ଚୀନକୁ ବିରୋଧ: ୨୯ ଶହ କୋଟିର ପ୍ରକଳ୍ପ ବାତିଲ କଲେ ସରକାର


ପାଖାପାଖି ୫୦ ବର୍ଷ ପରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହେବା ଫଳରେ ଏଥିରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଛନ୍ତି। ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଏହି ମୁହାଁମୁହିଁ ଘଟଣା ଘଟିଥିବା ବେଳେ ଭାରତ ସେଠାରେ ନିଜର ଶକ୍ତିକୁ ବଢ଼ାଇଚାଲିଛି। ତେବେ ଚୀନ୍ ଭାରତର ଅଖଣ୍ଡତାକୁ ଚାଲେଞ୍ଜ୍ ଦେଇଥିବାରୁ ଭାରତୀୟମାନେ ଚୀନ୍ ସାମଗ୍ରୀ ବର୍ଜନ ଉପରେ ଗୁରୁତ୍ବ ଦେଉଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏ ଦିଗରେ କ୍ରମାଗତ ଭାବେ ଠୋସ୍ ପଦକ୍ଷେପ ନେଇଚାଲିଛନ୍ତି। ବିହାରରେ ୨୯ ଶହ କୋଟି ଟଙ୍କାର ଏକ ପ୍ରକଳ୍ପର ଚୁକ୍ତିକୁ ବାତିଲ୍ କରିଦିଆଯିବା କେନ୍ଦ୍ର ସରକାରଙ୍କ ଏହିପରି ପଦକ୍ଷେପର ସଦ୍ୟତମ ଉଦାହରଣ। ବିହାରରେ ଗଙ୍ଗା ନଦୀ ଉପରେ ଏକ ପୋଲ ନିର୍ମାଣ କରାଯିବା ସକାଶେ ଚୀନ୍‌ର ଦୁଇଟି କମ୍ପାନୀକୁ ଟେଣ୍ଡର୍ ଦିଆଯାଇଥିଲା। କିନ୍ତୁ ଚୀନ୍ ବିରୋଧରେ ଜାରି ରହିଥିବା ମନୋଭାବ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏହି ଚୁକ୍ତିକୁ ବାତିଲ୍ କରିଦେଇଛନ୍ତି। ଏ ସଂକ୍ରାନ୍ତରେ ବିହାର ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ପୋଲ ନିର୍ମାଣ ଦାୟିତ୍ବ ୪ଟି କଣ୍ଟ୍ରାକ୍ଟରଙ୍କୁ ଦିଆଯାଇଥିବା ବେଳେ ସେଥି ମଧ୍ୟରେ ୨ଟି ଚୀନ୍ କଣ୍ଟ୍ରାକ୍ଟର ମଧ୍ୟ ରହିଥିଲେ। କିନ୍ତୁ ସୋମବାର କେନ୍ଦ୍ର ସରକାର ଏହି ଟେଣ୍ଡରକୁ ବାତିଲ୍ କରିଦେଇଥିବା ଉକ୍ତ ଅଧିକାରୀ ଜଣକ କହିଛନ୍ତି।

ଖୁବଶୀଘ୍ର ଏହି ପୋଲ ନିର୍ମାଣ ପାଇଁ ସାନି ଟେଣ୍ଡର୍ କରାଯିବ। ଏହି ପ୍ରକଳ୍ପର ମୋଟ ମୂଲ୍ୟ ୨୯ ଶହ କୋଟି ଥିବା ବେଳେ ଏତିରେ ୫.୬ କିମି ଦୈର୍ଘ୍ୟ ବିଶିଷ୍ଟ ମୁଖ୍ୟ ପୋଲ, ଅନ୍ୟାନ୍ୟ ଛୋଟମୋଟ ପୋଲ, ଅଣ୍ଡରପାସ୍ ଓ ରେଳ ଓଭରବ୍ରିଜ୍ ଆଦି ମଧ୍ୟ ନିର୍ମାଣ ହେବାର ଯୋଜନା ରହିଛି। ଗତ ବର୍ଷ ଡିସେମ୍ବର ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ବିଶିଷ୍ଟ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଥିଲା। ଗଙ୍ଗା ନଦୀରେ ଥିବା ମହାତ୍ମା ଗାନ୍ଧି ସେତୁ ସହ ସମାନ୍ତରାଳ ଭାବେ ଏହି ପୋଲଟି ନିର୍ମାଣ ହେବାର ଯୋଜନା ରହିଛି। ଏହି ପୋଲର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ପାଟନା, ସରନ୍ ଓ ବୈଶାଲୀ ଆଦି ଜିଲ୍ଲାର ବାସିନ୍ଦାମାନେ ଉପକ୍‌ତ ହୋଇପାରିବେ। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୩ ଜାନୁଆରୀ ମାସରେ ଶେଷ ହେବାର ଯୋଜନା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ