛି। ଲକଡାଉନ ପୂର୍ବରୁ ଦେଶରେ ଏକ କୋଟିରୁ ଅଧିକ ଟ୍ରକ ଚଳାଚଳ କରୁଥିଲା। ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ମହାସଚିବ ନବୀନ ଗୁପ୍ତାଙ୍କ କହିବା କଥା ଉତ୍ସବ ଋତୁ ଅର୍ଥାତ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ୭୦ ପ୍ରତିଶତ ଟ୍ରକ ଚଳପ୍ରଚଳ କରିବାର ସମ୍ଭାବନା ରହିଛି। ବୟନ ଶିଳ୍ପର ହବ ଗୁଜରାଟର ସୁରତ ସମେତ ମୁନ୍ଦ୍ରା ଏବଂ କାଣ୍ଡଲା ବନ୍ଦରରେ ମଧ୍ୟ ୮୦ ପ୍ରତିଶତ ଶ୍ରମିକ କାର୍ଯ୍ୟରେ ଯୋଗଦେଲେଣି। ଗତ ୫ ଦିନରେ ଦିଲ୍ଲୀରେ ୮୧,୦୯୧ ଶ୍ରମିକ ପହଞ୍ଚିଥିବା ବେଳେ ମୁମ୍ବାଇକୁ ଫେରିଛନ୍ତି ୭୭,୯୦୪ ଶ୍ରମିକ। ସେହିପରି ବିଗତ ୫ ଦିନରେ ଅହମଦାବାଦ ଓ ସୁରତର ଲୁଗାକଳ ଗୁଡ଼ିକରେ କାମ କରୁଥିବା ୫୬,୩୧୭ ଶ୍ରମିକ ଫେରିଥିବା ବେଳେ ସିକନ୍ଦରାବାଦକୁ ଫେରିଛନ୍ତି ୨୦,୦୧୨। ସେହିପରି ଅମ୍‌ତସରକୁ ୧୫,୫୯୧ ଓ ଯୋଧପୁରକୁ ୧୨,୮୮୩ ଶ୍ରମିକ କାମକୁ ଫେରିଛନ୍ତି। ସବୁଠୁ ଅଧିକ ଶ୍ରମିକ ଫେରିଥିବା ରାଜ୍ୟମାନଙ୍କ ମଧ୍ୟରେ ବିହାର, ୟୁପି, ପଶ୍ଚିମବଙ୍ଗ ଓ ଓଡ଼ିଶା, ଆସାମ ରହିଛି। ବିହାରରୁ ସର୍ବାଧିକ ୮୩,୬୨୫ ଶ୍ରମିକ ନିଜ ନିଜ କର୍ମସ୍ଥଳୀକୁ ଫେରିଥିବା ବେଳେ ଓଡ଼ିଶାରୁ ୧୫,୨୫୭, ପଶ୍ଚିମବଙ୍ଗରୁ ୭୩,୩୫୮ ଓ ୟୁପିରୁ ୭୧,୯୨୦ ଶ୍ରମିକ ନିଜ ନିଜ ରାଜ୍ୟରୁ କର୍ମସ୍ଥଳୀକୁ ଫେରିଆସିଛନ୍ତି। ସର୍ବାଧିକ ୫୭ଟି ଟ୍ରେନ ଦିଲ୍ଲୀ ଅଭିମୁଖେ ଆସୁଥିବା ବେଳେ ମୁମ୍ବାଇ ଅଭିମୁଖେ ୪୮ଟି ଟ୍ରେନ ଆସୁଥିବା ଜଣାଯାଇଛି।

ବିପର୍ଯ୍ୟୟର ଦୀର୍ଘ ୩ ମାସ ପରେ ବହୁସଂଖ୍ୟକ ପ୍ରବାସୀ ଶ୍ରମିକ (ପ୍ରାୟ ୨ କୋଟି) ନିଜ ନିଜ ଘରକୁ ଫେରିଯାଇଥିଲେ। ଲକଡାଉନ ଧୀରେ ଧୀରେ ଖୋଲୁଥିବା ବେଳେ ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ ଓ ଗୁଜରାଟର ଉଦ୍ୟୋଗ ଗୁଡ଼ିକ ଅଧିକରୁ ଅଧିକ ପାରିଶ୍ରମିକ ଓ ସୁବିଧା ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଫେରିଆସିବା ଲାଗି ନିବେଦନ କରିଛନ୍ତି। ତେଣୁ ଏହି ଶ୍ରମିକଙ୍କ ଉତ୍ସ ବା ମୂଳସ୍ଥାନ ପାଲଟିଥିବା ପ୍ରମୁଖ ରାଜ୍ୟଗୁଡ଼ିକ ଏହି ପୁରୁଷ ଓ ମହିଳାମାନଙ୍କ ଉନ୍ନତ ଜୀବନଧାରଣ ଓ କାର୍ଯ୍ୟସ୍ଥଳୀର ସୁରକ୍ଷା କରିବା ନୀତି ଗ୍ରହଣ କରିବା ଅପରିହାର୍ଯ୍ୟ।

ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏବେ ଲକଡାଉନ ପରେ କର୍ମସ୍ଥଳୀରେ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ କରିବା ପାଇଁ ଅନେକ ମହଲରୁ ଦାବି ହୋଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକଙ୍କ ମୂଳରାଜ୍ୟ ଓ କାର୍ଯ୍ୟସ୍ଥଳୀ ଗୁଡ଼ିକ ସମ୍ପର୍କରେ ତଥ୍ୟାବଳୀ ପ୍ରସ୍ତୁତ କରନ୍ତୁ। ନିଯୁକ୍ତିଦାତାଙ୍କ ତଥ୍ୟାବଳୀ ପ୍ରସ୍ତୁତ କରାଯାଉ। ମହିଳା ଶ୍ରମିକଙ୍କ ଜୀବନ ଓ କାର୍ଯ୍ୟକ୍ଷେତ୍ରର ପରିବେଶରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଆନ୍ତଃରାଜ୍ୟ ରାଜିନାମା କରନ୍ତୁ। ଲକଡାଉନ ସମୟରେ ତ୍‌ଣମୂଳ ସ୍ତରର ଅଭିଜ୍ଞତାରୁ ମୌଳିକ ସୁବିଧା ସୁଯୋଗ ଓ ସାମାଜିକ ସୁରକ୍ଷା ସମ୍ପର୍କିତ ସମସ୍ୟା ଗୁଡ଼ିକ ଯାହା ସାମ୍ନାକୁ ଆସିଛି, ତାକୁ ଆନ୍ତରିକତାର ସହ ସମାଧାନ ହେଉ। ପ୍ରବାସୀ ଶ୍ରମିକମାନେ ଭିନ୍ନ ଭିନ୍ନ ବ୍‌ତ୍ତି ଆପଣାଇ ଥାଆନ୍ତି। ବ୍‌ତ୍ତି ଅନୁସାରେ ସେମାନଙ୍କ ପରିଚୟ ଭିନ୍ନ ହୁଏ। ଘରୋଇ ଶ୍ରମିକ, ଶିଳ୍ପ ଶ୍ରମିକ, ବୁଲାବିକାଳି ଇତ୍ୟାଦି। ସେମାନେ ବିଭିନ୍ନ ଆଇନ ଦ୍ବାରା ପରିଚାଳିତ ହୋଇଥାନ୍ତି ଓ କେତେକଙ୍କୁ କୌଣସି ଆଇନ ଶ୍ରମିକ ବୋଲି ଗ୍ରହଣ କରେ ନାହିଁ। ଏମାନଙ୍କୁ ଚିହ୍ନଟ କରି ସାମାଜିକ ସୁରକ୍ଷାର ସୁବିଧା, ରିହାତିରେ ରାସନ ଯୋଗାଣ, ମା’ମାନଙ୍କ ସ୍ବାସ୍ଥ୍ୟ ସୁବିଧା, ବିଦ୍ୟାଳୟ ଶିକ୍ଷା ଓ ମୌଳିକ ସ୍ବାସ୍ଥ୍ୟ ସୁବିଧା ଆଦି ପ୍ରଭାବୀ ଢଙ୍ଗରେ କରାଯାଉ। ପ୍ରବାସୀ ଶ୍ରମିକମାନେ ଇତଃସ୍ତତଃ ରହୁଥିବାରୁ ସେମାନେ ସୁବିଧା ସୁଯୋଗ ସହଜରେ ପାଇପାରନ୍ତି ନାହିଁ। ସେମାନଙ୍କ ରହିବାର ସୁବନ୍ଦୋବସ୍ତ, ଉପଯୁକ୍ତ ସ୍ବାସ୍ଥ୍ୟସେବା, ପରିବାର ସହ ଯୋଗାଯୋଗ ବ୍ୟବସ୍ଥା ଓ ଘରକୁ ଫେରିବା ଲାଗି ମାଗଣା ପରିବହନ ସୁବିଧା ଆଦି ସୁନିଶ୍ଚିତ କରିବା ପାଇଁ ଝାଡ଼ଖଣ୍ଡ ସରକାର ନିକଟରେ ଭାରତ ସରକାରଙ୍କ ସୀମା ସଡ଼କ ସଂସ୍ଥା ସହିତ ଏକ ରାଜିନାମା କରାଇଛନ୍ତି। ଏଭଳି ରାଜିନାମାର ପ୍ରମୁଖ ବ୍ୟବସ୍ଥା ଗୁଡ଼ିକୁ ନିରୀକ୍ଷଣ କରି ସମସ୍ତ ବର୍ଗର ଶ୍ରମିକମାନଙ୍କୁ ସୁହାଇଲା ଭଳି ଶ୍ରମିକ କଲ୍ୟାଣ ଚୁକ୍ତିନାମା ପ୍ରସ୍ତୁତ ହେବା ଆବଶ୍ୟକ।

ପ୍ରବାସୀ ଶ୍ରମିକ ବାସ କରୁଥିବା ସ୍ଥାନରେ ସେମାନଙ୍କ ବାବଦରେ ପଞ୍ଜୀକରଣ ହେବା ସବୁଠୁ ବଡ଼ ଆବଶ୍ୟକତା। ଏହି ପଞ୍ଜୀକରଣରେ ଆଧାର, ରାସନକାର୍ଡ, ଭୋଟର ପରିଚୟପତ୍ର, ଜନଧନ ଯୋଜନା ଖାତା ଓ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କିତ ବିସ୍ତ୍‌ତ ତଥ୍ୟ ସନ୍ନିବେଶିତ ହୋଇଥିବା ଆବଶ୍ୟକ। ସେମାନଙ୍କ ଭଡ଼ାଘର, ଅଙ୍ଗନବାଡ଼ି ଓ ସ୍କୁଲ, ଶିଶୁମାନଙ୍କ ପାଇଁ କ୍ରେଚ ଆଦି ସୁବିଧା ପ୍ରଦାନ କରିବା ପାଇଁ ଏହି ତଥ୍ୟଗୁଡ଼ିକ ସହାୟତା କରିପାରିବ। ଲକଡାଉନ ସମୟରେ ଶ୍ରମିକମାନଙ୍କ ଦୁର୍ଦ୍ଦଶାରୁ ଆମକୁ ଯେଉଁ ଶିକ୍ଷା ମିଳିଛି, ତାହାକୁ ଆମେ ବ୍ୟବହାର କରିବା ଉଚିତ। ଠିକାଦାରମାନଙ୍କ ହାତରେ ଶ୍ରମିକ ପରିଚାଳିତ ହୋଇ କଚ୍ଛପ ଗତିରେ ଚାଲୁଥିବା ପଞ୍ଜୀକରଣ ପ୍ରକ୍ରିୟା ଯୋଗୁ ନିର୍ଦ୍ଦିଷ୍ଟ ଶ୍ରମିକ କଲ୍ୟାଣ ଆଇନ ସତ୍ତ୍ବେ ଶ୍ରମିକମାନେ ଲାଭ ପାଇପାରିଲେ ନାହିଁ। ଅର୍ଥନୀତିର ପୁନରୁଦ୍ଧାର ପାଇଁ ଆମ ଦେଶରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ଆବଶ୍ୟକତା ରହିଛି। ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଥିବା ଶ୍ରମିକମାନଙ୍କୁ ସମ୍ମାନର ସହିତ ସମାନ ନାଗରିକ ଭାବେ ଗ୍ରହଣ କରି ଆଇନ ଅନୁଯାୟୀ ସହାୟତାର ନିଶ୍ଚିତତା କରାଯିବା ପାଇଁ ରାଜ୍ୟ ସରକାର ଆନୁଷ୍ଠାନିକ ରାଜିନାମାରେ ସ୍ବାକ୍ଷର କରିବା ଅପରିହାର୍ଯ୍ୟ। ତେବେ ଯାଇ ଶ୍ରମିକମାନଙ୍କ ଆଉ ମର୍ଯ୍ୟାଦା ଓ ଆତ୍ମବିଶ୍ବାସ ଦେଶର ବିକାଶରେ ସାଥ ଦେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ