ରୋଗ ପ୍ରତିରୋଧ ଶକ୍ତିକୁ ଦୁର୍ବଳ କରୁଛି ଲକଡାଉନ ଓ ସାମାଜିକ ଦୂରତା!


କୋରୋନା ଭାଇରସ ସଂକ୍ରମଣ ରୋକିବା ଲାଗି ସାରା ବିଶ୍ବରେ ଲକଡାଉନ ଓ ସାମାଜିକ ଦୂରତାକୁ ମୁଖ୍ୟ ଅସ୍ତ୍ର ଭାବେ ଗ୍ରହଣ କରାଯାଇଛି। ବିଶେଷଜ୍ଞଙ୍କ କହିବାନୁସାରେ ଭ୍ୟାକ୍ସିନ ନ ବାହାରିବା ଯାଏ କୋରୋନା ଭାଇରସର ଶ୍‌ଙ୍ଖଳକୁ ଭାଙ୍ଗିବା ଲାଗି ଏହା ଛଡ଼ା ଆଉ କିଛି ବିକଳ୍ପ ନାହିଁ। କିନ୍ତୁ ଜଣେ ବୈଜ୍ଞାନିକ ଲକଡାଉନ ଓ ସାମାଜିକ ଦୂରତା ରୋଗ ପ୍ରତିରୋଧକ ଶକ୍ତି ଉପରେ କିପରି ଖରାପ ପ୍ରଭାବ ପକାଉଛି, ତାହାକୁ ନେଇ ଚେତାବନୀ ଦେଇଛନ୍ତି।

ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଫେସର ସୁନେତ୍ରା ଗୁପ୍ତା କହିଛନ୍ତି ଯେ କୋରୋନା ଭାଇରସ ସହିତ ଲଢ଼ିବା ପାଇଁ ୩ ମାସ ଧରି କରାଯାଇଥିବା ଲକଡାଉନ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ସହିତ ବୁଝାମଣା କରିବା ସଦୃଶ ହୋଇଛି, ଯାହାର ଖରାପ ପ୍ରଭାବ ଆଗକୁ ମଧ୍ୟ ଦେଖିବାକୁ ମିଳିପାରେ। ସୁନେତ୍ରା ଚେତାବନୀ ଦେଇଛନ୍ତି ଯେ ଲକଡାଉନ ଓ ସାମାଜିକ ଦୂରତା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିର କାରଣ ହୋଇପାରେ। ତାଙ୍କ ଦ୍ବାରା କରାଯାଇଥିବା ଏକ ଗବେଷଣା ଅନୁସାରେ ମଣିଷ ଜୀବନରେ ଆସିଥିବା ଅଚାନକ ସାମାଜିକ ଦୂରତା ବାସ୍ତବରେ ଭବିଷ୍ୟତର ସମ୍ଭାବିତ ମହାମାରୀ ବିରୋଧରେ ଲଢ଼ିବା ପାଇଁ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ବିକଶିତ କରିବାକୁ ଦେବ ନାହିଁ। ଭୂତାଣୁ ସଂସ୍ପର୍ଶରେ ଲଗାତର ନ ଆସିବା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇ ନ ପାରେ।

ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ପୂର୍ବରୁ ମଧ୍ୟ ଲକଡାଉନରେ ଲୋକଙ୍କ ଶାରୀରିକ କାର୍ଯ୍ୟକଳାପ ଶୂନ ହେବା ଆଶଙ୍କା ପ୍ରକାଶ କରିଥିଲେ। ଏହାଦ୍ବାରା ମଧ୍ୟ ରୋଗ ପ୍ରତିରୋଧ ଶକ୍ତି ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିପାରେ ବୋଲି କୁହାଯାଇଥିଲା। ଏହାର ଦମ୍‌ରେ ଶରୀର ଭାଇରସ ଓ ରୋଗ ସହିତ ଲଢ଼ିଥାଏ। ବ୍ରିଟେନରେ ଏହାକୁ ନେଇ ପ୍ରଫେସର ଗୁପ୍ତାଙ୍କ ଏକ ଟିମ୍ ମାର୍ଚ୍ଚ ମାସରେ ଏକ ମଡେଲ ଉପସ୍ଥାପନ କରିଥିଲେ। ଗତବର୍ଷ ଡିସେମ୍ବର ମାସରେ କୋରୋନା ଭାଇରସ ଏଠାରେ ପାଦ ରଖିଥିଲା। ସେମାନେ ଏହି ଗବେଷଣାରୁ ଜାଣିବାକୁ ପାଇଥିଲେ ଯେ କୋରୋନା ଭାଇରସ ଗୋଷ୍ଠୀ ସଂକ୍ରମଣ ଜରିଆରେ ଶୀଘ୍ର ବ୍ୟାପିଥାଏ।

ପ୍ରଫେସର ଗୁପ୍ତାଙ୍କ ଏହି ଗବେଷଣା ପ୍ରଫେସର ନୀଲ ଫର୍ଗୁସନଙ୍କ ପୂରା ବିପରୀତ ଥିଲା। ଲକଡାଉନ କରା ନ ଗଲେ, ୫ ଲକ୍ଷ ମୃତ୍ୟୁ ହେବ ବୋଲି ସେ ଭବିଷ୍ୟବାଣୀ କରିଥିଲେ। ପ୍ରଫେସର ଗୁପ୍ତା କହିଛନ୍ତି ଯେ ରୋଗଜନକ ଭାଇରସ ଦ୍ବାରା ନିୟମିତ ଆକ୍ରମଣ ନ ସହିଲେ, ଆମେ ଉତ୍ତମ ସ୍ଥିତିରେ ଆସିଯିବା, ଏପରି ଆଦୌ ଭାବନ୍ତୁ ନାହିଁ। ସେ କହିଛନ୍ତି ଯେ ୧୯୧୮ର ସ୍ପାନିଶ ଫ୍ଲୁ ଚମକାଇ ଦେବା ଭଳି ଥିଲା। କାରଣ ଏଥିରେ ମୃତ୍ୟୁବରଣ କରିଥିବା ଅନେକ ଲୋକ ସୁସ୍ଥ ଓ ୪୦ ବର୍ଷରୁ କମ୍ ବୟସର ଥିଲେ। ସେହି ସମୟରେ ମଧ୍ୟ ଲକଡାଉନ ଭଳି ସ୍ଥିତି ଥିଲା। ଏହା ସତ୍ତ୍ବେ ସ୍ପାନିଶ ଫ୍ଲୁ ଭାଇରସ ୫ କୋଟି ଲୋକଙ୍କୁ ମାରିବାରେ ସକ୍ଷମ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ