କାମରେ ଆସିଲା ଟେକ୍ନୋଲୋଜି: କୋରୋନା କାଳରେ ୨୦ ପ୍ରତିଶତ ବଢ଼ିଛି ଅନଲାଇନ ଅଭିଯୋଗ


କୋରୋନା ସମୟରେ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟରତ ଦିଲ୍ଲୀ ପୋଲିସ ଦ୍ରୁତଗତିରେ ଅନଲାଇନ ସେବା ଦେବାର ଦେଖାଯାଉଛି। ଲକଡାଉନ ଓ ଶଟଡାଉନ ପାଇଁ ସାଧାରଣ ଜନଗଣଙ୍କ ଚଳପ୍ରଚଳ ଉପରେ ରୋକ ଲାଗିଥିବାରୁ ଲୋକେ ପୋଲିସ ଥାନାକୁ ଆସି ଅଭିଯୋଗ କରିବା ପରିବର୍ତ୍ତେ ଅନଲାଇନ ଅଭିଯୋଗ କରିବା ପସନ୍ଦ କରୁଛନ୍ତି। ବିଗତ ୩ ମାସ ମଧ୍ୟରେ ଏହି କାରଣରୁ ଅନଲାଇନ ଅଭିଯୋଗ ହାର ୨୦ ପ୍ରତିଶତ ବଢ଼ିଥିବା ଜଣାଯାଇଛି। ସେହିପରି ଏହି ସଂଖ୍ୟା ମଧ୍ୟରୁ ସର୍ବାଧିକ ଅଭିଯୋଗ ଆର୍ଥିକ ଠକେଇ ଓ ସାଇବର ଅପରାଧକୁ ନେଇ ହୋଇଥିବା ଦିଲ୍ଲୀ ପୋଲିସ କହିଛି। ସମୁଦାୟ ଅଭିଯୋଗରୁ ୩୦ ପ୍ରତିଶତ ସାଇବର ଅପରାଧଜନିତ ଥିବା ଜଣାଯାଇଛି। ଥାନାକୁ ନ ଆସିବା ଦ୍ବାରା ଲୋକଙ୍କ ଅର୍ଥ, ଶ୍ରମ ଓ ସଂକ୍ରମଣରୁ ରକ୍ଷା ମିଳୁଛି ବୋଲି ପୋଲିସ ସୂଚାଇଛି।

କେଉଁ ପ୍ରକାର ଅଭିଯୋଗ
ମାର୍ଚ୍ଚ ୨୪ ତାରିଖରୁ ଜୁନ ୨୦ ମଧ୍ୟରେ ଦିଲ୍ଲୀ ବାସିନ୍ଦାଙ୍କ ପକ୍ଷରୁ ହୋଇଥିବା ବିଭିନ୍ନ ଅନଲାଇନ ଅଭିଯୋଗ ବର୍ଗିକରଣ କରିବା ପରେ ସେଥରୁ ୧୭ ପ୍ରତିଶତ ବିଭିନ୍ନ ପ୍ରକାର ଚୋରି ପାଇଁ ହୋଇଥିବା ବେଳେ ୧୨ ପ୍ରତିଶତ ଠକେଇ ସମ୍ପର୍କିତ ଅଭିଯୋଗ ଥିବା ଜଣାପଡ଼ିଛି। ସେହିଭଳି ୩୦ ପ୍ରତିଶତ ଅଭିଯୋଗ ଆର୍ଥିକ ଏବଂ ସାଇବର ଅପରାଧ ଭିତ୍ତିକ ହୋଇଥିବା ବେଳେ ୨୦ ପ୍ରତିଶତ ଅନ୍ୟାନ୍ୟ ମାମଲା ରହିଛି। ୭୦ ପ୍ରତିଶତ ଅଭିଯୋଗ ସାଇବର ସେଲକୁ ଅନଲାଇନରେ ମିଳୁଛି, ଯାହାକି ପୂର୍ବବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ।

ଫୋନ ଜରିଆରେ ଅଭିଯୋଗ
ଯେଉଁମାନେ ମୋବାଇଲ ଫୋନରେ ମେସେଜିଂ ଜରିଆରେ କିମ୍ବା ଇମେଲ ଜରିଆରେ ଲିଖିତ ଅଭିଯୋଗ କରିପାରୁ ନାହାନ୍ତି, ସେମାନଙ୍କ ପାଇଁ ପୋଲିସ ପକ୍ଷରୁ ଫୋନ ଜରିଆରେ ଅଭିଯୋଗ ଦାଏର କରିପାରିବା ଭଳି ବ୍ୟବସ୍ଥା କରାଯାଇଛି। ପୋଲିସ ଥାନାରେ ଫୋନ ରିସିଭ କରି ମାମଲା ଦରଜ କରାଇବା ଲାଗି କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଏପରି ଅଭିଯୋଗକୁ ଉଭୟ ବାସିନ୍ଦା ଓ ବିଭାଗ ସ୍ବାଗତ କରିଛନ୍ତି। କୋରୋନା କାଳରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଏବଂ ଦେଶର ବିଭିନ୍ନ ରାଜ୍ୟରେ ପୋଲିସ କର୍ମଚାରୀମାନେ ସଂକ୍ରମିତ ହେଉଥିବାରୁ ଏଭଳି ବ୍ୟବସ୍ଥାରେ ସୁଫଳ ମିଳିଛି ଓ ଥାନାରେ ଭିଡ଼କୁ ରୋକାଯାଇ ପାରିଛି।

ଆପ ଜରିଆରେ ଏଫଆଇଆର

ଦିଲ୍ଲୀ ପୋଲିସ ଏମବି ଥେପଟ ଇ-ଏଫଆଇଆର ଏବଂ ଥେପଟ ଇ-ଏଫଆଇଆର ଆପ୍‌ର ଅୟମାରମ୍ଭ କରିଛି। କୌଣସି ଚୋରିର ରିପୋର୍ଟ କରିବା ପାଇଁ ଥାନାକୁ ଗଲେ ସୁଦ୍ଧା ଏହି ଦୁଇଟି ଆପ ମଧ୍ୟରୁ ଯେକୌଣସି ଗୋଟିଏରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଦୁଇଟି ଆପ ଜରିଆରେ ନିଜେ ଏଫଆଇଆର ଦରଜ କରିପାରିବେ ବୋଲି ଦିଲ୍ଲୀ ପୋଲିସ କହିଛି।

ବଢ଼ିଛି ଷ୍ଟ୍ରୀଟ କ୍ରାଇମ
ଲକଡାଉନ ଓ ଶଟଡାଉନ କାଳରେ ସ୍ବାଭାବିକ ଜୀବନଯାନ୍ତ୍ରା ଅଟକି ଯାଇଥିବା ବେଳେ ଲୁଟେରାମାନେ ବେଧଡ଼କ ଷ୍ଟ୍ରୀଟ କ୍ରାଇମ ଘଟାଇଚାଲିଛନ୍ତି। ଏଭଳି ମାମଲାରେ ଆଗରୁ ଲୋକେ ଆସି ଥାନାରେ ମାମଲା ଦାଏର କରୁଥିଲେ। ହେଲେ ଏବେ ସେ ଛବି ବଦଳିଯାଇଛି। ଲୋକେ ଅନଲାଇନରେ ଏଭଳି ମାମଲା ଗୁଡ଼ିକର ଅଭିଯୋଗ କରୁଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ପୋଲିସ ଥାନା ଗୁଡ଼ିକ କୋରୋନା କାଳରେ ଅନଲାଇନ ହୋଇଯାଇଛି।

ଓଡ଼ିଶା ପୋଲିସର ପ୍ରୟାସ
ଅନଲାଇନରେ ଅଭିଯୋଗ ରଖି ଆକ୍ସନ ନେବାରେ କେବଳ ଦିଲ୍ଲୀ ପୋଲିସ ଏକା ନୁହେଁ, ଓଡ଼ିଶା ପୋଲିସ ମଧ୍ୟ ଅନୁରୂପ ବ୍ୟବସ୍ଥା କରିଛି। ଲକଡାଉନ ସମୟରେ ରାଜ୍ୟରେ ବଢ଼ିଯାଇଥିବା ପାରିବାରିକ ହିଂସା ସମ୍ପର୍କିତ ଅଭିଯୋଗକୁ ଫୋନରେ ଗ୍ରହଣ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଫୋନ-ଅପ-ପ୍ରୋଗ୍ରାମର ସ୍ପେସାଲ ଡ୍ରାଇଭ ସାରା ରାଜ୍ୟରେ କରାଯାଇ ଘରୋଇ ହିଂସାରେ ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ନେଇଛି ଓଡ଼ିଶା ପୋଲିସ। କିନ୍ତୁ କୋରୋନା କାଳରେ ରାଜ୍ୟରେ ଦୁଷ୍କର୍ମ, ଚୋରି ଏବଂ ଠକେଇ ଭଳି ମାମଲା ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିବା ଜଣାଯାଇଛି। ମାର୍ଚ୍ଚ ପୂର୍ବରୁ ରାଜ୍ୟରେ ଦୈନିକ ୩୩୨ଟି ମାମଲା ରୁଜୁ ହେଉଥିବାବେଳେ ଏପ୍ରିଲ ଓ ମେ ମାସରେ ଦୈନିକ ୧୫୦ଟି ମାମଲା ସାମ୍ନାକୁ ଆସିଛି। ପୂର୍ବରୁ ଓଡ଼ିଶାରେ ଦୈନିକ ହାରାହାରି ୮ଟି ଦୁଷ୍କର୍ମ ମାମଲା ଆସୁଥିବା ବେଳେ ଏବେ ଏହି ସଂଖ୍ୟା ୩ରେ ରହିଛି। ଲୋକେ ଥାନାକୁ ନ ଆସି ଅନଲାଇନରେ ଅଭିଯୋଗ ପାଇଁ ରାଜ୍ୟର କେତେକ ଥାନାରେ ବ୍ୟବସ୍ଥା କରାଯାଇଥିବା ବେଳେ ଦୁର୍ଗମ ଜିଲା ଗୁଡ଼ିକରେ ଏହା କରାଯାଇ ପାରୁ ନାହିଁ। ଲକଡାଉନ ସମୟରେ ରାଜ୍ୟରେ ସାଇବର ଅପରାଧ ବଢ଼ିଥିବା ଜଣାଯାଇଛି। ସାଇବର ଠକମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଓଡ଼ିଶା ପୋଲିସ ଏକ ମାର୍ଗଦର୍ଶିକା ପ୍ରକାଶ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ