ଜୁଲାଇ ୧ରୁ ରାଜଧାନୀରେ ସେରୋଲୋଜିକାଲ୍‌ ସର୍ଭେ


ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କୋରୋନା ସଂକ୍ରମଣର ମାତ୍ରା ପରଖିବାକୁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ସେରୋଲଜିକାଲ୍‌ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି। ଭୁବନେଶ୍ୱର(ବିଏମ୍‌ସି), କଟକ, ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲା ସମେତ ୯ଟି ଜିଲ୍ଲାରେ ଏହି ସର୍ଭେ ଆରମ୍ଭ ହେବ। ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତ ବ୍ୟକ୍ତିଙ୍କୁ ସେରୋଲଜିକାଲ୍‌ ସର୍ଭେରେ ପରିସରଭୁକ୍ତ କରାଯାଇଛି। ଏହାସହ ପୌର, ପରିବହନ, ପୋଲିସ୍‌ କର୍ମଚାରୀଙ୍କର ମଧ୍ୟ ସେରୋଲଜିକାଲ୍‌ ସର୍ଭେ ହେବ। କମ୍ୟୁନିଟିରୁ ମଧ୍ୟ ଲୋକଙ୍କୁ ବାଛି ସେରୋଲଜିକାଲ୍‌ ସର୍ଭେ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଆସନ୍ତା ଜୁଲାଇ ୧ ତାରିଖରୁ କୋରୋନା ମୁକାବିଲା ଲାଗି ଭୁବନେଶ୍ୱରରେ ସେରୋଲୋଜିକାଲ୍‌ ସର୍ଭେ ଆରମ୍ଭ ହେବ। ତେବେ ପୁରୀରେ ଗତ ଶନିବାରଠାରୁ ଏହି ସର୍ଭେ ଆରମ୍ଭ ହୋଇ ଯାଇଛି। ଏଥିସହ ସରକାର ମଗାଇଥିବା ୫୦ ହଜାର କିଟ୍ ଆସିବା ପରେ ଆଣ୍ଟିବଡ଼ି ଓ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯିବ। ଏହାଦ୍ୱାରା କେତେ ଜଣଙ୍କ ପାଖରେ ଆଣ୍ଟିବଡି ଡେଭଲପ୍ ହୋଇଛି ନା ନାହିଁ, ତାହା ଜଣାପଡ଼ିବ ବୋଲି ଆଇଏଲ୍‌ଏସ୍ ନିର୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗୃହୀତ ୨୨୮ଟି ଷ୍ଟ୍ରେନ୍‌ ବା ସାମ୍ପୁଲକୁ ପରୀକ୍ଷା କରାଯାଇଛି। ଝାଡ଼ଖଣ୍ଡ ଓ ଛତିଶଗଡ଼ ନମୁନା ମଧ୍ୟ ପରୀକ୍ଷା କରାଯାଇଛି। କେବଳ ଆନାଲିସିସ୍‌ ବାକି ରହିଛି। ଅପରପକ୍ଷରେ ଜୁଲାଇ ୧୦ ତାରିଖରୁ ଝାରସୁଗୁଡା, ଅନୁଗୁଳ, ପୁରୀ, କେନ୍ଦୁଝର ସମେତ ୫ଟି ସ୍ଥାନରେ ଷ୍ଟ୍ରେନ୍ ପରୀକ୍ଷା ହେବ। ଏବେ ୫ ହଜାର ୫ ଶହରୁ ୬ ହଜାର ପରୀକ୍ଷା ହେଉଛି। କୋରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ଭୁତାଣୁ ଆକ୍ରାନ୍ତ କରିବ କି ନାହିଁ ସେନେଇ ଇମନୋଲୋଜି ଷ୍ଟଡି କରାଯାଇଛି। ସୁସ୍ଥ ହେବା ପରେ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧ ଶକ୍ତି କେତେ ବଢିଛି ତା'ର ଷ୍ଟଡି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ସେହିପରି ରାଜଧାନୀ ଭୁବନେଶ୍ୱରରେ କୋରୋନାର କାୟା ଦେଖିବାକୁ ମିଳିଛି। ଚାହୁଁ ଚାହୁଁ ସଂକ୍ରମିତଙ୍କ ସଂଖ୍ୟା ୩ ଶହ ମୁହାଁ ହୋଇଛି। ତେବେ ବସ୍ତିଗୁଡିକରେ ସ୍ଥାନୀୟ ସଂକ୍ରମଣ ବଢିଚାଲିଥିବାରୁ ସରକାରଙ୍କ ଚିନ୍ତା ବି ବଢିଛି। ଆଉ ଏଥିରେ ବ୍ରେକ୍ ଲଗାଇବା ପାଇଁ ଆରମ୍ଭ ହୋଇଛି ସ୍ଲମ୍ ସର୍ଭେଲାନ୍ସ। ୱାର୍ଡକୁ ୱାର୍ଡ ବୁଲୁଛନ୍ତି ଅଧିକାରୀ, ଏଏନ୍‌ଏମ୍, ଅଙ୍ଗନୱାଡ଼ି କର୍ମୀଙ୍କ ସହ କୋଭିଡ୍ ସଚେତକ କମିଟି। ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ଜରିଆରେ ହାତଧୁଆ, ମାସ୍କ ପିନ୍ଧା ଓ ସାମାଜିକ ଦୂରତା ରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ଏପରିକି ୫ଟି ହଟସ୍ପଟ୍ ଜିଲ୍ଲା ଯଥା ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି ଓ ଯାଜପୁରରୁ ଫେରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ଲମ୍ ସର୍ଭେଲାନ୍ସ ଟିମ୍ ତଥ୍ୟ ସଂଗ୍ରହ କରୁଛି। କଟକର ବସ୍ତି ଅଞ୍ଚଳରେ ବି ଡୋର୍ ଟୁ ଡୋର୍ କ୍ୟାମ୍ପେନିଂକୁ ଜୋରଦାର କରାଯାଇଛି ବୋଲି ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ