ଭାରତରେ ଚୀନୀ ଦୋକାନର ଶଟର ବନ୍ଦ: ଚୀନର ଅକଲ ଗୁଡୁମ


ଭାରତରେ ଚୀନୀ ଦୋକାନର ଶଟର ଡାଉନ ଆରମ୍ଭ ହୋଇଯାଇଛି। ଭାରତ ସରକାର ସୋମବାର ୫୯ଟି ଚୀନୀ ଆପ ବ୍ୟାନ କରି ଚୀନକୁ ଏଭଳି କଡ଼ା ବାର୍ତ୍ତା ପ୍ରଦାନ କରିଛନ୍ତି। କେବଳ ଗୋଟିଏ ଆପ ଟିକଟକ ବ୍ୟାନ କରିବା ଦ୍ବାରା ଚୀନର ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଏବେ ଚୀନ କମ୍ପାନୀ ଗୁଡ଼ିକର ନିଜ ଦେଶରେ ବ୍ୟାପକ କ୍ଷତି ହେବାକୁ ଯାଉଛି।

ଟିକଟକର ମୂଳ କମ୍ପାନୀ ‘ବାଇଟ ଡାନ୍ସ’ ଖୁବଶୀଘ୍ର ଚୀନର ଶେୟାର ମାର୍କେଟରେ ନିଜର ଆଇପିଓ ନେଇ ଆସିବାର ଥିଲା। କିନ୍ତୁ ଭାରତରେ ଏହି ଆପ ଉପରେ କଟକଣା ଜାରି କରାଯିବା ପରେ ଏବେ ବାଇଟ ଡାନ୍ସ ନିଜର ଆଇପିଓ ଆଗକୁ ଆଣିବା ଦିଗରେ ଓହରିଯାଇଛି। ଏହି କମ୍ପାନୀକୁ ଏକାକୀ ଭାରତରେ ବିଶ୍ବ ଭାଗିଦାରିର ୩୦ ପ୍ରତିଶତ ଟ୍ରାଫିକ ମିଳୁଥିଲା। ଏହା ଚୀନର ମୋଟ ବ୍ୟବହାରକାରୀଙ୍କ ଠାରୁ ମଧ୍ୟ ବହୁତ ବଡ଼ ବେସ। ଭାରତରେ ଟିକଟକ ଆପ ଉପରେ ବ୍ୟାନ ଲାଗିବା ଫଳରେ ବାଇଟ ଡାନ୍ସର ମୂଲ୍ୟାଙ୍କନ ଉପରେ ବି ପ୍ରଭାବ ପଡ଼ିବ।

ଏସବୁ କମ୍ପାନୀ ଉପରେ ବି ପଡ଼ିବ ପ୍ରଭାବ
ବାଇଟ ଡାନ୍ସ ବ୍ୟତୀତ ବାଇଡୁ, ଆଲିବାବା ଏବଂ ଟେନମେଣ୍ଟ ଏଭଳି କମ୍ପାନୀ ଯେଉଁମାନେ କି ଚୀନର ଅର୍ଥବ୍ୟବସ୍ଥାକୁ  ଗତିଶୀଳ କରାଇବାରେ ବଡ଼ ଯୋଗଦାନ ଦେଇଛନ୍ତି। ଏହି କମ୍ପାନୀ ଗୁଡ଼ିକର ଆପ୍‌ସ ଭାରତରେ ଯଥେଷ୍ଟ ଲୋକପ୍ରିୟ। କୋରୋନା ଭୂତାଣୁ ଜନିତ ତଥ୍ୟ ଓ ସୂଚନାକୁ ଲୁଚାଇ ରଖିଥିବା ଅଭିଯୋଗର କଳଙ୍କ ମୁଣ୍ଡେଇଥିବା ଚୀନ ଏବେ ନିଜର ଅର୍ଥନୀତିକୁ ନେଇ ଚିନ୍ତାରେ। ଚୀନର ପ୍ରମୁଖ ପ୍ରକଳ୍ପ ଗୁଡ଼ିକରେ ଏବେ ନିବେଶକୁ ନେଇ ଚିନ୍ତା ବଢ଼ିଛି।

ଚୀନର ଏଆଇ ଏବଂ ମେସିନ ଲର୍ଣ୍ଣିଂକୁ ବଡ଼ କ୍ଷତି

ସାଇବର ବିଶେଷଜ୍ଞ ପବନ ଦୁଗ୍ଗଲଙ୍କ କହିବା କଥା ଚୀନରେ ୨୦୩୦ ସୁଦ୍ଧା ବିଶ୍ବର ସବୁଠୁ ଅଗ୍ରଣୀ କ୍‌ତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଏବଂ ମେସିନ ଲର୍ଣ୍ଣିଂ ପ୍ରସ୍ତୁତ କରିବାର ଲକ୍ଷ୍ୟ ରହିଥିଲା। ଦେଶରେ ମହଜୁଦ ଚୀନୀ ଆପରୁ ଉପଲବ୍ଧ ଡାଟାରୁ ଏହାର ସବୁଠୁ ଉନ୍ନତ କୌଶଳ ପ୍ରସ୍ତୁତ କରିବାର କାମ ଚାଲିଛି। ଯଦି ଭାରତରୁ ଏକତ୍ରିତ କରାଯାଉଥିବା ଡାଟାର ପ୍ରବାହକୁ ଭାଙ୍ଗି ଦିଆଯାଏ, ତେବେ ଏହାର ଆର୍ଟିଫିସିଆଲ ଇଣ୍ଟେଲିଜେନସ ପ୍ରକଳ୍ପର କାମ ଶୋଚନୀୟ ଭାବେ ପ୍ରଭାବିତ ହେବ। ଏହି ପ୍ରକଳ୍ପରୁ ଚୀନ ସରକାର କୋଟି କୋଟି ଟଙ୍କା ରୋଜଗାର କରିବାର ସ୍ବପ୍ନ ଦେଖି ଆସିଛନ୍ତି। ଭାରତର ଏହି ନିଷ୍ପତ୍ତି କାରଣରୁ ବିପୁଳ ବଜେଟର ଏଆଇ ପ୍ରକଳ୍ପର ପବନ ଲିକ ହୋଇଯାଇଛି। ଟିକଟକ, ହାଲୋ, ୟୁସି ନ୍ୟୁଜ ଏବଂ ଲାଇକି ଭଳି ଚାଇନା ଆପ ଗୁଡ଼ିକ ଆମ ଦେଶର ସାଧାରଣ ଜନତାଙ୍କୁ ମାଗଣାରେ ସେବା ଦେଇ ଆସିଛନ୍ତି। ଦେଖିବାକୁ ଏହା କେବଳ ଡାନ୍ସ, ଫଟୋ ଆଦାନ ପ୍ରଦାନ ଅଭିନୟ ଏବଂ ମନୋରଞ୍ଜନଧର୍ମୀ ଆପ ଭଳି ଲାଗେ। କିନ୍ତୁ ବାସ୍ତବରେ ଏସବୁ ଆପ ପ୍ରତ୍ୟେକ ବ୍ୟବହାରକାରୀଙ୍କ ଫୋନରୁ ପ୍ରତିଟି କାର୍ଯ୍ୟକଳାପକୁ ରେକର୍ଡ କରେ। ଅସଲରେ ମୋବାଇଲରେ କଥାବାର୍ତ୍ତା, ଟାଇପିଂ, ଭିଡିଓ ଏବଂ ଲୋକେସନ ସବୁକିଛି ଏହି ଆପସ ଜରିଆରେ ରେକର୍ଡ କରାଯାଇଥାଏ। ଏହି ତଥ୍ୟକୁ ଚୀନର ବିଶାଳ ପ୍ରକଳ୍ପ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଏବଂ ମେସିନ ଲର୍ଣ୍ଣିଂରେ ଲୋଡ କରିଦିଆଯାଏ। ଫଳତଃ ଏହା ସବୁଠୁ ଅଧିକ ଆଡଭାନ୍ସ ଭାବେ ନିର୍ମିତ ହୋଇପାରିବ। ଏହି କାରଣରୁ ଟିକଟକ ସମେତ ସମସ୍ତ ଚୀନୀ ଆପର ଭିଡିଓ ତିଆରିରେ ଲାଗିପଡ଼ିଥିବା ବ୍ୟବହାରକାରୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଥାଏ।

ଲାଗୁ ହେଲା ନୂଆ ନିୟମ
ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ନିଜ ୱେବସାଇଟ ଇ-ମାର୍କେଟ ପ୍ଲେସ ଅର୍ଥାତ ଜିଇଏମ ପାଇଁ ନୂଆ ନିୟମ ତିଆରି କରାଯାଇଛି। କୌଣସି ବି ବିକ୍ରେତା ଏବେ ଏହି ପୋର୍ଟାଲରେ ନିଜ ଦ୍ରବ୍ୟ ବିକ୍ରି କରିବାକୁ ଚାହିଁଲେ, ସେ ଉତ୍ପାଦିତ ଦ୍ରବ୍ୟଟି କେଉଁ ଦେଶରୁ ପ୍ରଥମେ ତିଆରି ହେଲା, ତାହା ଦର୍ଶାଇବାକୁ ବାଧ୍ୟ। ଏବେ ଏହି ପୋର୍ଟାଲରେ ବିକ୍ରି ହେବାକୁ ଥିବା ଉତ୍ପାଦର ଫଟୋ ସହ କେଉଁ ଦେଶରୁ ନିର୍ମିତ ହେଲା ଦର୍ଶାଇବାକୁ ପଡ଼ିବ। ଏହି ପୋର୍ଟାଲରେ ମେକ ଇନ ଇଣ୍ଡିଆ ଫିଲଟର ମଧ୍ୟ ଲଗାଇ ଦିଆଯିବ। ବିକ୍ରେତା କେଉଁସବୁ ଦ୍ରବ୍ୟ କେଉଁ କେଉଁ ଦେଶରୁ ଆସିଛି ତାହା ଜଣାଇପାରିବେ। ଯେଉଁ ଉତ୍ପାଦରେ ୫୦ ପ୍ରତିଶତ ସ୍ବଦେଶୀ କଞ୍ଚାମାଲ ବ୍ୟବହାର ହୋଇଛି ସେସବୁ ପଦାର୍ଥକୁ ପ୍ରାଥମିକତା ଦିଆଯିବ। ଦ୍ରବ୍ୟର ପ୍ୟାକେଟ ଉପରୁ ଏହା ମେଡ ଇନ ଚାଇନା ଦେଖିବା ପରେ ଭାରତରେ ତାହା ଆଉ ପୂର୍ବଭଳି ବିକ୍ରି ହୋଇପାରିବ ନାହିଁ। ଚୀନର ନାଁ ନ ନେଇ ମଧ୍ୟ ଆମ ଦେଶର ଲୋକଙ୍କୁ ଏଭଳି ଭାବେ ଚୀନର ଦ୍ରବ୍ୟ ଠାରୁ ଦୂରେଇ ରଖାଯାଇ ପାରିବ।

ଏଣ୍ଟ୍ରି ବନ୍ଦ, ମିଳିବନି କ୍ୟାବ ସେବା
ଚୀନ-ଭାରତ ମୁହାଁମୁହିଁ ଖବର ସାମ୍ନାକୁ ଆସିବା ଦିନ ଠାରୁ ଦେଶର ବିଭିନ୍ନ ସହରରେ ଚୀନଦ୍ରବ୍ୟ ବର୍ଜନକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାରେ ଲାଗିଛି। ଚୀନା ଆପସ ବନ୍ଦ ହେବା ପରେ ଦିଲ୍ଲୀ ହୋଟେଲ, ରେସ୍ତୋରାଁ  ଆଣ୍ଡ ଓନର୍ସ ଆସୋସିଏସନ ପକ୍ଷରୁ ସହରର କୌଣସି ହୋଟେଲରେ ଚାଇନା ନାଗରିକମାନଙ୍କୁ ରହିବା ଅନୁମତି ମିଳିବ ନାହିଁ ବୋଲି ସିଧା ସିଧା କୁହାଯାଇଛି। ଦିଲ୍ଲୀରେ ୩ ହଜାର ହୋଟେଲ ୭୫ ହଜାର ରୁମ ମଧ୍ୟରୁ ଗୋଟିଏ ବି ରୁମ ଚାଇନା ନାଗରିକ ବୁକ କରିପାରିବେ ନାହିଁ। ସେହିପରି ଦିଲ୍ଲୀ ଟାକ୍ସି ଟୁରିଷ୍ଟ ଟ୍ରାନ୍ସପୋର୍ଟ ଚାଇନା ନାଗରିକମାନଙ୍କୁ ସେବା ଦେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ