ପାକିସ୍ତାନ ସେନାର ହିରୋଇନ ନିଗାର ଜୋହର: ପ୍ରଥମ ମହିଳା ଲେଫ୍ଟନାଣ୍ଟ ଜେନେରାଲ


ପାକିସ୍ତାନୀ ସେନା ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ନିଯୁକ୍ତି ଦେଇଛି। ଏହି ସୂଚନା ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ ଦେଇଛି। ଏକ ଟ୍ବିଟ୍ ଜରିଆରେ କୁହାଯାଇଛି ଯେ ମେଜର ଜେନେରାଲ ନିଗାର ଜୋହର ଲେଫ୍ଟନାଣ୍ଟ ଜେନେରାଲ ପଦରେ ପଦୋନ୍ନତି ପାଇଥିବା ପାକିସ୍ତାନର ପ୍ରଥମ ମହିଳା ଅଧିକାରୀ ପାଲଟିଛନ୍ତି। ଏହା ତାଙ୍କ କ୍ୟାରିଅରର ଆଉ ଏକ ମାଇଲଖୁଣ୍ଟ ବୋଲି ଏଥିରେ କୁହାଯାଇଛି। ଜଣେ ନାମୀ ଡାକ୍ତର ହେବା ସହ ଦେଶର ସେନାରେ ଏଭଳି ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିବା ନିଗାରଙ୍କୁ ନିଃସନ୍ଦେହରେ ପାକିସ୍ତାନ ସେନାର ହିରୋଇନ ବୋଲି କୁହାଯାଇ ପାରେ।

ଇଣ୍ଟର ସର୍ଭିସେସ ପବ୍ଲିକ୍ ରିଲେସନ୍ସ (ଆଇସିପିଆର୍)ର ମହାନିର୍ଦେଶକ ମେଜର ଜେନେରାଲ ବାବର ଇଫତିକାର ଏକ ଟ୍ବିଟ୍ କରି କହିଛନ୍ତି ଯେ ନିଗାର ଜୋହରଙ୍କୁ ପାକିସ୍ତାନୀ ସେନାର ପ୍ରଥମ ମହିଳା ସର୍ଜନ ଜେନେରାଲ ଭାବେ ମଧ୍ୟ ନିଯୁକ୍ତ କରାଯାଇଛି। ଏହି ଟ୍ବିଟ୍ ମୁତାବକ ଲେଫ୍ଟନାଣ୍ଟ ଜେନେରାଲ ନିଗାର ଜୋହର ସ୍ବାବି ଜିଲ୍ଲାର ପପିର ଗାଁର ବାସିନ୍ଦା। ୨୦୧୭ରେ ସେ ମେଜର ଜେନେରାଲ ପଦ ପର୍ଯ୍ୟନ୍ତ ପହଞ୍ଚି ଥିବା ପାକିସ୍ତାନ ଇତିହାସର ତୃତୀୟ ମହିଳା ଅଧିକାରୀ ଥିଲେ। ନିଗାର ହେଉଛନ୍ତି କର୍ଣ୍ଣେଲ କାଦିରଙ୍କ ଝିଅ, ଯିଏ ଆଇଏସ୍ଆଇରେ ସେବା ପ୍ରଦାନ କରିଥିଲେ। ଏହାବ୍ୟତୀତ ସେ ଅବସରପ୍ରାପ୍ତ ମେଜର ମହମ୍ମଦ ଆମୀରଙ୍କ ଝିଆରି ମଧ୍ୟ। ମହମ୍ମଦ ଆମୀର ମଧ୍ୟ ପାକିସ୍ତାନର ପୂର୍ବତନ ଅଧିକାରୀ ଥିଲେ ଓ ଆଇଏସ୍ଆଇରେ ନିଜ ସେବା ପ୍ରଦାନ କରିଥିଲେ। ୩୦ ବର୍ଷ ପୂର୍ବେ ଏକ କାର୍ ଦୁର୍ଘଟଣାରେ ନିଗାରଙ୍କ ମାତାପିତାଙ୍କ ମୃତ୍ୟୁ ହୋଇଯାଇଥିଲା।

ପାକିସ୍ତାନର ପ୍ରେସ୍ ଇନଫରମେସନ ଡିପାର୍ଟମେଣ୍ଟ ଅନୁସାରେ ପଦୋନ୍ନତି ପାଇଥିବା ନୂଆ ଲେଫ୍ଟନାଣ୍ଟ ଜେନେରାଲ କେବଳ ଜଣେ ଡାକ୍ତର ନୁହନ୍ତି, ସେ ଜଣେ ଭଲ ଶୁଟର ମଧ୍ୟ। ନିଗାର ନିଜ ପାଠପଢ଼ା ପ୍ରେଜେଣ୍ଟେସନ୍ କନଭେଣ୍ଟ ଗାର୍ଲସ ହାଇସ୍କୁଲ, ରାୱଲପିଣ୍ଡିରେ କରିଥିଲେ। ୧୯୮୫ରେ ଆମୀର ମେଡିକାଲ କଲେଜରେ ସେ ସ୍ନାତକ କରିଥିଲେ। ୨୦୧୫ରେ ସେ ଲାହୋରର ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବ ବିଦ୍ୟାଳୟରେ ପବ୍ଲିକ୍ ହେଲଥରେ ମାଷ୍ଟର ଡିଗ୍ରୀ କରିଥିଲେ। କେବଳ ଏତିକି ନୁହେଁ ନିଗାର ଆର୍ମ ଫୋର୍ସେସର ଏକ ୟୁନିଟ୍, ହସ୍ପିଟାଲ ସମ୍ଭାଳିଥିବା ପ୍ରଥମ ଅଧିକାରୀ ହେବାର ସମ୍ମାନ ମଧ୍ୟ ପ୍ରାପ୍ତ କରିଛନ୍ତି। ନିଗାରଙ୍କୁ ତାଙ୍କ ପଦୋନ୍ନତି ପାଇଁ ଶୁଭେଚ୍ଛା ଜଣାଇ ନ୍ୟାସନାଲ ଆସେମ୍ଲିରେ ବିରୋଧୀ ଦଳର ନେତା ଶେହବାଜ ଶରିଫ କହିଛନ୍ତି ଯେ ଏହାଦ୍ବାରା ଯୁବତୀ ଓ ମହିଳାଙ୍କୁ ସଶକ୍ତ ପାଇଁ ଏକ ସନ୍ଦେଶ ମିଳିବ। ସେହିପରି ପିଏମ୍ଏଲ୍-ଏନର ଅହସାନ ଇକବାର ନିଗାରଙ୍କ ଏହି ଉପଲବ୍ଧିକୁ ପାକିସ୍ତାନୀ ମହିଳାଙ୍କ ପାଇଁ ଏକ ଉଚ୍ଚ ଉଡାଣ ବୋଲି କହିଛନ୍ତି। ଯେଉଁମାନେ ରାଷ୍ଟ୍ରୀୟ ବିକାଶ ଓ ସୁରକ୍ଷାର ସମସ୍ତ କ୍ଷେତ୍ରରେ ଯୋଗଦାନ ଦେଉଛନ୍ତି ବୋଲି ସେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ